ମୁକ୍ତ ଚିନ୍ତନ ମଞ୍ଚର ଆଲୋଚନାଚକ୍ର: ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବ

ଭୁବନେଶ୍ବର: ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନର ୧୬୪ତମ ଆଲୋଚନାଚକ୍ର ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଆଜିର ବିଷୟବସ୍ତୁ ରହିଥିଲା ‘ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ସଂସ୍କାର’। ଏହି ବିଷୟରେ ଅତିଥି ଓ ଉପସ୍ଥିତ ଦର୍ଶକ ନିଜର ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବ ଅନୁସାରେ, ପୁରୀର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ଏକ ଲାଇଟ୍ ଏଣ୍ଡ ସାଉଣ୍ଡ ସୋ’, ପୁରୀରେ ଥିବା ମଠକୁ ନେଇ ମଠ ପର୍ଯ୍ୟଟନ, ପୁରୀ ସହରରେ ଥିବା ଅନ୍ୟ ସ୍ଥାନକୁ ବିକଶିତ, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟୀକରଣ, ମନ୍ଦିର ବାହାରେ ମହାପ୍ରସାଦ ସେବନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ମନ୍ଦିରରେ ନୀତିକାନ୍ତି କରୁଥିବା ସେବକଙ୍କୁ ପ୍ରଶିକ୍ଷଣ, ସହର‌ରେ ଥିବା ହୋଟେଲର ମାନବୃଦ୍ଧି, ଆର୍ଟ ଗ୍ୟାଲେରି ନିର୍ମାଣ କରାଯାଉ। ଏହାସହ ଶ୍ରୀମନ୍ଦିରରେ ଯେପରି ନୀତି ବିଭ୍ରାଟ ନ ହେବ ସେଥିପାଇଁ ଉଦ୍ୟମ କରାଯିବା ଦରକାର। ଯଦି କୌଣସି ଲୋକ ଭୋକରେ ରହୁଛି ସେମାନଙ୍କ ପାଇଁ ବିଭିନ୍ନ କମିସନ ରହିଛନ୍ତି, ମାତ୍ର ଶ୍ରୀଜଗନ୍ନାଥ ଉପାସ ରହିଲେ ତାଙ୍କ ପାଇଁ କେହି ନାହାନ୍ତି। ତେଣୁ ନୀତି ବିଭ୍ରାଟ ଯେଭଳି ନ ହେବ ସେଥିପାଇଁ ଶ୍ରୀମନ୍ଦିର ମନ୍ଦିର ଆଇନରେ ସଂଶୋଧନ କରାଯାଉ ଓ ଯେଉଁ ସେବକ ବିଭ୍ରାଟ କରୁଛନ୍ତି ତାଙ୍କୁ ୧୦ହଜାର ଟଙ୍କାରୁ ଆରମ୍ଭ କରି ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଉ। ଏହାସହ ସବୁଦିନ ପାଇଁ ସଂପୃକ୍ତ ସେବକଙ୍କୁ ନୀତିରୁ ବଞ୍ଚିତ ରଖାଯାଉ।

ସେହିପରି ମନ୍ଦିରରେ ଦେବଦାସୀ ନୃତ୍ୟର ପୁନଃ ପ୍ରଚଳନ, ବଂଶାନୁକ୍ରମିତ ସେବା କରୁଥିବା ସେବାୟତଙ୍କ ଅନ୍ତେ ସେମାନଙ୍କ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉ। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସହାୟକଙ୍କୁ ନିଯୁକ୍ତ କରାଯାଉ। ଶ୍ରୀମନ୍ଦିର ଉପରେ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଆସିଥିବା ସମସ୍ତ ପ୍ରସ୍ତାବ ଗୃହୀତ ହେବା ସହିତ ଏହି ପ୍ରସ୍ତାବ ସମୂହକୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମେଜନର ଜେନରୋଲ ବସନ୍ତ କୁମାର ମହାପାତ୍ର, ସଭାପତି ସାତକଡ଼ି ହୋତା ପ୍ରମୁଖ ଯୋଗ ଦେଇ ପ୍ରସ୍ତାବ ରଖିଥିଲେ। ପୌରୁଷର ସଂପାଦକ ଅସିତ ମହାନ୍ତି ଏଥିରେ ସଂଯୋଜନା କରିଥିଲେ। ଏହି ଅବସରରେ ରସଗୋଲା ଚଳଚ୍ଚିତ୍ରର ଲେଖକ ଓ ନିର୍ମାତା ତଥା ଆମ ଓଡ଼ିଶା ସଂପାଦକ ସ୍ବରାଜ ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି, ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରାଜେନ୍ଦ୍ର ମହାନ୍ତି, ଶ୍ରୀମନ୍ଦିର ଅଧିକାରୀ ଭାସ୍କର ମିଶ୍ର, ନାଇଜର କୁଳସଚିବ ଅଭୟ ନାୟକ, ଶ୍ରୀଲିଙ୍ଗରାଜ ମନ୍ଦିର ବୋର୍ଡର ପୂର୍ବତନ ଅଧିକାରୀ ଲିଙ୍ଗରାଜ ରଥ, ପ୍ରଭାତ ନନ୍ଦ ଓ ଅନିତା ସାବତ ପ୍ରମୁଖ ପ୍ରସ୍ତାବ ଦେଇଥିଲେ। ପ୍ରାରମ୍ଭରେ ମଞ୍ଚର ସଂପାଦକ ପୀତବାସ ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆବାହକ ରମାକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର