ସାହିତ୍ୟରେ ଆବେଗ ରହୁ
ଭୁବନେଶ୍ୱର: ମେଘ ସହିତ ଯେପରି ସବୁଜିମାର ସମ୍ପର୍କ ରହିଛି, ଆବେଗ ସହିତ ସାହିତ୍ୟର ସେହିଭଳି ସମ୍ପର୍କ ରହିଛି। ସାହିତ୍ୟ ଅକାଦେମି ପକ୍ଷରୁ ରୋଟାରି ଭବନରେ ଆୟୋଜିତ ‘ମୁଲାକାତ’ ଓ ‘ପ୍ରବାସୀ ମଞ୍ଚ’ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଭଳି କହିଛନ୍ତି ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଗୌରହରି ଦାସ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ‘ମୁଲାକାତ’ରେ ସେ ଉପସ୍ଥିତ ଯୁବ ଲେଖକ ତଥା ଲେଖିକାମାନଙ୍କୁ ସାହିତ୍ୟରେ ଆବେଗ ରଖିବାକୁ ପରାମର୍ଶ ଦେଇଥିଲେ।

Advertisment

ଏହି ଅବସରରେ ନିମନ୍ତ୍ରିତ ୪ଜଣ ଉଦୀୟମାନ ଯୁବ ଲେଖକ ଓ ଲେଖିକା ନିଜ ସ୍ୱରଚିତ କ୍ଷୁଦ୍ରଗଳ୍ପ ଓ କବିତା ପାଠ କରିଥିଲେ। ମନୀଷା ବିଶ୍ୱାଳ ତାଙ୍କ କବିତା ‘ପ୍ରେମ କବିତା’, ଶଶାଙ୍କ ପ୍ରିୟସଖା କ୍ଷୁଦ୍ରଗଳ୍ପ ‘କେବେ ମଙ୍ଗଳ କେବେ ଜହ୍ନ’, ସୁପ୍ରିୟା ପଣ୍ଡା କ୍ଷୁଦ୍ରଗଳ୍ପ ‘ଅଭିମାନ’ ଓ ତୃପ୍ତିରଞ୍ଜନ ଦାସ କବିତା ‘ପ୍ରବାସ’ ପାଠ କରିଥିଲେ। ଉପସ୍ଥିତ ଶ୍ରୋତା ଏଗୁଡ଼ିକୁ ଉପଭୋଗ କରିବା ସହିତ ପ୍ରଶଂସା କରିଥିଲେ। ଏହି ଅବସରରେ ଅକାଦେମି ପକ୍ଷରୁ ସ୍ବର୍ଗତଃ କବି ସୁନିଲ କୁମାର ପୃଷ୍ଟିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ବହି ହଜେଇବାଠୁ ବଡ଼ ପାପ ନାହିଁ
ସେହିପରି ଦ୍ୱିତୀୟ ପର୍ଯ୍ୟାୟର ଶୀର୍ଷକ ଥିଲା ‘ପ୍ରବାସୀ ମଞ୍ଚ’। ଏଥିରେ ବକ୍ତାଭାବେ ଯୋଗ ଦେଇଥିଲେ ପ୍ରବାସୀ ଓଡ଼ିଆ ଲେଖକ ତଥା ପ୍ରକାଶକ ସତ୍ୟ ପଟ୍ଟନାୟକ। ସେ ନିଜ ବକ୍ତବ୍ୟରେ କହିଥିଲେ, ବହି ହଜେଇ ଦେବାଠାରୁ ବଡ଼ ପାପ ଦୁନିଆରେ ଆଉ କିଛି ନାହିଁ। କାରଣ କେଉଁ ବହି କେତେବେଳେ କେଉଁ କାମରେ ଲାଗିଯିବ, କହିହେବ ନାହିଁ। ସେ ଆହୁରି କହିଥିଲେ, ପାଠକ ସୃଷ୍ଟିହେବା ଏକାନ୍ତ ଆବଶ୍ୟକ। ଅନୁବାଦକମାନେ ଯେକୌଣସି ବହି ଅନୁବାଦ କରିବା ପୂର୍ବରୁ ତାହାର ଉପଯୁକ୍ତ ‌ଗବେଷଣା କରିବା ଏକାନ୍ତ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହିତ ନୋବେଲ ପୁରସ୍କାର ତଥା ଅନ୍ୟାନ୍ୟ ପୁରସ୍କାରର ଜଟିଳତାକୁ ବୁଝାଇବା ସହିତ ଓଡ଼ିଆ ପାଠକ ଓ ଲେଖକଙ୍କ ସଂଖ୍ୟା ବୃଦ୍ଧି ଦିଗରେ କାମ କରିବାପାଇଁ ଏକ ମିଳିତ ସଂଗଠନର ଆଶ୍ୟକତା ରହିଛି ବୋଲି କହିଥିଲେ। ସାହିତ୍ୟିକମାନେ ନିଜ ବହି ପ୍ରକାଶନ ସମୟରେ ନିଜ ଆବଶ୍ୟକତା ଓ ପ୍ରକାଶନୀ ସଂସ୍ଥାର ଦକ୍ଷତା ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ପବିତ୍ର ମୋହନ କର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଭୟ ପର୍ଯ୍ୟାୟରେ ବହୁ ସଂଖ୍ୟାରେ ବିଶିଷ୍ଟ ଲେଖକ, ଭାଷାବିତ୍‌ ଓ ସାହିତ୍ୟ ଅନୁରାଗୀ ଶ୍ରୋତା ଭାବେ ଉପସ୍ଥିତ ଥିଲେ।