ଭୁବନେଶ୍ବର: ହଠାତ୍ ଏକ ଅଜଣା ନମ୍ବରରୁ ଭିଡିଓ କଲ୍ ଆସିଲା। ଫୋନ୍ ଉଠାଇବାରୁ ମାତ୍ର ୧ ସେକେଣ୍ଡ୍ ମଧ୍ୟରେ ଫୋନ୍ କଟିଗଲା। କିଛି ସମୟ ପରେ ଆଉ ଏକ ନମ୍ବରରୁ ଭିଡିଓ କଲ୍ ଆସିଲା। ଭିଡିଓ କଲ୍ରେ ପୁଲିସ ପୋଷାକ ପିନ୍ଧିଥିବା ଜଣେ ଯୁବକ ନିଜକୁ ଦିଲ୍ଲୀ ପୁଲିସର ପରିଚୟ ଦେଇଥିଲା। ତାଙ୍କର କିଛି ଫଟୋ ଭାଇରାଲ୍ ହେଉଛି, ୬୫ହଜାର ଟଙ୍କା ଦେଇ ମାମଲା ରଫାଦଫା କରିବାକୁ କହିଥିଲା। ଟଙ୍କା ନ ଦେଲେ ପୁଲିସ ତା’ କାମ କରିବ ବୋଲି ଧମକାଇଥିଲା। ଏଭଳି ଅଭିନବ ଉପାୟରେ ବହୁରୂପୀ ସାଇବର ଠକ ଜଣେ ବିଟେକ୍ ଛାତ୍ର ଓ ଜଣେ ଯୁବକଙ୍କୁ ଠକିବାକୁ ଉଦ୍ୟମ କରିଛି। ଏନେଇ ବିଟେକ୍ ଛାତ୍ର ପ୍ରତୀକ ଶର୍ମା ଓ ଯୁବକ ଅବିନାଶ କର ଭୁବନେଶ୍ବର ଅର୍ଥନୈତିକ ଓ ସାଇବର ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି।
ପ୍ରତୀକଙ୍କ ଅଭିଯୋଗ ଅନୁସାରେ, କିଛିଦିନ ତଳେ ଫେସବୁକ୍ରେ ତାଙ୍କୁ ସୁନିତା ଶର୍ମା ନାଁରେ ଜଣେ ଯୁବତୀ ମେସେଜ୍ ପଠାଇଥିଲେ। ଏହା ପରେ ଚାଟିଂରେ ସେ ସୁନିତାଙ୍କୁ ତାଙ୍କ ନମ୍ବର ଦେଇଥିଲେ। ପରେ ଅଜଣା ନମ୍ବରରୁ ଫୋନ୍ କରି ତାଙ୍କ ମୁହଁର ଫଟୋ ଉଠାଇ ସାଇବର ଠକ ତାଙ୍କୁ ବ୍ଲାକମେଲ୍ କରିଥିଲା। ଏପରିକି ଟଙ୍କା ନଦେଲେ ଦିଲ୍ଲୀ ପୁଲିସର ଧମକ ଦେଖାଇ ଗିରଫ କରିବ ବୋଲି କହିଥିଲା। ସେହିଭଳି ଅବିନାଶଙ୍କ ଘଟଣାରେ ମଧ୍ୟ ସମାନ ଢଙ୍ଗରେ ସାଇବର ଠକ ଆରତି ଶର୍ମା ନାଁରେ ଚାଟିଂ କରି ତାଙ୍କୁ ଫଟୋ ନେଇଥିଲା। ପରେ ମୁମ୍ବାଇ ପୁଲିସର ଭୟ ଦେଖାଇ ୫ହଜାର ଟଙ୍କା ଦାବି କରିଥିଲା। ଏହା ସାଇବର ଠକେଇ ବୋଲି ଉଭୟ ଅବଗତ ଥିବାରୁ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପ୍ରାୟ ୬ଟି ଭିନ୍ନ ନମ୍ବରରୁ ସାଇବର ଠକ ଉଭୟଙ୍କୁ ବ୍ଲାକମେଲ୍ କରି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି। ଅପରପକ୍ଷରେ ଭୁବନେଶ୍ବର ସାଇବର ଥାନା ପୁଲିସ ଅଭିଯୋଗ ପାଇ ମାମଲାର ତଦନ୍ତ ଆରମ୍ଭ କରିଛି। ସାଇବର ଠକ ଫୋନ୍ କରିଥିବା ନମ୍ବରଗୁଡ଼ିକୁ ବ୍ଲକ୍ କରିବା ସହିତ ଟଙ୍କା ନଦେବାକୁ ଅଭିଯୋଗକାରୀଙ୍କୁ ପରାମର୍ଶ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/42-11.jpg)