ଶ୍ରୀଲିଙ୍ଗରାଜ ମନ୍ଦିରରେ ଅବକ୍ଷୟ ମୂର୍ତ୍ତି ପୁନରୁଦ୍ଧାର ପ୍ରକ୍ରିୟା : ମୁକ୍ତିମଣ୍ଡପ ପଣ୍ଡିତଙ୍କ ନିଷ୍ପତ୍ତିକୁ ଅପେକ୍ଷା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ଚଳନ୍ତି ଅବକ୍ଷୟ ବିଗ୍ରହମାନଙ୍କୁ ପୁରୀ ମୁକ୍ତିମଣ୍ଡପ ପଣ୍ଡିତମାନେ ଆଜି ଅନୁଧ୍ୟାନ କରିଛନ୍ତି। ମନ୍ଦିରରେ ଦକ୍ଷିଣୀ ଘରେ ଥିବା ଠାକୁରଙ୍କ ଏହି ଅବକ୍ଷୟ ମୂର୍ତ୍ତିକୁ ଟିକିନିଖି କରି ଦେଖିଛନ୍ତି। ସେମାନେ ୪ ଦିନ ମଧ୍ୟରେ ମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ତେବେ ବିଧି ଅନୁଯାୟୀ, ଶାଳଗ୍ରାମକୁ ଜୀବନ ପ୍ରଦାନ କରାଗଲା ପରେ ମରାମତି କରିବେ ବୋଲି କାରିଗର କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ପୂଜାପର୍ବାଣୀରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବଙ୍କ ଚଳନ୍ତି ପ୍ରତିମାଗୁଡ଼ିକ ଦୀର୍ଘ ଦିନ ହେଲା ଅବକ୍ଷୟ ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ ୨୦୧୫ ମସିହାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଏହାର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ମୁକ୍ତିମଣ୍ଡପ ପରାମର୍ଶ ନିଆଯାଇ ଅବକ୍ଷୟ ମୂର୍ତ୍ତିିକୁ ମରାମତି ପାଇଁ ପୂର୍ବରୁ ବିଭିନ୍ନ କାରିଗରଙ୍କ ସହ ଆଲୋଚନା କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ତେବେ ଏନେଇ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଉଥିବାରୁ ଉଭୟ ମୁକ୍ତିମଣ୍ଡପ ପଣ୍ଡିତ ଓ ଅଭିଜ୍ଞ କାରିଗର ଏହି ଅବକ୍ଷୟ ପ୍ରତିମାଗୁଡ଼ିକ ଅନୁଧ୍ୟାନ କରିବେ ବୋଲି ଟ୍ରଷ୍ଟ ବୋର୍ଡରେ ନିଷ୍ପତ୍ତି ହୋଇଥିଲା। ଫଳରେ ଆଜି ଅପରାହ୍ନରେ ମନ୍ଦିର ପ୍ରଶାସନ ଉପସ୍ଥିତିରେ ଉଭୟ ମୁକ୍ତିମଣ୍ଡପ ପଣ୍ଡିତ ଓ ଅଭିଜ୍ଞ କାରିଗର ଉପସ୍ଥିତ ରହି ଅବକ୍ଷୟ ପ୍ରତିମାଗୁଡ଼ିକର ଅନୁଧ୍ୟାନ କରିଥିଲେ। କେତେକ ମୂର୍ତ୍ତିିର ଆଖି, କାନ ଦିଶୁନଥିବା ବେଳେ ଗୋଟିଏ ମୂର୍ତ୍ତିର ହାତ ଭାଙ୍ଗିଥିବା ନେଇ ସେବାୟତମାନେ ଦର୍ଶାଇଥିଲେ। ମୁକ୍ତିମଣ୍ଡପର ଉପସଭାପତି (ପ୍ରଶାସନିକ) ଅଶୋକ କୁମାର ମହାପାତ୍ର, ଉପସଭାପତି (ଆର୍ଥିକ) ଉମାବଲ୍ଲଭ ମହାପାତ୍ର, ସମ୍ପାଦକ ଭଗବାନ ମହାପାତ୍ର, ସହସମ୍ପାଦକ (ଧାର୍ମିକ), ମୁଖପାତ୍ର ପଣ୍ଡିତ ବିଶ୍ୱମ୍ବର ଦାଶ, ବ୍ୟବସ୍ଥାପକ ପଣ୍ଡିତ ଜୟକୃଷ୍ଣ ମିଶ୍ର, ପଣ୍ଡିତ ରବିଚରଣ ରଥ, ରଘୁନାଥ ମିଶ୍ର, ଜଗନ୍ନାଥ ରଥ, ନୟାଗଡ଼ ଖଣ୍ଡପଡ଼ା ଖଳିସାହିର ଅଭିଜ୍ଞ କାରିଗର ସାରଙ୍ଗଧର ମହାପାତ୍ର, ଅଭିମନ୍ୟୁ ସାହୁ ଆସି ଅନୁଧ୍ୟାନ କରିଥିଲେ। ପଣ୍ଡିତମାନେ ଅନୁଧ୍ୟାନ ବେଳେ କାରିଗରଙ୍କ ସହ ଆଲୋଚନା କରିଥିଲେ।

ଏହି ଅନୁଧ୍ୟାନ ବେଳେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା, ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି, ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ଥ ବଡ଼ୁ, ସମର୍ଥା ନିଯୋଗର ସମ୍ପାଦକ ପ୍ରଶାନ୍ତ ସମର୍ଥା, ଟ୍ରଷ୍ଟ ବୋର୍ଡର ସଦସ୍ୟ ଗୌରୀଶଙ୍କର ପାଣି, ସୁପରଭାଇଜର ଓ ସେବାୟତମାନେ ଉପସ୍ଥିତ ଥିଲେ।
ମୁକ୍ତିମଣ୍ଡପର ପଣ୍ଡିତମାନଙ୍କ କହିବା ଅନୁଯାୟୀ, ଦେବଦେବୀଙ୍କ ଅବକ୍ଷୟ ସ୍ଥାନଗୁଡ଼ିକ ଅନୁଧ୍ୟାନ କରାଯାଇଛି। ଏନେଇ ମୁକ୍ତିମଣ୍ଡପ ସଭାରେ ଆଲୋଚନା କରାଯିବା ପରେ କେଉଁ ଉପାୟରେ ଏହାର ପୁନରୁଦ୍ଧାର କରାଯିିବ, ସେ ନେଇ ନିଷ୍ପତ୍ତି ନିଆଯିବ। ବରିଷ୍ଠ କାରିଗର ସାରଙ୍ଗଧରଙ୍କ କହିବା ଅନୁଯାୟୀ, ବିଗ୍ରହରେ କେଉଁ ମୂର୍ତ୍ତିିରେ ଇଟା ଲଗାଯିବ ତ କେଉଁ ମୂର୍ତ୍ତିିରେ ଝଳେଇ କରାଯିବ, ତେବେ ଏହା ଜୀବନ୍ତ ଠାକୁର ହୋଇଥିବାରୁ ପ୍ରଥମେ ହୋମ ପୂଜା କରାଯାଇ ବିଗ୍ରହ ମୂର୍ତ୍ତିିରୁ ଶାଳଗ୍ରାମକୁ ଜୀବନ ପ୍ରଦାନ କରାଯିବା ଦରକାର। ଆମ ଉପସ୍ଥିତିରେ ଏପରି କରାଗଲେ ଆମେ ବିଗ୍ରହଗୁଡ଼ିକ ମରାମତି କରାଯିବା ସହ ନିଆଁରେ ଝଳାଇ ଓ ମରାମତି କରିପାରିବୁ। ଉଲ୍ଲେଖଯୋଗ୍ୟ, ୧୨ ମାସରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀରେ ଏହି ଚଳନ୍ତି ପ୍ରତିମାମାନେ ଯାତ୍ରା କରନ୍ତି।

ସମ୍ବନ୍ଧିତ ଖବର