ନିର୍ବାଚନ ମଇଦାନରେ ଏକାଧିକ କୋଟିପତି ପ୍ରାର୍ଥୀ

ଭୁବନେଶ୍ବର : ନିର୍ବାଚନ ମଇଦାନରେ ଓହ୍ଲାଇବାକୁ ଯାଉଛନ୍ତି ତିନି ଜଣ କୋଟିପତି ମେୟର ପ୍ରାର୍ଥୀ। ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଏହି ତଥ୍ୟ ମିଳିଛି। ଠିକ୍‌ ସେହିଭଳି ୩୪୨ କର୍ପୋରେଟର ପ୍ରାର୍ଥୀଙ୍କ ମଧ୍ୟରୁ ଏକାଧିକ କୋଟିପତି ଅଛନ୍ତି। ବିଜେଡିରୁ ସର୍ବାଧିକ କୋଟିପତି ଥିଲା ବେଳେ କୋଟିପତି ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

୩ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ପ୍ରାର୍ଥୀ ଜୟନ୍ତୀ ଜେନା ସବୁଠୁ ଧନୀ। ତାଙ୍କର ୮କୋଟି ୩୫ ଲକ୍ଷ ୩୮ ହଜାର ଟଙ୍କାର ସମ୍ପତ୍ତି ଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୭ କୋଟି ୭୦ ଲକ୍ଷ ଟଙ୍କାର ଜମି ଓ ଘର ରହିଥିବା ବେଳେ ୧ କୋଟି ୨୫ ଲକ୍ଷ ୩୮ ହଜାର ଟଙ୍କାର ବ୍ୟାଙ୍କ୍‌ ଜମା ରହିଛି।

୩୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥୀ ଶ୍ରୀଧର ଜେନାଙ୍କର ସମ୍ପତ୍ତି ୫ କୋଟିରୁ ବେଶି। ତାଙ୍କ ନାମରେ ବ୍ୟାଙ୍କ୍‌ ଜମା, ବିମା ପଲିସି, ବଣ୍ଡ୍‌ ପ୍ରଭୃତିର ମୂଲ୍ୟ ୧ କୋଟି ୫୦ ଲକ୍ଷ ୯୦ ହଜାର ୮୮୭ ଓ ପତ୍ନୀ ସୁଷମାଙ୍କର ୧୧ଲକ୍ଷ ୩୨ ହଜାର ୪୭୭ ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି। ସେହିଭଳି ତାଙ୍କ ନାମରେ ଜମିବାଡ଼ି ଭଳି ଅସ୍ଥାବର ସମ୍ପତ୍ତି ୨ ‌କୋଟି ୯୭ ଲକ୍ଷ ୯୫ ହଜାର ଓ ପତ୍ନୀଙ୍କ ନାମରେ ୨ କୋଟି ୩୩ ଲକ୍ଷ ୩୦ ହଜାର ଟଙ୍କାର ରହିଥିବା ସେ ଦର୍ଶାଇଛନ୍ତି।

ବିଜେଡିର ୨୪ ନମ୍ବର ୱାର୍ଡର ପ୍ରାର୍ଥୀ ପ୍ରତାପ କିଶୋର ସାହୁ ମଧ୍ୟ କୋଟି ପତି। ବ୍ୟାଙ୍କ ଜମା ସହ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ହିସାବକୁ ନେଲେ ତାଙ୍କର ସମ୍ପତ୍ତିର ମୂଲ୍ୟ ୧କୋଟି ୧୧ ଲକ୍ଷ ୫୫ ହଜାର ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ବ୍ୟାଙ୍କ୍‌ ଜମା ସହ ଅନ୍ୟାନ୍ୟ ପଲିସି ବାବଦକୁ ସମ୍ପତ୍ତି ୨୫ ଲକ୍ଷ ୫୫ ହଜାର ଦର୍ଶାଯାଇଥିବା ବେଳେ ଜମି ଓ ଘର ବାବଦକୁ ୮୫ ଲକ୍ଷ ଦର୍ଶାଯାଇଛି।

ବିଜେଡିରୁ ୯ ନମ୍ବର ୱାର୍ଡରୁ ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟକାନ୍ତୀ ଜେନା ମଧ୍ୟ ତାଙ୍କର ସମ୍ପତ୍ତି କୋଟିଏରୁ ଊର୍ଦ୍ଧ୍ବ ଦର୍ଶାଇଛନ୍ତି। ବ୍ୟାଙ୍କ୍‌ ଜମା, ସୁନା ଗହଣା, ଗାଡ଼ି ଓ ଅନ୍ୟାନ୍ୟ ପଲସି ମୂଲ୍ୟ ପ୍ରାୟ ୩୦ ଲକ୍ଷ ଆକଳନ କରାଯାଇଥିବା ବେଳେ ଜୟଦେବ ବିହାରରେ ଜମି ଓ ଘରର ମୂଲ୍ୟ ୧ କୋଟି ଦର୍ଶାଯାଇଛି।

୬୦ ନମ୍ବର ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କ ସମ୍ପତ୍ତି କୋଟିଏ ଟଙ୍କାରୁ ଅଧିକ। ତାଙ୍କ ପାଖରେ ବ୍ୟାଙ୍କ ଜମା ସହ ସୁନା ଗହଣା ୨୭ ଲକ୍ଷ ଟଙ୍କାର ରହିଛି। ପୈତୃକ ଗ୍ରାମ‌ରେ ୫୦ ଲକ୍ଷ ଟଙ୍କାର ଜମି ରହିଛି। ନୀଳାଦ୍ରିବିହାରରେ ୧୭ ଲକ୍ଷ ଟଙ୍କାର କୋଠା ରହିଛି। ପୁରୁଣା ଭୁବନେଶ୍ବରରେ କୋଠା ସହ ଚିନ୍ତାମଣୀଶ୍ବରରେ ଜମି ରହିଛି। ସ୍ବାସ୍ଥ୍ୟ ବିଭା‌ଗ ଅଧୀନରେ ଥିବା ଆୟୂଷର ନିର୍ଦ୍ଦେଶକ ଭାବେ ସେ ଚାକିରି କରିଥିବା ବେଳେ ଏକ ବିବାଦରେ ଫସିଥିଲେ। ଜେଲ୍‌ ଯିବା ପରେ ସରକାର ତାଙ୍କୁ ତୁରନ୍ତ ବାଧ୍ୟତାମୂଳକ ଅବସର ଦେଇଥିଲେ। ତାଙ୍କ ନାମରେ ଏବେ ବି ସେହି ମାମଲା ବିଚାରାଧୀନ ରହିଛି। ତେବେ ଅଭିଯୋଗ ଅମୂଳକ ଦର୍ଶାଇ ମାମଲାକୁ ରଫାଦଫା କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ଓ ମାମଲା ବିଚାରାଧୀନ ରହିଛି। ସତ୍ୟପାଠରେ ସେ ଏହି ଫୌଜଦାରୀ ବାବଦରେ ମାମଲା ଦର୍ଶାଇଛନ୍ତି।

୬୫ ନମ୍ବର ୱାର୍ଡରେ ରଶ୍ମୀରଞ୍ଜନ ପାଟ୍ଟଶାଣୀ ସ୍ବାଧୀନ ଭାବେ ପ୍ରା‌ର୍ଥୀ ହୋଇଛନ୍ତି। ତାଙ୍କର ସମ୍ପତ୍ତି ୯୯ଲକ୍ଷ ୫୦ ହଜାର ଆକଳନ କରାଯାଇଛି। ନଗଦ ଟଙ୍କା ସହ ବ୍ୟାଙ୍କ୍‌ ଜମା, ଗାଡ଼ିର ମୂଲ୍ୟ ୧୨ଲକ୍ଷ ୫୦ ହଜାର ହିସାବ କରାଯାଇଛି। କେବଳ ଜମିର ମୂଲ୍ୟ ୭୭ ଲକ୍ଷ ହିସାବ କରାଯାଇଛି। ତେବେ ତାଙ୍କ ନାମରେ ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି।

ପୂର୍ବତନ ଡେପୁଟି ମେୟର ତଥା ୫୬ ନମ୍ବର କର୍ପୋରେଟର ପ୍ରାର୍ଥୀ କେ. ଶାନ୍ତିଙ୍କର ୮ ଲକ୍ଷ ୭୪ ହଜାର ୮୧୪ଟଙ୍କାର ସମ୍ପତ୍ତି ରହିଛି। ବ୍ୟାଙ୍କ୍‌ ଜମା, ଗାଡ଼ି, ସୁନା ଗହଣା ପ୍ରଭୃତି ବାବଦକୁ ୬ଲକ୍ଷ ୨୪ ହଜାର ୮୧୪ ହିସାବ କରାଯାଇଥିବା ‌ବେଳେ ଲକ୍ଷ୍ମୀସାଗର ଅଞ୍ଚଳରେ ରହିଥିବା ଘରର ମୂଲ୍ୟ ୨ ଲକ୍ଷ ୫୦ ହଜାର ହିସାବ କରାଯାଇଛି। ପୂର୍ବରୁ ସେ ଏଠାରେ କର୍ପୋରରେଟର ଥିବା ବେଳେ ଏଥର ମଧ୍ୟ ବିଜେଡିର ସେ ଦଳୀୟ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର