ମୁକ୍ତେଶ୍ୱର ନୃତ୍ୟ ଉତ୍ସବ : ଓଁ ନମଃ ଶିବାୟରୁ ଆରମ୍ଭ ହେଲା ଦ୍ୱିତୀୟ ସନ୍ଧ୍ୟା

ପୁରୁଣା ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକ ଓଡ଼ିଶୀ ନୃତ୍ୟ ଉପଭୋଗ କରିଥିଲେ। ଆଜିର ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଓଁ ନମଃ ଶିବାୟରୁ। ଯାହାକୁ ପରିବେଷଣ କରିଥିଲେ ବିକାଶ ଶୁକ୍ଳା ଓ ସାଥୀ। ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ପଲ୍ଲବୀ ଦାସ ପ୍ରଥମେ ମଙ୍ଗଳା ଚରଣରେ ଶିବ ବନ୍ଦନା ‘ଶିବମ୍‌ ଧି ମହି’ ପରେ ବେଣୁଧର ଦାସଙ୍କ ରଚନାରେ ଅଭିନୟ କୃଷ୍ଣାନୁରାଗୀ ପ୍ରସ୍ତୁତ ହୋଇଥିଲା ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ବିଚିତ୍ରାନନ୍ଦ ସ୍ୱାଇଁ, ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ ଓ ତାଳ ସଂଯୋଜନା କରିଥିଲେ ଗୁରୁ ଧନେଶ୍ୱର ସ୍ୱାଇଁ। ଯୁଗଳ ନୃତ୍ୟ ପର୍ଯ୍ୟାୟରେ ସୁରଜ ସାହୁ ଓ ମନୋଜ ପ୍ରଧାନ ପ୍ରଥମେ ପରିବେଷଣ କରିଥିଲେ ଚକ୍ରବାକ ପଲ୍ଲବୀ। ପରେ ପରିବେଷିତ ହୋଇଥିଲା ଅର୍ଦ୍ଧନାରୀଶ୍ୱର। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଦୁର୍ଗାଚରଣ ରଣବୀର। ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ। ସେମାନଙ୍କର ପ୍ରଥମ ପ୍ରସ୍ତୁତିରେ ଥିଲା ରାଗ ଶଙ୍କରାଭରଣ ଓ ତାଳ ଏକତାଳି ଉପରେ ପର୍ଯ୍ୟବସିତ ମଙ୍ଗଳାଚରଣ ‘ଓଁ ନମଃ ଶିବାୟ’ ପରେ ପରିବେଷିତ ହୋଇଥିଲା ଗତୀବିଳାଶ ପଲ୍ଲବୀ। ଯାହାର ନୃତ୍ୟ ସଂରଚନା କରିଥିଲେ ଆଦିଗୁରୁ ପଙ୍ଗଜ ଚରଣ ଦାସ।

ଆଜି ସନ୍ଧ୍ୟାର ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଏବଂ ସଂହତି ପାଣି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

ସମ୍ବନ୍ଧିତ ଖବର