ପୁରୁଣା ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଜଟଣୀ ତହସିଲ ଅଧୀନ ମୁଣ୍ଡଳ ଗାଁ ରାସ୍ତାକୁ ଧୀରେଧୀରେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଥିବା ଅଭିଯୋଗ ହେଉଛି। ଗାଁ ରାସ୍ତା କ୍ରମଶଃ ସଂକୁଚିତ ହୋଇପଡ଼ୁଥିବାରୁ ଗ୍ରାମବାସୀମାନେ ଯାତାୟାତ ପାଇଁ ସମସ୍ୟାରେ ପଡ଼ୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ବି ପ୍ରଶାସନ ନିରବ ରହୁଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବେ ବୋଲି କହିଛନ୍ତି।
ସୁନ୍ଦରପଦା-ଜଟଣୀ ମୁଖ୍ୟ ରାସ୍ତାର ଜାମୁକୋଳି ଛକରୁ ଲମ୍ବିଛି ମୁଣ୍ଡଳ ଗ୍ରାମକୁ ରାସ୍ତା। ଏହି ରାସ୍ତାକୁ କିଛି ବ୍ୟକ୍ତି ଜବରଦଖଲ କରି ଚାଲିଛନ୍ତି। ରାସ୍ତାକୁ ମଡ଼ାଇ ବାଡ଼ କରିଥିବାରୁ ରାସ୍ତା ସଂକୁଚିତ ହେବାରେ ଲାଗିଛି। ଗୋଟିଏ ପାର୍ଶ୍ବକୁ ମଡ଼ାଇ ଦଖଲ କରାଯାଉଥିବା ବେଳେ ଅପରପାର୍ଶ୍ବରେ ଟ୍ରକ୍, ମିନିଟ୍ରକ୍ ଓ ଟ୍ରାକ୍ଟର ରଖାଯାଉଛି। ଫଳରେ ରାସ୍ତାଟି ଏତେ ସଂକୁଚିତ ହେଉଛି ଯେ ସାଇକେଲ ଓ ବାଇକ୍ ଯିବା ବି ସମ୍ଭବ ହେଉନାହିଁ। କୌଣସି ଜରୁରୀ ପରିସ୍ଥିତିରେ ଗାଁକୁ ଦମକଳ ଗାଡ଼ି ଓ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହେଉଛି। ଏହି ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ସ୍ଥାନୀୟ ଲୋକେ ପଧାନସାହି ରାଜସ୍ବ ନିରୀକ୍ଷକ ଓ ଜଟଣୀ ତହସିଲଦାରଙ୍କୁ ବାରମ୍ବାର ଦାବି କରିଆସୁଛନ୍ତି। ହେଲେ କୌଣସି ସୁଫଳ ମିଳିପାରୁନାହିଁ। ଏନେଇ ଜଟଣୀ ତହସିଲଦାର ତପନ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖୁବ୍ ଶୀଘ୍ର ମାପଚୁପ କରାଯାଇ ସର୍ବସାଧାରଣ ରାସ୍ତା ବାହାର କରାଯିବ ଓ ଜବରଦଖଲ ହୋଇଥିଲେ ଉଚ୍ଛେଦ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/45-6.jpg)