ଭୁବନେଶ୍ବର: ତାଙ୍କ ନୂପୁରର ରୁଣୁଝୁଣୁ ଅବଚେତନ ମନକୁ ସଜାଗ କରିଦିଏ। ପାଦର ଛନ୍ଦ, ହାତର ମୁଦ୍ରା ଓ ମୁହଁର ଭଙ୍ଗୀ ଦର୍ଶକଙ୍କୁ ଅପଲକ ନୟନରେ ଚାହିଁ ରହିବାକୁ ବାଧ୍ୟ କରେ। କାନ ଶୁଣି ପାରୁନଥିଲେ ବି ସଙ୍ଗୀତର ମୂର୍ଚ୍ଛନା ବୁଝିବାରେ ତାଙ୍କ ମସ୍ତିଷ୍କ କେବେ ବି ଭୁଲ କରେନି। ଏଥିପାଇଁ ତ’ ଓଡ଼ିଶୀର ସବୁ ଛନ୍ଦ ଆଉ ମୁଦ୍ରାକୁ ମନ ମୁଗ୍ଧକର ଓ ଚମତ୍କାର ରୂପରେ ସେ ପରିବେଷଣ କରିଦିଅନ୍ତି। ଶ୍ରବଣବାଧିତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ରଙ୍କ ମନମୁଗ୍ଧକର ‘ମଙ୍ଗଳାଚରଣ ଶିବ’ ଓଡ଼ିଶୀ ନୃତ୍ୟ ଆଜି ‘ମୁକ୍ତେଶ୍ବର ଉତ୍ସବ’ର ଶେଷ ସଂଧ୍ୟାରେ ଦର୍ଶକଙ୍କୁ ଦୀର୍ଘ ସମୟ ପାଇଁ ମଞ୍ଚ ନିକଟରେ ବାନ୍ଧି ରଖିଥିଲା। ପରେ ସଜନୀ ଗୋ ନ ଜାଣି ପୀରତି ଯାହା କଲି... ନୃତ୍ୟାଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ନୃତ୍ୟାଭିନୟର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର। ଏଥିସହ ଶେଷରେ ସେ ନିଜ ନୃତ୍ୟ ସଂରଚନାରେ ରାଗ-ସାରଙ୍ଗ ଉପରେ ପର୍ଯ୍ୟବସିତ ‘ପଲ୍ଲବୀ’ ପରିବେଷଣ କରିଥିଲେ।/sambad/media/post_attachments/wp-content/uploads/2021/01/gjg4jd56g4jdg564jdg65gjdddddddddddddddd.jpg)
ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ‘ମୁକ୍ତେଶ୍ୱର ଉତ୍ସବ’ର ଉଦ୍ଯାପନୀ ସନ୍ଧ୍ୟାରେ ଦର୍ଶକ ଏହିଭଳି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ଶ୍ରୀନିବାସ ଶତପଥୀ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ‘ହରଗୌରାଷ୍ଟକମ୍’ରୁ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ରଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ଦ୍ବୈତନୃତ୍ୟ ପର୍ଯ୍ୟାୟରେ ଶ୍ରୀପୁଣ୍ୟା ମହାନ୍ତି ଓ ପ୍ରତାପ ବାରିକଙ୍କ ଦ୍ୱାରା ପ୍ରଥମେ ରାଗ ‘ନାଗବାଲ୍ଲୀ ପଲ୍ଲବୀ’ ପରିବେଷିତ ହୋଇଥିଲା। ପରେ ପରେ ପ୍ରଣୟ ଓ ମୃତ୍ୟୁର କାହାଣୀ ‘ସୁମୁଖ ଓ ଗୁଣକେଶୀ’ ନୃତ୍ୟାଭିନୟ ପ୍ରଦର୍ଶିତ ହୋଇଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅରୁଣା ମହାନ୍ତି। ଅନ୍ତିମ ସଂଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଜୋତ୍ସ୍ନାରାଣୀ ସାହୁ ଓ ସାଥୀଙ୍କ ଦଳଗତ ନୃତ୍ୟାଭିନୟ। ସେମାନେ ପ୍ରଥମେ ‘ଶିବମାୟା ବନ୍ଦନା’, ପରେ ପରେ ଗୀତାଭିନୟ ‘ରସାନୁରାଗ’ ଓ ଶେଷରେ ଶୁଦ୍ଧନୃତ୍ୟରେ ‘କୀର୍ତ୍ତୀ କଳାବତୀ’ ପରିବେଷଣ କରିଥିଲେ।
ଆଜି ସଂଧ୍ୟାର ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଅରୁଣା ମହାନ୍ତି ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ ଓ ସଂହତି ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସହନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dhj7dgdgdgdgdgdgdgdgdgdgdgdgdgdgdg9jdgjjjjjjjjjjj.jpg)