ଭୁବନେଶ୍ୱର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ମିଳିତ ଆନୁକୂଲ୍ୟରେ ଏହାର ୧୪୯ତମ ଆଲୋଚନାଚକ୍ର ଆଜି ଭାରତୀୟ ବିଦ୍ୟା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସାତକଡ଼ି ହୋତାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଷୟବସ୍ତୁ ରହିଥିଲା ‘ବରିଷ୍ଠ ନାଗରିକ: ବଳିଷ୍ଠ ପଦକ୍ଷେପ’। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ବିଦ୍ୟା ଭବନର ଅଧ୍ୟକ୍ଷ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର ଯୋଗ ଦେଇ କହିଲେ, ଅନେକ ପରିବାରରେ ଇଚ୍ଛାପତ୍ର ବା ଓ୍ଵିଲ୍ ନେଇ କନ୍ଦଳ ସୃଷ୍ଟି ହେଉଛି। ତେଣୁ ବରିଷ୍ଠ ନାଗରିକମାନେ ବଞ୍ଚିଥିବାବେଳେ ସେମାନଙ୍କର ଇଚ୍ଛାପତ୍ର କରିନେବା ଆବଶ୍ୟକ। ଯାହାଦ୍ୱାରା ସେମାନଙ୍କ ମୃତ୍ୟୁ ପରେ ପରିବାରରେ ସମ୍ପତ୍ତି ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି ଶ୍ରୀ ମହାପାତ୍ର କହିଥିଲେ। କିଟ୍ ଲ’ ସ୍କୁଲର ପ୍ରଫେସର ରତିକାନ୍ତ ନନ୍ଦ ବରିଷ୍ଠ ନାଗରିକଙ୍କ କର୍ତବ୍ୟ ଓ ଅଧିକାର ଉପରେ ମତବ୍ୟକ୍ତ କରିଥିଲେ। ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ବରିଷ୍ଠ ନାଗରିକମାନେ ଅବଗତ ନୁହନ୍ତି। ତେଣୁ ନିଜେ ଅବଗତ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଏ ସଂପର୍କରେ ଜଣାଇବା ଉଚିତ ବୋଲି ଶ୍ରୀ ନନ୍ଦ କହିଥିଲେ। ସମ୍ମାନିତ ଅତିଥି ଭାବେ ଏମ୍ସ୍ର ପୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ଯୋଗଦେଇ କହିଲେ, ବରିଷ୍ଠ ନାଗରିକଙ୍କର ଆଧ୍ୟାତ୍ମିକ, ସାମାଜିକ ଓ ମାନସିକ ସ୍ୱାସ୍ଥ୍ୟ ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମନମ୍ ଫାଉଣ୍ଡେସନ୍ର ମୁଖ୍ୟ ସୌମ୍ୟା ସୁଚରିତା ମହାପାତ୍ର, ଫ୍ୟୁଚର ଜେନେରାଲ୍ ଇଣ୍ଡିଆ ଲାଇଫ୍ ଇନ୍ସ୍ୟୁରନ୍ସ କମ୍ପାନିର ମୁଖ୍ୟ ସ୍ୱୟାଂଶୁ ସତ୍ୟକାମ, ଫାଇନାନ୍ସିଆଲ୍ ସଲ୍ୟୁସନ୍ କମ୍ପାନିର ମୁଖ୍ୟ(ଜି.ଡି) ବିକାଶ ଶ୍ରୀବାସ୍ତବ ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ମୁକ୍ତ ଚିନ୍ତନ ମଞ୍ଚର ସଂପାଦକ ପୀତବାସ ରାଉତରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।
ମୃତ୍ୟୁ ପୂର୍ବରୁ ବରିଷ୍ଠ ନାଗରିକ ନିଜର ଇଚ୍ଛାପତ୍ର କରନ୍ତୁ
‘ମୁକ୍ତ ଚିନ୍ତନ ମଞ୍ଚ’ ପକ୍ଷରୁ ୧୪୯ତମ ଆଲୋଚନାଚକ୍ର
/sambad/media/post_attachments/wp-content/uploads/2018/08/m2-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)