ସ୍ମାର୍ଟ ସିଟି ଯାତନା-୨: ବହୁତଳ କାର୍‌ ପାର୍କିଂ କେବେ?

ବର୍ଷକର ପ୍ରକଳ୍ପ ତିନି ବର୍ଷରେ ବି ସରିଲାନି

ଭୁବନେଶ୍ବର: ସ୍ମାର୍ଟ ଜନପଥ ପ୍ରକଳ୍ପରେ ଜନପଥ ୬ଥାକିଆରୁ ୪ଥାକିଆ ହୋଇଗଲା। ପୂର୍ବରୁ ଯେଉଁ ଲେନ୍‌ରେ ଗାଡ଼ି ଯାତାୟତ କରିପାରୁଥିଲା ଓ ପାର୍କିଂ ସୁବିଧା ଥିଲା ଏବେ ସେଠାରେ କେବଳ ପାର୍କିଂ ସୁବିଧା କରାଗଲା। ରାସ୍ତାର ଓସାର କମାଇ ୟୁଟିଲିଟି କରିଡର୍‌ ଓ ବାଇସାଇକେଲ୍‌ ଟ୍ରାକ୍‌ କରିଦିଆଯାଇଛି। କେବଳ ଜନପଥ ନୁହେଁ; ସବୁଠୁ ବ୍ୟସ୍ତ ବହୁଳ ଏବଂ ଅଧିକ ଗାଡ଼ି ଯାତାୟତ କରୁଥିବା ରାଜମହଲ ଏବଂ ଏହା ନିକଟବର୍ତ୍ତୀ ଅଞ୍ଚଳରେ ରାସ୍ତା ଉପରେ ଗାଡ଼ି ପାର୍କିଂ ହେଉଥିବାରୁ ଅସମ୍ଭାଳ ଭିଡ଼ ଜମୁଛି। ଅଧା ରାସ୍ତା ପାର୍କିଂରେ ପଳାଉଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି। ଏପରିକି ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ପ୍ରାୟ ୮୦୦ମିଟର ରାସ୍ତା ଅତିକ୍ରମ କରିବାକୁ ଅଧିକାଂଶ ସମୟରେ ୧୫ରୁ ୨୫ମିନିଟ ଲାଗିଯାଉଛି।

ଏହି ସମସ୍ୟା ଏବେକାର ନୁହେଁ। ପ୍ରାୟ ୧୦ ବର୍ଷ ହେଲା ଲାଗି ରହିଛି। ଏହାର ସମାଧାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ରାଜଧାନୀରେ ଦୁଇଟି ବହୁତଳ କାର୍‌ ପାର୍କିଂର ଯୋଜନା କରାଯାଇଥିଲା। ସହିଦନଗର ବହୁତଳ କାର୍‌ ପାର୍କିଂ ଓ ରାଜମହଲ ବହୁତଳ କାର୍‌ ପାର୍କିଂ ନାଁରେ ଦୁଇଟି ପାର୍କିଂସ୍ଥଳୀ ନିର୍ମାଣ କରାଯାଉଛି। ହେଲେ ୨୦୧୯ ସୁଦ୍ଧା ଦୁଇଟି ପ୍ରକଳ୍ପ ଶେଷ ହେବାକୁ ଥିଲେ ହେଁ ଧାର୍ଯ୍ୟ ସମୟର ଦୁଇ ବର୍ଷ ପରେ ବି ଏହି ପ୍ରକଳ୍ପର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିନି।

