ମୁଣ୍ଡାସାହିରେ ପଶି କେନାଲବନ୍ଧସାହି ଯୁବକଙ୍କ ଆକ୍ରମଣ ଘଟଣା: ପୁଲିସର ତନାଘନା; ୨୧ ଅଟକ

ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଆଗରେ ମୁଣ୍ଡାସାହି ବାସିନ୍ଦାଙ୍କ ବିକ୍ଷୋଭ

ଆକ୍ରମଣ ପରେ ହୋଟେଲରେ ଭୋଜି କରୁଥିଲେ
ମୁଖ୍ୟ ଅଭିଯୁକ୍ତ ସାଜିଦ୍ ଏବେ ବି ଫେରାର

ଭୁବନେଶ୍ବର : ଶୁକ୍ରବାର କେନାଲବନ୍ଧ ସାହିର ୫୦ରୁ ଅଧିକ ଯୁବକ ମୁଣ୍ଡାସାହିରେ ପଶି ଆତଙ୍କରାଜ ଖେଳାଇବା ଘଟଣାରେ ମଞ୍ଚେଶ୍ବର ପୁଲିସ ୨୧ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ୪ଜଣ ନାବାଳକ ଥିବା ବେଳେ ୩ଜଣ ମୁଣ୍ଡାସାହିର ପିଲା ଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତି ସୁଦ୍ଧା ୧୮ଜଣ ଗଣ୍ଡଗୋଳକାରୀଙ୍କୁ ଧରାଯାଇଥିବାବେଳେ ପୁଲିସ ଆଜି ଆଉ ୩ଜଣଙ୍କୁ ଧରି ପଚରାଉଚରା କରୁଛି। ହେଲେ ଏହି ଗଣ୍ଡଗୋଳର ସୂତ୍ରପାତ କରିଥିବା ମୁଖ୍ୟ ଅଭିଯୁକ୍ତ ସାଜିଦକୁ ଗିରଫ କରିବାରେ ପୁଲିସ ସମର୍ଥ ହୋଇନାହିଁ। ଅଭିଯୁକ୍ତମାନଙ୍କ ବିରୋଧରେ ଜାତି ଓ ଜନଜାତି ଦଫା ଲାଗିଥିବାରୁ ଏସିପି ସଂଜୀବ ଶତପଥୀଙ୍କ ପାଖକୁ ମାମଲା ହସ୍ତାନ୍ତର ହୋଇଥିବା ଜଣାପଡ଼ିଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଛି।

ଏହି ଗଣ୍ଡଗୋଳ ସଂପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଦୁଇଦିନ ତଳେ ଛୋଟପିଲାଙ୍କ କ୍ୟାରମ୍‌ଙ୍କ ଖେଳ ସମୟରେ କାହାର କେତେ ବଳିଷ୍ଠ ଚେହେରା ଦେଖାଇବାକୁ ନେଇ ଝଗଡ଼ା ହୋଇଥିଲା। ଛୋଟ ଛୋଟ ପିଲାଙ୍କ ମଧ୍ୟରେ ହୋଇଥିବା ଏହି ଝଗଡ଼ା ପରେ କିଛି ଯୁବକଙ୍କ ପାଖକୁ ଯାଇଥିଲା। ଏହାକୁ ନେଇ କେନାଲବନ୍ଧ ସାହିର କିଛି ଯୁବକ ଆସି ମୁଣ୍ଡାସାହି ପିଲାଙ୍କୁ ପିଟିଥିଲେ। ମୁଣ୍ଡାସାହି ପିଲା ପାଲଟା ଆକ୍ରମଣ ବା ଅଧିକ ଗଣ୍ଡଗୋଳ ନକରି ମାମଲାର ଆପୋସ ସମାଧାନ କରିବାକୁ ସ୍ଥିର ହୋଇଥିଲା। ମାତ୍ର ହଠାତ୍ ଗତକାଲି ସନ୍ଧ୍ୟାରେ ୫୦ରୁ ଅଧିକ ଯୁବକ ମୁଣ୍ଡାସାହିରେ ପଶି ଏକାଧିକ ଅଟୋ ଓ ବାଇକ୍ ଭଙ୍ଗାରୁଜା କରିଥିଲେ। ଆକ୍ରମଣ ପରେ ଅଭିଯୁକ୍ତମା‌ନେ ନିକଟସ୍ଥ ଏକ ହୋଟେଲ୍‌ରେ ଏକତ୍ରିତ ହୋଇ ଭୋଜି କରି ଖାଇଥିଲେ। ଏହି ଖବର ପାଇ ପୁଲିସ ହୋଟେଲରେ ଚଢ଼ଉ କରିବାକୁ ଯାଇଥିଲା। ମାତ୍ର ହୋଟେଲ୍ କର୍ତ୍ତୃପକ୍ଷ ପୁଲିସକୁ ଅସହଯୋଗ କରିବାରୁ ପୁଲିସ ହୋଟେଲର ୨ ଜଣଙ୍କୁ ମଧ୍ୟ ଉଠାଇ ଆଣି ଅଟକ ରଖିଛି।

ଅପରପକ୍ଷରେ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ଆଜି ମୁଣ୍ଡାସାହି ବାସିନ୍ଦା ବସ୍ତିରୁ ଏକ ଶୋଭାଯାତ୍ରାରେ ଆସି ଥାନା ଆଗରେ ବିକ୍ଷୋଭ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କଠାରୁ କ୍ଷତିପୂରଣ ନ ମିଳିଲେ ସେମାନଙ୍କୁ ଆମକୁ ହସ୍ତାନ୍ତର କରିଦିଅ ବୋଲି କହିଥିଲେ। ତେବେ ପୁଲିସ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେଇଥିଲା।

ଅନ୍ୟପକ୍ଷରେ ବସ୍ତିର ଏକ ନାବାଳକ କହିବା ଅନୁସାରେ ଦୁଇଦିନ ତଳେ ସେ ସାଇକେଲ୍ ନେଇ ଯାଉଥିବା ବେଳେ ତାକୁ କେନାଲ ସାହି ପିଲା ସାଇଡ୍ ମାରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ। ଏହାକୁ କେନ୍ଦ୍ର କରି ସେମାନେ ତାକୁ ବାଡ଼େଇବାକୁ ଆସି ମାଡ଼ ଖାଇ ଯାଇଥିଲେ। ଏହା ପରେ ଗତକାଲି ବସ୍ତିରେ ଆସି ଆତଙ୍କ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର