ମୁନିଆ ପକ୍ଷୀ ଜବତ ଘଟଣା: ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ୍‌

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱର ନୂଆ ଲିଙ୍ଗରାଜ ମାର୍କେଟ ବିଲ୍‌ଡିଂ ନିକଟରୁ ମୁନିଆ ପକ୍ଷୀ ବିକ୍ରି କଲା ବେଳେ ଧରା ପଡ଼ିଥିବା ଅଭିଯୁକ୍ତ ବାପ-ପୁଅଙ୍କୁ ଜାମିନ ମିଳିଛି। ଆଇନ ଅନୁଯାୟୀ ଲାଗିଥିବା ଦଫାରେ ସର୍ବାଧିକ ୩ବର୍ଷର ଦଣ୍ଡ ଥିବାରୁ ସେମାନଙ୍କୁ ଜାମିନ୍‌ ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳି ଯାଇଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ଏମାନେ ଏହି ବ୍ୟବସାୟ କରୁଥିବାରୁ କ୍ରାଇମବ୍ରାଞ୍ଚ ମଧ୍ୟ ଏମାନଙ୍କୁ ପିଛା କରୁଥିଲା। ଏବେ ତୁରନ୍ତ ଜାମିନ ମିଳି ଯାଇଥିବାରୁ ଏମାନେ ପୁଣି ଏହି ବ୍ୟବସାୟରେ ଲିପ୍ତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। କାର୍ଯ୍ୟାନୁଷ୍ଠାନ ଦୃଢ଼ ହେଉନଥିବାରୁ ଏହି ବେପାର କରିବାକୁ ଅନେକ ଉତ୍ସାହିତ ହେଉଛନ୍ତି।

ଅନ୍ୟପଟେ ଜବତ ୧୬୦ ମୁନିଆ ଚଢ଼େଇଙ୍କୁ ଆଜି ମୁକ୍ତ କରାଯାଇଛି। ଗତକାଲି ସେମାନଙ୍କୁ ଖାଇବାକୁ ଦିଆଯିବା ସହ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟ‌ାନ କରାଯାଇଥିଲା। ୨୪ଘଣ୍ଟା ପୂରିବା ପରେ ସେମାନଙ୍କୁ ଉଡ଼ାଇ ଦିଆଯାଇଥିଲା। ‘ଆଜି ପବିତ୍ର ରଥଯାତ୍ରାରେ ସେମାନଙ୍କୁ ପ୍ରକୃତି କୋଳକୁ ଫେରାଇ ଦିଆଯାଇଥିଲା। ଆଗକୁ ଏ ନେଇ ଚଢ଼ଉ ଜୋରଦାର ହେବ। ବିପଦକୁ ଡାକିବା ପୂର୍ବରୁ ସମସ୍ତେ ଘରେ ପୋଷିଥିବା ସଂରକ୍ଷିତ ବନ୍ୟପ୍ରାଣୀଙ୍କୁ ପବିତ୍ର ରଥଯାତ୍ରା ଅବସରରେ ମୁକ୍ତ କରନ୍ତୁ ବୋଲି ଡିଏଫ୍‌ଓ ଅଶୋକ ମିଶ୍ର ଆହ୍ବାନ‌ ଦେଇଛନ୍ତି। ଗିରଫ ବାପ-ପୁଅଙ୍କଠାରୁ ବନ ବିଭାଗ ଚଢ଼େଇ ଚାଲାଣ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିଛି। ଚଢ଼େଇ କେଉଁଠୁ ଆସୁଛି? ଶିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ ରହିଛି କି ନାହିଁ? କେତେ ଦରରେ କିଣାଯାଉଛି, କେତେ ଦରରେ ବିକ୍ରି ହେଉଛି? ଏ ସବୁ ଉପରେ ବିଭାଗ ଅନେକ ସୂଚନା ପାଇଛି। ସୂଚନାକୁ ଆଧାର କରି ଆଗକୁ ବିଭିନ୍ନ ଜାଗାରେ ଚଢ଼ଉ ହେବ ବୋଲି ସୂଚନା ମିଳିଛି। ତଦନ୍ତରେ ସମସ୍ୟ‌ା ହେବା ଆଶଙ୍କାରେ ବିଭାଗ ଏ ନେଇ ସୂଚନା ଦେଇ ନାହିଁ।

ସୂଚନାଯୋଗ୍ୟ, ଗତକାଲି ୧୬୦ ମୁନିଆ ଚଢ଼େଇ ବେଙ୍ଗାଲୁରୁ ଚାଲାଣ କରିବାକୁ ଯୋଜନା ଚାଲିଥିବା ବେଳେ ବନ ବିଭାଗ ଚଢ଼ଉ କରି ପୁରୁଣା ଭୁବନେଶ୍ବର ହରଚଣ୍ଡୀ ସାହିର ଜିତେନ୍ଦ୍ର ମହାପାତ୍ର ଓ ତାଙ୍କ ପୁଅ ସ୍ବସ୍ତିକ ସୁନ୍ଦର ମହାପାତ୍ରଙ୍କୁ ଗିରଫ କରିଥିଲା। ଏହି ପକ୍ଷୀ ସବୁ ଭାରତୀୟ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨ ତଫସିଲ-୪ ଅନ୍ତର୍ଭୁକ୍ତ। ଏମାନଙ୍କୁ କିଣା-ବିକା ବା ଶିକାର କରିବା ଅପରାଧ।

ସମ୍ବନ୍ଧିତ ଖବର