ବହୁତଳ କାର୍‌ ପାର୍କିଂସ୍ଥଳୀ ଯେପରି ପାର୍କିଂ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ ସେନେଇ ବି ଲମ୍ବା ଚଉଡ଼ା ଯୋଜନା ହୋଇଛି। ଯେଉଁଠି ପାର୍କିଂସ୍ଥଳୀ ନିର୍ମାଣ ହୋଇପାରୁନି ସେଠାରେ ବ୍ୟବସାୟିକ ଉଦ୍ଦେଶ୍ୟରେ କିପରି ଏହା ବ୍ୟବହାର ହେବ ସେ କଥା କିଏ ଚିନ୍ତା କରୁଛି?
ପୂରା ରାଜଧାନୀରେ ପାର୍କିଂ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡ଼ିଥିବାବେଳେ ଏହାକୁ ସଜାଡ଼ିବାକୁ ଯେପରି କାହାର ଅାଗ୍ରହ ନାହିଁ। ଜନପଥ ଏବଂ ବିଭିନ୍ନ ରାସ୍ତା କଡ଼ରେ ଥିବା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବିଡିଏର ବିଲ୍‌ଡିଂ ଆଣ୍ଡ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ପାର୍କିଂ ଅଞ୍ଚଳ ଛାଡ଼ିନାହାନ୍ତି। ବିଡିଏ ଓ ବିଏମ୍‌ସି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅନଷ୍ଟ୍ରିଟ୍ ପାର୍କିଂ କରାଉଛନ୍ତି। ଯାହାର ଦୁର୍ଦ୍ଦଶା ରାଜଧାନୀବାସୀ ଭୋଗୁଛନ୍ତି।

ସହିଦନଗର ବହୁତଳ କାର୍‌ ପାର୍କିଂସ୍ଥଳୀ, ରାଜମହଲ ବହୁତଳ ପାର୍କିଂସ୍ଥଳୀ

ସହିଦନଗର, ରୁପାଲି ଆଦି ଅଞ୍ଚଳରେ ଯେପରି ପାର୍କିଂ ସମସ୍ୟା ରହିବନି ସେଥିପାଇଁ ସହିଦନଗରରେ ଥିବା ନନ୍ଦନକାନନ ଅଫିସ୍‌ ନିକଟରେ ୦.୭୩୪ଏକର ଜମିରେ ଏକ ବହୁତଳ କାର୍‌ ପାର୍କିଂସ୍ଥଳୀ ନିର୍ମାଣ ହେଉଛି। ନଭେମ୍ବର, ୨୦୧୭ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ବର୍ଷକରେ ଅର୍ଥାତ୍‌ ନଭେମ୍ବର, ୨୦୧୮ରେ ଶେଷ ହୋଇଥାନ୍ତା। ହେଲେ ଧାର୍ଯ୍ୟ ସମୟ ପରେ ଦୁଇବର୍ଷ ବିତିଗଲାଣି। ୧୨ ମାସରେ ସରିବାକୁ ଥିବା ପ୍ରକଳ୍ପ ୩୭ମାସ ଅତିକ୍ରମ କରିସାରିଲାଣି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ଆସନ୍ତା ମେ ମାସରେ ସରିବ। ଏବେ ୮୦% ସରିଛି। ବାକି କାମ ତୁରନ୍ତ ଶେଷ କରିବାକୁ ଏହାର ନିର୍ମାଣକାରୀ ସଂସ୍ଥା ‘ଏମ୍‌.ଏସ୍‌ ବଦ୍ରି ରାୟ ଆଣ୍ଡ କୋ’କୁ କୁହାଯାଇଛି। ବିଏସ୍‌ସିଏଲ୍‌ର ଯୋଜନା ଅନୁଯାୟୀ, ସହିଦନଗରରେ ୦.୭୩୪ ଏକର ଅଞ୍ଚଳରେ ୭ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ହେବ। ବେସ୍‌ମେଣ୍ଟରେ ଅର୍ଥାତ୍ ‌ମାଟି ତଳେ ଦୁଇଟି ମହଲା ରହିବ ଓ ଉପରେ ୫ଟି ମହଲା ରହିବ। ବେସ୍‌ମେଣ୍ଟର ଦୁଇ ମହଲା ଏବଂ ଗ୍ରାଉଣ୍ଡଫ୍ଲୋର୍‌ରେ ୨୫୦ଟି କାର୍‌ ପାର୍କିଂ ବ୍ୟବସ୍ଥା ରହିବ। ବାକି ୪ମହଲା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ। ଏଠାରେ ବିଭିନ୍ନ ଅଫିସ୍‌, ଦୋକାନ ଓ ରେସ୍ତୋରାଁ ପାଇଁ ସ୍ଥାନ ରହିବ। ପ୍ରାୟ ୩୮ହଜାର ବର୍ଗଫୁଟର ଅଞ୍ଚଳ ଏଥିପାଇଁ ରହିବ। ଏହାକୁ ଭଡ଼ା ସୂତ୍ରରେ ଦିଆଯିବ କିମ୍ବା ବିକ୍ରି କରାଯିବ।

ୟୁନିଟ-୧ ହାଟ, ୟୁନିଟ-୨ ମାର୍କେଟ୍ ବିଲଡିଂ ଅଞ୍ଚଳର ପାର୍କିଂ ସମସ୍ୟାର ସମାଧାନ ପାଇଁ ଏଜିରୁ ରାଜମହଲ ଛକ ମଝିରେ ଏହି ବହୁତଳ ପାର୍କିଂସ୍ଥଳୀ ନିର୍ମାଣ ହେଉଛି। ଏଠାରେ ବି ସହିଦନଗର ବହୁତଳ ପାର୍କିଂସ୍ଥଳୀ ବି ସୁବିଧା ରହିବ। କିନ୍ତୁ ଏଠାରେ ୪୫୦ଟି କାର୍‌ ପାର୍କିଂ ବ୍ୟବସ୍ଥା ରହିବ। ଏକ ଏକରରୁ ଅଧିକ ଜାଗାରେ ନିର୍ମାଣ ହେଉଥିବା ଏହି ପାର୍କିଂସ୍ଥଳୀ ୭ମହଲା ବିଶିଷ୍ଟ ହେବ। ବେସ୍‌ମେଣ୍ଟର ଦୁଇ ମହଲା ଓ ଗ୍ରାଉଣ୍ଡଫ୍ଲୋରରେ ୪୫୦ଟି କାର୍‌ ପାର୍କିଂ ବ୍ୟବସ୍ଥା ରହିବ। ଏହାବାଦ୍‌ ବିଭିନ୍ନ ବ୍ୟବସାୟିକ ବ୍ୟବହାର ପାଇଁ ୫୭ହଜାର ବର୍ଗଫୁଟ ଅଞ୍ଚଳ ରହିବ। ଏଠାରେ ଦୋକାନ, ଅଫିସ୍‌, ରେସ୍ତୋରାଁ, କାଫେଟେରିଆ ପାଇଁ ସ୍ବତନ୍ତ୍ର ଜାଗା ରହିବ। ସହିଦନଗରରେ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ କରୁଥିବା ସଂସ୍ଥା ବି ଏହାକୁ ନିର୍ମାଣ କରୁଛି। ସେଠାରେ ଯେପରି ବିଳମ୍ବ କରୁଛି ଏଠାରେ ବି ସେମିତି ବିଳମ୍ବ ହୋଇଚାଲିଛି। ନଭେମ୍ବର, ୨୦୧୭ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଏପ୍ରିଲ, ୨୦୧୯ରେ ସରିବାର ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ମାତ୍ର ୭୦% ଶେଷ ହୋଇଛି। ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ। କରୋନା କଟକଣା, ବାତ୍ୟା ଫନି ପାଇଁ ଏହାର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ଏବେ ଧାର୍ଯ୍ୟ ସମୟରେ ସରିବ।
ସହିଦନଗର ଓ ରାଜମହଲ ବହୁତଳ କାର୍‌ ପାର୍କିଂସ୍ଥଳୀରେ ସ୍ମାର୍ଟ ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବ। ପାର୍କିଂସ୍ଥଳୀକୁ ଆସିବା ପୂର୍ବରୁ ଲୋକ ପାର୍କିଂ ଅଞ୍ଚଳ ଫାଙ୍କା ଅଛି କି ନାହିଁ ଜାଣିବା ସହ ଆଗୁଆ ସ୍ଲଟ୍‌ ବୁକିଂ କରିପାରିବେ। ପୂରା ଅତ୍ୟାଧୁନିକ ପାର୍କିଂ ସୁବିଧା ଏଠାରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର