ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦ୍‍ଘାଟିତ: ମନ ମୋହିଲା ଓଡ଼ିଶୀ

ମନ୍ତ୍ରୀଙ୍କୁ ଡକାଗଲାନି ସମର୍ଥକଙ୍କ ହୋହଲ୍ଲା

ପୁରୁଣା ଭୁବନେଶ୍ୱର: ତିନିଦିନିଆ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉଦ୍‍ଘାଟିତ ହୋଇଛି। ଆଜି ସନ୍ଧ୍ୟାର କାର୍ଯ୍ୟକ୍ରମ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ଓ ସାଥୀଙ୍କ ଦ୍ୱାରା ପରିବେଷିତ ଶିବ ବନ୍ଦନାରୁ ଆରମ୍ଭ ହୋଇଥିଲା। ବୃନ୍ଦଗାନରେ ସେମାନେ ପ୍ରସ୍ତୁତ କରିଥିଲେ ଶିବ ବନ୍ଦନା ‘ଓଁ ନମଃ ଶିବାୟ’। ଏହି ସମବେତ ସଙ୍ଗୀତକୁ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର। ପରେ ପଣ୍ଡିଚେରୀରୁ ଆସିଥିବା ଓଡ଼ିଶୀ ନୃତ୍ୟ ଶିଳ୍ପୀ ସଙ୍ଗୀତା ଦାସଙ୍କ ଏକକ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ତାଙ୍କର ପ୍ରଥମ ଅର୍ଘ୍ୟ ଥିଲା ଅଭିନୟ ଶିବ ଆରାଧନା ଓ ଲକ୍ଷ୍ମୀ ସ୍ତୁତି। ପରେ ରାଧାକୃଷ୍ଣଙ୍କ ଉପରେ ଆଧାରିତ ଅଭିନୟ ‘କି ଶୁଣିବି ଆଜ ନୂଆ କରି’ ପ୍ରସ୍ତୁତ କରିଥିଲେ। ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ସଙ୍ଗୀତା ଦାସ। ଯୁଗ୍ମ ନୃତ୍ୟ କାର୍ଯ୍ୟକ୍ରମରେ ଲିମା ଭଳ ଓ ଅରୂପା ଗାୟତ୍ରୀଙ୍କ ଦ୍ୱାରା ଅଭିନୟ ‘କି ନାଦରେ’ ପରେ ‘ଶକ୍ତି ବହୁ ରୂପ’ ପରିବେଷିତ ହୋଇଥିଲା। ଶେଷ କାର୍ଯ୍ୟକ୍ରମ ଥିଲା ଦଳଗତ ନୃତ୍ୟ। ପାର୍ବତୀ ଦତ୍ତ ଓ ସାଥୀ ପ୍ରଥମେ ମଙ୍ଗଳାଚରଣ ଶିବ ବନ୍ଦନା ପରେ ପ୍ରତିବିମ୍ବ ପରିବେଷଣ କରିଥିଲେ। ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଅଭିନୟ ‘ପୁଣି ଥରେ ଆସ’ ଏବଂ ଶେଷରେ ସଂସ୍କୃତ ମନ୍ତ୍ର ଓଁ ମଣି ପଦ୍ମେ ପରିବେଷିତ ହୋଇଥିଲା। ଯାହାର ନୃତ୍ୟ, ସଙ୍ଗୀତ ଓ ତାଳ ସଂଯୋଜନା କରିଥିଲେ ନିଜେ ଗୁରୁ ପାର୍ବତୀ ଦତ୍ତ। ଉଦ୍‍ଘାଟନୀ ସଂଧ୍ୟାର ଏହି ମନୋରମ କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ।

ଆଜି ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଏବଂ ସଂହତି ପାଣି। ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ସହ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ପୁରୁଣା ଭୁବନେଶ୍ୱର: ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଆରମ୍ଭ ପୂର୍ବରୁ ଦେଖା ଦେଇଥିଲା ଚାପା ଉତ୍ତେଜନା। ସ୍ଥାନୀୟ ବିଧାୟକ ତଥା ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ତାଙ୍କର କିଛି ସମର୍ଥକ ଆସି ହୋ ହହ୍ଲା କରିଥିଲେ। ଅନ୍ୟପଟେ ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ବିଳମ୍ବରେ ଆସିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ମୁକ୍ତେଶ୍ବର ନୃତ୍ୟ ଉତ୍ସବ ଓ ରାଜାରାଣୀ ସଂଗୀତ ଉତ୍ସବକୁ ଭୁବନେଶ୍ବରର ତିନି ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏହି ଖବର ଜଣାପଡ଼ିବା ପରେ ଶ୍ରୀ ପଣ୍ଡାଙ୍କ କିଛି ସମର୍ଥକ ଉତ୍ସବର ପ୍ରବେଶ ପଥରେ ଆସି ପାଟିତୁଣ୍ଡ କରିଥିଲେ। ପୁଲିସ ଆସି ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ଏବଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର