ଭୁବନେଶ୍ୱର: ଭାଷାଭିତ୍ତିକ ଓଡ଼ିଶା ଗଠନ ତଥା ଓଡ଼ିଆ ଭାଷା ଆନ୍ଦୋଳନକୁ ଏକଦା ଶକ୍ତି ଦେଇଥିବା ପତ୍ରିକା ‘ମୁକୁର’ ସ୍ମୃତିକୁ ଆଧାର କରି ପ୍ରକାଶ ପାଇଛି ‘ଓଡ଼ିଆ ସାହିତ୍ୟର ମୁକୁର’। କଟକ ସିଡିଏର ଲୋକେ ଏକାଠି ହୋଇ ଏହି ସାହିତ୍ୟ ପତ୍ରିକା ପ୍ରକାଶନ କରିଛନ୍ତି। ପ୍ରଥମ ସଂଖ୍ୟାକୁ ଉନ୍ମୋଚନ କରି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ‘ମୁକୁର’କୁ ଏକ ପ୍ରବାହ ବୋଲି କହିଛନ୍ତି। ପୁନଃପ୍ରକାଶନର ଆବଶ୍ୟକତା ଅନେକ ଥିଲା ଏବଂ ଓଡ଼ିଆ ସାହିତ୍ୟ ପାଇଁ ଏହା ଏକ ପ୍ରବାହ ସାଜିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଗୌରହରି ଦାସ ଯୋଗ ଦେଇ ‘ମୁକୁର’ ଏକ ସମ୍ଭାବନା ମଞ୍ଚ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ସଦ୍ୟ ପ୍ରକାଶିତ ‘ଓଡ଼ିଆ ସାହିତ୍ୟର ମୁକୁର’ ଷାଣ୍ମାସିକ ଭାବେ ପ୍ରକାଶ ପାଇବ ଏବଂ ଓଡ଼ିଆ ସାହିତ୍ୟର କିଂବଦନ୍ତିଙ୍କ ଲେଖନୀକୁ ପୁଣିଥରେ ପାଠକଙ୍କ ସାମ୍ନାକୁ ଆଣିବାକୁ ପ୍ରୟାସ କରିବ ବୋଲି କହିଥିଲେ ସମ୍ପାଦକ ଗୌତମ ସିଦ୍ଦିକ୍। ଆଜିକୁ ୯୫ ବର୍ଷ ତଳେ ବ୍ରଜସୁନ୍ଦର ଦାସଙ୍କ ଦ୍ୱାରା ପ୍ରକାଶିତ ‘ମୁକୁର’ର ପ୍ରକାଶନକୁ ବନ୍ଦ କରିଦିଆଯାଇଥିଲା। ୧୯୦୪ ମସିହାରୁ ୧୯୩୦ ଯାଏ ଏହି ପତ୍ରିକା ଓଡ଼ିଶାର ପୁରପଲ୍ଲୀ ତଥା ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଭାବ ପକାଇଥିଲା। ଏହାରି ପଦାଙ୍କ ଅନୁସରଣ କରି ‘ଓଡ଼ିଆ ସାହିତ୍ୟର ମୁକୁର’କୁ କଳ୍ପନା କରାଯାଇଥିବା ଶ୍ରୀ ସିଦ୍ଦିକ୍ କହିଥିଲେ। ‘ଓଡ଼ିଆ ସାହିତ୍ୟର ମୁକୁର’ର ଏହି ସଂସ୍କରଣରେ ୨୬ ଜଣ ଲେଖକଙ୍କ ଲେଖା ସ୍ଥାନପାଇଛି। ଏହି ଉନ୍ମୋଚନ ଉତ୍ସବରେ ପ୍ରଫେସର ଅକ୍ଷୟ ଦାସ ସଭାପତିତ୍ୱ କରିଥିଲେ। ଛବିରାଣୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।