ବିଏମ୍ସି, ପୂର୍ତ୍ତ ବିଭାଗର ଅଧିକ
ଇଡ୍କୋ ଡ୍ରେନ୍ରେ କାଁ ଭାଁ ସ୍ଲାବ୍ ପଡ଼ିଛି
ଭୁବନେଶ୍ବର : ରାଜଧାନୀବାସୀଙ୍କୁ ଏବେ ପାଦେପାଦେ ମୃତ୍ୟୁ ଜଗିଛି। ଟିକେ ପାଦ ଖସିଲେ ଅକାଳ ମୃତ୍ୟୁ ଥୟ। ଏହି ମୃତ୍ୟୁର ଯନ୍ତା ହେଉଛି ମୁକୁଳା ଡ୍ରେନ୍। ଯେଉଁଥିରେ ପଡ଼ି ପ୍ରତି ବର୍ଷ ବହୁ ଲୋକ ଖଣ୍ଡିଆ ଖାବରା ହେଉଥିବାବେଳେ ଆଉ କିଛି ଜୀବନଯାକ ପାଇଁ ପଙ୍ଗୁ ହୋଇଯାଉଛନ୍ତି। ସବୁଠୁ ବିଡ଼ମ୍ବନାର ବିଷୟ ସରକାରୀ ହିସାବରେ, ଗତ ୬ଟି ବର୍ଷା ଋତୁରେ ୬ଜଣଙ୍କର ମୁକୁଳା ଡ୍ରେନ୍ରେ ପଡ଼ି ମୃତ୍ୟୁ ହୋଇଛି। ତଥାପି ବି ରାଜଧାନୀରେ ଶହ ଶହ କିଲୋମିଟରର ମୁକୁଳା ଡ୍ରେନ୍ ରହିଛି। ଗତ କିଛି ବର୍ଷ ହେଲା ମୌସୁମୀ ଆସିବା ପୂର୍ବରୁ ବିଭିନ୍ନ ବିଭାଗ ସେମାନଙ୍କ ଡ୍ରେନ୍ ସଫା କରୁଛନ୍ତି। ଫଳରେ ଗତ ଦୁଇ ବର୍ଷ ହେଲା ରାଜଧାନୀରେ ଜଳବନ୍ଦୀ ସମସ୍ୟା ଟିକେ କମିଛି। କିନ୍ତୁ ଯେଉଁ ବିଭାଗ ଅଧୀନରେ ଡ୍ରେନ୍ଗୁଡ଼ିକ ଅଛି ସେମାନେ ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ନେଇ ସେତେଟା ତତ୍ପରତା ଦେଖାଉନାହାନ୍ତି।
ବର୍ଷା ଦିନେ ଅସରାଏ ବଡ଼ ବର୍ଷା ହେଲେ ବା ଲଗାଣ ବର୍ଷା ହେଲେ ଡ୍ରେନ୍ ଓ ରାସ୍ତା ବର୍ଷା ପାଣିରେ ବୁଡ଼ିଯାଏ। କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜଣାପଡ଼େନି। ଫଳରେ ଟିକିଏ ଅସାବଧନତା ଯୋଗୁଁ ଗୋଡ଼ ଡ୍ରେନ୍ ଭିତରକୁ ଖସିଯାଏ। ଗତ ୬ବର୍ଷରେ ଏମିତି ୬ଜଣଙ୍କର ମୃତ୍ୟୁ ହେଲାଣି। ତଥ୍ୟ ଅନୁଯାୟୀ, ୨୦୧୯ରେ ସିଆରପି ଛକ ନିକଟରେ, ୨୦୧୮ରେ ଗଙ୍ଗନଗରରେ, ୨୦୧୭ରେ ନୟାପଲ୍ଲୀ ବେହେରା ସାହିରେ, ୨୦୧୬ରେ ଶୈଳଶ୍ରୀ ବିହାରରେ ଓ ୨୦୧୫ରେ ସେହି ନୟାପଲ୍ଲୀରେ ମମତାଜ୍ ଅଲ୍ଲୀ ହାଇସ୍କୁଲ ନିକଟରେ ମୁକୁଳା ଡ୍ରେନ୍ ନିରୀହ ଲୋକଙ୍କ ଜୀବନ ନେଇଥିଲା। ଏତିକି ମୃତ୍ୟୁ କ’ଣ ଯଥେଷ୍ଟ ନୁହେଁ ସବୁ ମୁକୁଳା ଡ୍ରେନ୍ରେ ସ୍ଲାବ୍ ପକାଇବାକୁ। କିଛି ବର୍ଷ ତଳେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ରାଜ୍ୟରେ କୌଣସି ସ୍ଥାନରେ ମୁକୁଳା ଡ୍ରେନ୍ ରହିବନି। ଏହାପରେ ଅବଶ୍ୟ ପୂର୍ତ୍ତ ବିଭାଗରୁ ଆରମ୍ଭ କରି ବିଏମ୍ସି, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ଯିଏ ଡ୍ରେନ୍ ନିର୍ମାଣ କରୁଛନ୍ତି ସେ ସ୍ଲାବ୍ ସହ ନିର୍ମାଣ କରୁଛନ୍ତି। କିନ୍ତୁ ପୁରୁଣା ଡ୍ରେନ୍ରେ ସ୍ଲାବ୍ ପକାଇବା ନେଇ ଯୋଜନା ହେଉନି। ଯେଉଁଥିପାଇଁ ଯେଉଁ ଯେଉଁ ସ୍ଥାନରେ ମୁକୁଳା ଡ୍ରେନ୍ ଜନିତ ସମସ୍ୟା ଥିଲା ସେଠାରେ ସମାଧାନ ହେଉନି।
ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ପୂର୍ତ୍ତ ବିଭାଗ, ବିଏମ୍ସିର ସବୁଠୁ ଅଧିକ ଡ୍ରେନ୍ ଥିବାବେଳେ ଅଧିକ ମୁକୁଳା ଡ୍ରେନ୍ ଏହି ଦୁଇଟି ବିଭାଗର। ପୂର୍ତ୍ତ ବିଭାଗର ଡ୍ରେନ୍ଗୁଡ଼ିକ ବିଏମ୍ସିର ଡ୍ରେନ୍ ତୁଳନାରେ ବଡ଼। ଏହା ପ୍ରମୁଖ ରାସ୍ତା କଡ଼ରେ ଅଛି। ତେଣୁ ଏଠାରେ ଲୋକ ପଡ଼ିବାର ଅଭିଯୋଗ ଆସେ। ସେହିପରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଡ୍ରେନ୍ରେ ସ୍ଲାବ୍ଗୁଡ଼ିକ ଭାଙ୍ଗିରୁଜି ଯାଇଥିଲେ ବି ଏହାକୁ ବଦଳାଯାଉନି। ଇଡ୍କୋ ଅଧୀନରେ ପ୍ରାୟ ୧୫ରୁ ୨୦କିମିର ଡ୍ରେନ୍ ଥିଲେ ହେଁ ଅଧାରୁ ଅଧିକ ଡ୍ରେନ୍ରେ ସ୍ଲାବ୍ ପଡ଼ିନି। ଏହି ଡ୍ରେନ୍ ନେଇ କିଛି ସମସ୍ୟା ହୋଇନଥିଲେ ହେଁ କେତେବେଳେ କ’ଣ ହେବ କହିହେବନି। ଅପରପକ୍ଷେ ରାଜଧାନୀରେ ବିଏମ୍ସିର ପ୍ରାୟ ୧୬୫୭କିମି ରାସ୍ତା ଥିବା ବେଳେ ପ୍ରାୟ ୪୦୦କିମିର ଡ୍ରେନ୍ ହୋଇଛି। ଯେଉଁଥିରୁ ପ୍ରାୟ ୨୦୦କିମି ଡ୍ରେନ୍ ମୁକୁଳା ପଡ଼ିଛି। ଏପରିକି ୧୦ଟି ଯାକ ମୁଖ୍ୟ ଡ୍ରେନ୍ ମଧ୍ୟରୁ କିଛି ଡ୍ରେନ୍ ଜନବସତି ଦେଇ ଯାଇଥିଲେ ହେଁ ଏଥିରେ ସ୍ଲାବ୍ ପଡ଼ୁନଥିବାରୁ ନିୟମିତ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।