ମୁକ୍ତେଶ୍ବର ନୃତ୍ୟ ଉତ୍ସବ: ନୃତ୍ୟରେ ନାରୀ ଓ ବସନ୍ତ

ଭୁବନେଶ୍ବର: ନୃତ୍ୟରେ ‘ନାରୀ’କୁ ଚିତ୍ରଣ କରିବା ସହ ‘ବସନ୍ତ’ ଋତୁକୁ ତାଳ, ଲୟ ଓ ମୁଦ୍ରାରେ ଭେଟି ଦେଇଥିଲେ ସୂତପା ତାଲୁକଦାର ଓ ସାଥୀ। ମୁକ୍ତେଶ୍ବର ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟରେ ଏହିଭଳି ନିଆରା ଉପସ୍ଥାପନ ଦର୍ଶକଙ୍କୁ ରୋଚକ ଅନୁଭବ ଦେଇଥିଲା। ସଂଗୀତରେ ଶିବ ବନ୍ଦନାରୁ ଆରମ୍ଭ ହୋଇଥିଲା ଉତ୍ସବର ଦ୍ବିତୀୟ ସନ୍ଧ୍ୟା। ରୂପକ ପରିଡ଼ା ଓ ସାଥୀ ସଂଗୀତ ପରିବେଷଣ କରିଥିଲେ। ଲିଙ୍ଗରାଜ ପ୍ରଧାନ ପଲ୍ଲବୀ ଓ ରୁଦ୍ରାଷ୍ଟକମ୍‌ ପରିବେଷଣ କରିଥିଲେ। ଲିଙ୍ଗରାଜ ଓ ସଂଯୁକ୍ତା ପ୍ରଧାନ ନୃତ୍ୟ ସଂଯୋଜନା କରିଥିଲେ। ଲିପ୍ସା ଶତପଥୀ ଓ ୱାଇ ଆଶା କୁମାରୀ ଅଭିନୟର ନବରସ ଭେଟି ଦେଇଥିଲେ। ବିଚିତ୍ରାନନ୍ଦ ନନ୍ଦ ଓ ଗଙ୍ଗାଧର ପ୍ରଧାନଙ୍କ ନୃତ୍ୟ ସଂ‌ରଚନାରେ ଏହା ପ୍ରସ୍ତୁତ ହୋଇଥିଲା। ଉତ୍ସବରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ୍‌ ଦେବ, ଯୁଗ୍ମ ନିର୍ଦେଶକ ଉତ୍ପଳ କୁମାର ପତି, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ବିଜୟ କୁମାର ଜେନା ଏବଂ ‘ସୃଜନ’ ନୃତ୍ୟାନୁଷ୍ଠାନର ନିର୍ଦେଶକ ରତିକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀନିବାସ ଘଟୁଆରୀ ଓ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର