ବିହାରୀଲାଲ୍‌ ଷ୍ଟାଡିୟମ୍‌ରେ ମଲ୍ଟି ପର୍‌ପଜ୍‌ ହଲ୍‌ କାମ ବନ୍ଦ

ଭୁବନେଶ୍ୱର : ପୋଖରୀପୁଟ ଖେଳ ପଡ଼ିଆ(ବିହାରୀଲାଲ୍‌ ଷ୍ଟାଡିୟମ) ପରିସରରେ ନିର୍ମାଣାଧୀନ ମଲ୍ଟି ପର୍‌ପଜ୍‌ ହଲ(ଏମ୍‌ପିଏଚ୍‌) ପ୍ରକଳ୍ପକୁ ଝଟ୍‌କା ଲାଗିଛି। ଗଛକଟାକୁ ନେଇ ଅନେକ ବାଦବିବାଦ ସତ୍ତ୍ବେ ନିର୍ମାଣ ଚାଲିଥିଲେ ମଧ୍ୟ କୋର୍ଟରେ ମାମଲା ଥିବାରୁ କାମ ବନ୍ଦ କରିବାକୁ ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ(ରାସ୍ତା ଓ ଗୃହ ବିଭାଜନ), ମୁଖ୍ୟ ନିର୍ମାଣ ଯନ୍ତ୍ରୀ( କେନ୍ଦ୍ରୀୟ ରାସ୍ତା ଓ ଗୃହ ବିଭାଜନ)ଙ୍କୁ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମ୍ପୃକ୍ତ ଠିକାଦାରଙ୍କୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ନିର୍ମାଣ କାମ ବନ୍ଦ ହୋଇ ଯାଇଛି।

ଅଧୀକ୍ଷଣ ଯନ୍ତ୍ରୀ ଲେଖିଥିବା ଚିଠି ମୁତାବକ, ବିହାରୀଲାଲ୍‌ ସ୍ପୋର୍ଟସ ଟ୍ର‌ଷ୍ଟ ସଭାପତି ଅକ୍ଷୟ ଜେନା ଅଭିଯୋଗ କରିଛନ୍ତି କି ଏହି ନିର୍ମାଣକୁ ନେଇ ଏକ ମାମଲା ଅତିରିକ୍ତ ଡିସିପିଙ୍କ କୋର୍ଟରେ ବିଚାରାଧୀନ ରହିଛି। ଏଣୁ ଏଠାରେ ଏହି ପ୍ରକଳ୍ପ ନିର୍ମାଣ ନ କରି ଅର୍ଥକୁ ଫେରାଇ ନିଆଯାଉ ଓ ଏଠାରେ କାମ ବନ୍ଦ କରାଯାଉ। ତାଙ୍କ ଅଭିଯୋଗ ଓ ଅତିରିକ୍ତ ଡିସିପିଙ୍କ କୋର୍ଟରେ ଥିବା ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ଅଧୀକ୍ଷଣ ଯନ୍ତ୍ରୀ କାମ ବନ୍ଦ କରିବାକୁ ଆଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ପୋଖରୀପୁଟ୍‌ ମୌଜା ପ୍ଲଟ୍‌ ନମ୍ବର ୪୦୧, ୫୮୪, ୫୮୫, ୫୮୭, ୫୮୮, ୫୮୯ରେ ଏହି ଖେଳ ପଡ଼ିଆ ରହିଛି। ବିହାରୀଲାଲ୍‌ ଜେନା ନାମକ ଜଣେ ସ୍ଥାନୀୟ ‌ବ୍ୟକ୍ତି ଏହି ଖେଳ ପଡ଼ିଆର ଯତ୍ନ ନେଉଥିବାରୁ ତାଙ୍କ ମୃତ୍ୟୁ ପରେ ଏହା ‘ବିହାରୀଲାଲ୍‌ ଷ୍ଟାଡିୟମ’ ନାଁରେ ପରିଚିତି ଲାଭ କରିଥିଲା। ତାଙ୍କ ମୃତ୍ୟୁ ପରେ ବିହାରୀଲାଲ୍‌ ଟ୍ରଷ୍ଟ ଏଠାରେ ବିଭିନ୍ନ କ୍ରୀଡ଼ା ଆୟୋଜନ କରୁଥିଲା। ଇତିମଧ୍ୟରେ କ୍ରୀଡ଼ା ବିଭାଗ ୬ କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଜରିଆରେ ମଲ୍ଟି ପର୍‌ପଜ୍‌ ହଲ ନିର୍ମାଣ ଆରମ୍ଭ କରିଥିଲା। ସେଥିପାଇଁ ଏଠାରୁ ଶହ ଶହ ଗଛ କଟା ଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଡିଏ ତିଆରି କରିଥିବା ପାଚେରି ମଧ୍ୟ ଭାଙ୍ଗି ଦିଆଯାଇଥିଲା। ଏହାକୁ ନେଇ ଟ୍ରଷ୍ଟ କୋର୍ଟ ଯାଇଥିଲା। ଅଭିଯୋଗର ତଦନ୍ତ କରି ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ଅତିରିକ୍ତ ଡିସିପିଙ୍କ କୋର୍ଟ ଏୟାରପୋର୍ଟ ଥାନାକୁ ଆଦେଶ ଦେବା ସହ ଘଟଣାସ୍ଥଳରେ ଶାନ୍ତି ବଜାୟ ରଖିବା ପାଇଁ ଆଦେଶ ଦେଇଥିଲେ। ହେଲେ ଥାନା ରିପୋର୍ଟ ଦେଲା ନାହିଁ କିମ୍ବା ଏଠାରେ ଶାନ୍ତି ବଜାୟ ରଖିବାକୁ ଉଦ୍ୟମ କଲା ନାହିଁ। ଫଳରେ ସେଠାରେ ଗଛକଟା ଓ ପାଚେରି ଭଙ୍ଗାକୁ ନେଇ ଉତ୍ତେଜନା ଲାଗି ରହିଥିଲା। ଏବେ କାମ ବନ୍ଦ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

ସମ୍ବନ୍ଧିତ ଖବର