ମୁକ୍ତେଶ୍ୱର ଉତ୍ସବ ଉଦ୍‌ଯାପିତ: ଜାହ୍ନବୀଙ୍କ ନୃତ୍ୟରେ ଦର୍ଶକ ବିଭୋର୍‌

ପୁରୁଣା ଭୁବନେଶ୍ୱର: ଜାହ୍ନବୀଙ୍କ ନୃତ୍ୟରେ ଦର୍ଶକଙ୍କୁ ବିଭୋର୍‌ କରିଥିଲା ମୁକ୍ତେଶ୍ୱର ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟା। ଆଜି ଅନ୍ତିମ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଜାହ୍ନବୀ ବେହେରା ପ୍ରଥମେ ଜଗନ୍ନାଥ ଅଷ୍ଟକମ୍‌, ପରେ ପରେ ଖମାଜି ପଲ୍ଲବୀ ଏବଂ ଶେଷ ପ୍ରସ୍ତୁତି ଦେବୀ ସ୍ତୋତ୍ରମ ଅୟିଗିରିନନ୍ଦିନି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଅରୁଣା ମହାନ୍ତି। ସେହିପରି ଯୁଗ୍ମନୃତ୍ୟ ପର୍ଯ୍ୟାୟରେ ଉତ୍କଳ ସଂସ୍କୃତି ମହାବିଦ୍ୟାଳୟର ତପନ କୁମାର ସାହୁ ଓ ବିଦ୍ୟା ବିଶ୍ୱଜିତା ପ୍ରଥମେ ପଲ୍ଲବୀ ରାଗ ଗତି, ପରେ ପରେ ‘ପଞ୍ଚ ପରମେଶ୍ୱର’ ପରିବେଷଣ କରିଥିଲେ। ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ମନୋରଞ୍ଜନ ପ୍ରଧାନ ଏବଂ ଲିଙ୍ଗରାଜ ସ୍ୱାଇଁ। ଶେଷ କାର୍ଯ୍ୟକ୍ରମ ଥିଲା ଗୁଞ୍ଜନ ଡ୍ୟାନ୍ସ ଏକାଡେମି କଳାକାରମାନଙ୍କ ଦ୍ୱାରା ପଲ୍ଲବୀ ରାଗ ଐସ। ପରେ ପରେ ଶିବ ପଞ୍ଚାକ୍ଷର ସ୍ତୋତ୍ରମ ଏବଂ ଶେଷରେ ରୁଦ୍ର ଆରତି ପରିବେଷଣ କରିଥିଲେ। ନୃତ୍ୟ ସଂଯୋଜନା କରିଥିଲେ ମୀରା ଦାସ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଦର୍ଶକ ଭରପୂର ଉପଭୋଗ କରିଥିଲେ। ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କଳାକାରମାନଙ୍କ ଦ୍ୱାରା ଶିବ ବନ୍ଦନା ଉମା ଶଙ୍କର ସ୍ତୋତ୍ରମରୁ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଡ. ବିଜୟ କୁମାର ଜେନା। ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି କମଳାକାନ୍ତ ମିଶ୍ର, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ଗୀତିକାର ନିତ୍ୟାନନ୍ଦ ମିଶ୍ର ଗୁରୁ କେଳୁଚରଣ ମହାପାତ୍ର ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ. ଶ୍ରୀନିବାସ ଘଟୁଆରି ଓ ଅନୁଜା ତାରିଣୀ ମିଶ୍ର।

ସମ୍ବନ୍ଧିତ ଖବର