ଗୋତି ପ୍ରଥାର ଉଚ୍ଛେଦ ପାଇଁ ‘ମୁକ୍ତିର ଯାତ୍ରା’

ଷଷ୍ଠ ଅଜିତ ନାଟ୍ୟ ମହୋତ୍ସବ-୨୦୧୮

ଭୁବନେଶ୍ୱର: ଭାରତ ବର୍ଷରେ ଅନେକ ଯୁଗରୁ ରହିଆସିଛି ବଂଶାନୁକ୍ରମିକ ଗୋତିପ୍ରଥା। କେଉଁ କାଳରୁ ଚାଲି ଆସୁଥିବା ଏହି ଗୋତିଶ୍ରମିକର ପ୍ରଥାକୁ ବନ୍ଦ କରିବା ପାଇଁ ‘ଯାତ୍ରାମୁକ୍ତି’ ନାଟକ ହେଉଛି ଏହାର ଏକ ଅନ୍ତଃସ୍ୱର ସଦୃଶ। ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍‌ ଅଫ ଥିଏଟର(ଅଜିତ) ସଂସ୍ଥା ପକ୍ଷରୁ ଆଜି ଥିଲା ଷଷ୍ଠ ଅଜିତ ନାଟ୍ୟ ମହୋତ୍ସବ-୨୦୧୮ର ଦ୍ୱିତୀୟ ସନ୍ଧ୍ୟା। ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଥିବା ଏହି ନାଟକର ମୁଖ୍ୟ ଆକର୍ଷଣରେ ଥିଲା ଗୋତିଶ୍ରମିକର ପୁତ୍ର ‘କ୍ରିଷ୍ଣା’। ଏଭଳି ଏକ ସମାଜରୁ ନିଜ ପିତାକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ସେ ପ୍ରତିବାଦ କରିଛି। କିନ୍ତୁ ତା ପିତା ନିଜ ଜିଦ୍‌ରେ ଅଟଳ ରହି ପୁଅକୁ ମଧ୍ୟ ଏହି ପ୍ରଥାରେ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। କ୍ରିଷ୍ଣା ବାପାଙ୍କ ନିଷ୍ପତ୍ତିକୁ ଗ୍ରହଣ ନକରି ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛି। ପାଠପଢ଼ିବା ପରେ ବଦଳି ଯାଇଛି ତା’ର ଦୃଷ୍ଟିକୋଣ। ସେ ଶିକ୍ଷିତ ହେବାପରେ ଦେଖିଛି ତା’ର ଉଜ୍ଜଳ ଭବିଷ୍ୟତ ଆଉ ଦୀର୍ଘଦିନ ଧରି ଚାଲିଆସୁଥିବା ଏହି ପ୍ରଥାକୁ ହଟାଇବା ପାଇଁ ଦେଖିଛି ଅନେକ ସ୍ୱପ୍ନ। ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ତା’ର ଏଇ ଯାତ୍ରା ହେଉଛି ‘ମୁକ୍ତିର ଯାତ୍ରା’। ନାଟକର ରଚନା କରିଥିଲେ ରାଜି ସେଠୀ ଓ ନିର୍ଦ୍ଦେଶନା ଦେଇଥିଲେ ସତ୍ୟବ୍ରତ ରାଉତ। ୧ଘଣ୍ଟା ୧୦ମିନିଟ୍‌ ଅବଧି ବିଶିଷ୍ଟ ହିନ୍ଦୀ ଭାଷାର ଏହି ନାଟକରେ ଏକକ ଅଭିନୟ କରିଥିଲେ କହ୍ନେୟାଲାଲ କେଥଓ୍ଵାସ୍‌। ସଙ୍ଗୀତ ନିର୍ଦ୍ଦେଶନା ଓ ସଂଯୋଜନା କରିଥିଲେ ସୁଦୀପ ପ୍ରଧାନ। ଆଜି ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ନ୍ୟାସ୍‌ନାଲ୍‌ ସ୍କୁଲ ଅଫ୍‌ ଡ୍ରାମାର ସଭାପତି ଅର୍ଜୁନ ଦେ ଚରଣ, ବରିଷ୍ଠ ନାଟ୍ୟକାର ବିଜୟ ମିଶ୍ର ଓ ନାଟ୍ୟ ନିର୍ଦ୍ଦେଶକ ଧୀରେନ୍ଦ୍ର ନାଥ ମଲ୍ଲିକ। ଏହି ଅବସରରେ ନାଟ୍ୟ ନିର୍ଦ୍ଦେଶକ ସତ୍ୟବ୍ରତ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଅଜିତ ଦାସ ଉପସ୍ଥିତ ଥିଲେ ଓ ସଭା ପରିଚାଳନା କରିଥିଲେ ଶୁଭ୍ରାଂଶୁ।

ସମ୍ବନ୍ଧିତ ଖବର