ଭୁବନେଶ୍ବର: ମୁମ୍ବାଇରୁ ଆସିଥିବା ଜଣେ ଡିଜେ ଇଭେଣ୍ଟ୍ ପରିଚାଳିକା ତଥା ଏଚ୍ଆର୍ ମ୍ୟାନେଜର୍ଙ୍କୁ ହୋଟେଲରେ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ଇଭେଣ୍ଟ୍ ଆୟୋଜକଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ‘କ୍ଲବ୍ ଲିଓ’ର ମାଲିକ ରଘୁନାଥ ସାହୁ ଓରଫ ରାଜ୍(୩୦), ତା’ର ବାନ୍ଧବୀ ଶ୍ବେତା ସାଲୋନି(୨୧) ଓ ସହଯୋଗୀ ଆନନ୍ଦ ସେଠୀ(୨୭)। ଅଭିଯୁକ୍ତ କ୍ଲବ୍ ମାଲିକ ରାଜ୍ ସାତ ସାତଟି ସଂଗିନ୍ ମାମଲାରେ ସମ୍ପୃକ୍ତ ଜଣେ ଅଭ୍ୟାସଗତ ଅପରାଧୀ। ୨୦୨୧ ମହିହାରେ ରାଜ୍, ଜଣେ ମାଇନ୍ସ ଟ୍ରାନ୍ସପୋର୍ଟରଙ୍କୁ ଅପହରଣ କରିବା ପରେ ମୁଣ୍ଡଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି କରିଥିଲା ଏବଂ ସେହି ମାମଲାରେ ଗିରଫ ହୋଇଥିଲା। ତମାଣ୍ଡୋ ଥାନା କଳିଙ୍ଗନଗର କେ-୬ରେ ରହୁଥିବା ରାଜ୍ ଓ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳର ବାନ୍ଧବୀ ଶ୍ବେତା, ଖାରବେଳନଗର ଥାନା ଅଞ୍ଚଳରେ ରହୁଥିବା ଆନନ୍ଦ ଓ ଫେରାର ଥିବା ରୋହିତ, ମୁନା ଆଦି ଅଭିଯୁକ୍ତମାନେ ଏକ ଅପରାଧିକ ରୢାକେଟ୍ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ମାଲିକ, ବାନ୍ଧବୀ ଓ ସହଯୋଗୀ ଗିରଫ
ଡିଜେ ଇଭେଣ୍ଟ୍ ପାଇଁ ଡାକିଥିଲେ
ହତ୍ୟା ଧମକରେ ରାତି କଟାଇବାକୁ ବାଧ୍ୟ କରିଥିଲେ
ପୁଲିସ ସୂଚନାନୁସାରେ ମୁମ୍ବାଇସ୍ଥିତ କର୍ପୋରେଟ୍ ଆକ୍ସେଞ୍ଚର୍ରେ ଏଚ୍ଆର୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ହୀନା ସେକ୍ଙ୍କୁ ଏକ ଡିଜେ ଇଭେଣ୍ଟ୍ ପରିଚାଳନା ପାଇଁ କ୍ଲବ୍ ଲିଓର ମାଲିକ ରାଜ୍ ଡାକିଥିଲା। ୧୧ ତାରିଖ ସନ୍ଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ହୀନା ୨୨ ହଜାର ଟଙ୍କା ସହ ବିମାନରେ ଯାତାୟାତ ପାଇଁ ଟିକଟ ଖର୍ଚ୍ଚ ଦାବି କରିଥିଲେ। ରାଜ୍ ଅନ୍ଲାଇନ୍ରେ ହୀନାଙ୍କ ଆକାଉଣ୍ଟକୁ ବିମାନ ଟିକଟ ବାବଦକୁ ୧୪ ହଜାର ଟଙ୍କା ପଠାଇ ଦେଇଥିଲେ। ଗତକାଲି ହୀନା ଫ୍ଲାଇଟ୍ ଯୋଗେ ଭୁବନେଶ୍ବରରେ ପହଞ୍ଚି ସନ୍ଧ୍ୟାରେ କାର୍ଯ୍ୟକ୍ରମ ସାରିଥିଲେ। ରାତି ରହଣି ପାଇଁ ତାଙ୍କ ପାଇଁ ହୋଟେଲ୍ ପର୍ଲ ଲିଫ୍ରେ ରୁମ୍ ବୁକ୍ କରାଯାଇଥିଲା। କାର୍ଯ୍ୟକ୍ରମ ପରେ ସେ ହୋଟେଲ୍ରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମ୍ର ସମ୍ମୁଖ ରୁମ୍ଟିକୁ ରାଜ୍ଙ୍କ ନାଁରେ ବୁକ୍ କରାଯାଇଛି ଏବଂ ତାଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ରହିଛି। ରାଜ୍ର ବାନ୍ଧବୀ ଶ୍ବେତାଙ୍କଠାରୁ ଏସବୁ ଜାଣିବା ପରେ ହୀନା ପ୍ରସ୍ତୁତ ହୋଇ ରାଜ୍ ରହୁଥିବା ରୁମ୍କୁ ଯାଇଥିଲେ। ସେତେବେଳକୁ ରୁମ୍ରେ ଶ୍ବେତାଙ୍କ ସହ ମାଲିକ ରାଜ୍, ରୋହିତ, ମୁନା, ଆନନ୍ଦ ଓ ଅନ୍ୟଜଣେ ଯୁବକ ଥିଲେ। ସେମାନେ ସମସ୍ତେ ମଦ ପିଉଥିଲେ। ରୁମ୍ ସାରା ସିଗାରେଟ୍ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମଦ ଆସର ଜମିଥିବା ଦେଖି ହୀନା ସେଠାରେ ବସିବାକୁ ମନା କରି ରୁମ୍ରୁ ବାହାରିଯିବାକୁ ବସିଥିଲେ। ଏତିକିବେଳେ ଶ୍ବେତା ତାଙ୍କୁ ଅଟକାଇବା ସହ ରାଜ୍ ସହ ରାତି କଟାଇବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ହୀନା ରୋକ୍ଠୋକ ମନାକରି ଶ୍ବେତାଙ୍କୁ ଠେଲି ପଳାଇବାକୁ ବାହାରିଥିଲେ। ଏହା ଦେଖି ରାଜ୍ ଓ ତା’ ସହଯୋଗୀମାନେ ହୀନାଙ୍କୁ ଅଟକାଇ ଟଣାଓଟରା କରିବା ସହ ହତ୍ୟା ଧମକ ଦେଇଥିଲେ। ମାତ୍ର ହୀନା ଛାଟିପିଟି ହୋଇ ସେମାନଙ୍କ କବଳରୁ ମୁକୁଳି ନିଜ ରୁମ୍କୁ ଦୌଡ଼ିଯାଇ ଭିତରୁ ଡୋର୍ ଲକ୍ କରିଦେଲେ। ଏହାପରେ ସେ ୧୧୨କୁ କଲ୍ କରି ପୁଲିସର ସହାୟତା ନେଇଥିଲେ। ନନ୍ଦନକାନନ ଥାନା ପୁଲିସ ତୁରନ୍ତ ହୋଟେଲ୍ରେ ପହଞ୍ଚି ହୀନାଙ୍କୁ ଉଦ୍ଧାର କରିବା ସହ ରାଜ୍, ତା’ ବାନ୍ଧବୀ ଓ ଆନନ୍ଦକୁ କାବୁ କରିଥିଲା। କିନ୍ତୁ ରୋହିତ, ମୁନା ଓ ଅନ୍ୟ ଜଣେ ଫେରାର ହୋଇଯାଇଥିଲେ।