ଭୁବନେଶ୍ବର: ହାଇକୋର୍ଟଙ୍କ ଆଦେଶକୁ ନେଇ ବିଭିନ୍ନ ସମୟରେ ସରକାର ଟାଳଟୁଳ ନୀତି ଆପଣେଇଥିବାରୁ ଅନେକ କର୍ମଚାରୀ ହତାଶ ହୋଇଛନ୍ତି। ୨୦୦୧ ମସିହାରେ ଏକ କୋର୍ଟ ଆଦେଶକୁ ପାଳନ କରିବାରେ ସରକାର ଏଭଳି କରିବାରୁ କର୍ମଚାରୀ ପୁଣି ଥରେ କୋର୍ଟ ଯାଇଥିଲେ। ଏବେ ପୁଣି ଥରେ କର୍ମଚାରୀଙ୍କ ସପକ୍ଷରେ ରାୟ ଆସିଛି। ପୌରସଂସ୍ଥାରେ ୨୦୧୧ ରୁ ୨୦୧୬ ମଧ୍ୟରେ ନିଯୁକ୍ତି ପାଇଥିବା ଲୋକାଲ ସେଲ୍ଟ ଗଭର୍ଣ୍ଣମେଣ୍ଟ ଡିପ୍ଲୋମାଧାରି କର୍ମଚାରୀ (କିରାଣି)ପୁରୁଣା ନିୟମ ଅନୁସାରେ ପେନସନ ପାଇବେ। ଯେହେତୁ ଏହି ଅବଧିରେ ସେମାନେ ୧୯୯୨ ନିୟମାବଳୀ ଅନୁସାରେ ନିଯୁକ୍ତି ପାଇଛନ୍ତି, ତେଣୁ ଓଡିଶା ସିଭିଲ ସର୍ଭିସେସ୍ (ପେନସନ) ନିୟମ-୧୯୯୨ ଅନୁଯାୟୀ ପେନସନ ଦେବାକୁ ହାଇକୋର୍ଟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସରୋଜକାନ୍ତ ମହାପାତ୍ର ଓ ଅନ୍ୟମାନଙ୍କ ପିଟିସନର ଶୁଣାଣି କରି ଏଭଳି ଆଦେଶ ଦେଇଛନ୍ତି। ଏଥିପାଇଁ ୪ଟି ଆବେଦନ ଦାଖଲ ହୋଇଥିଲା। ବିଏମ୍ସିର ମାନସ ମିଶ୍ର, ଦିଲ୍ଲୀପ କୁମାର ତ୍ରିପାଠୀ ଓ ପୁଷ୍ପା ରାୟଙ୍କ ପକ୍ଷରୁ ଚାକିରିଗତ ବରିଷ୍ଠତା ସୁବିଧା ସହିତ ଅନ୍ୟ ସୁବିଧା ପାଇଁ ହାଇକୋର୍ଟରେ ଆବେଦନ ହୋଇଛି। ଏହି ଆବେଦନଗୁଡିକ ବିଚାରଧୀନ ରହିଛି। ରାୟରେ ମୂଳ ନିଯୁକ୍ତି ସମୟରେ ବଳବତ୍ତର ନିୟମ ଅନୁଯାୟୀ ପେନସନ ସର୍ତ୍ତାବଳୀ ଆକଳନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ଓଡିଶା ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ -୨୦୦୫ ବଦଳରେ ଓଡିଶା ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ- ୧୯୯୨ ଲାଗୁ କରିବାକୁ ଆବେଦନ କରାଯାଇଥିଲା। ୧୯୯୨ ମସିହାରେ ତତ୍କାଳୀନ ସରକାର ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ବିଭିନ୍ନ ପୌରସଂସ୍ଥାରେ ଖାଲିଥିବା ୧୫୦ ପଦବୀରେ ନିଯୁକ୍ତି ପାଇଁ ଏମ୍ପ୍ଲୟେମେଣ୍ଟ୍ ଏକ୍ସଚେଞ୍ଜ୍ରୁ ଲୋକାଲ ସେଲ୍ସ ଗଭର୍ଣ୍ଣାସ୍ରେ ଡିପ୍ଲୋମା କରିଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କର ତାଲିକା ମଗାଯାଇଥିଲା। ୧୦୨ ପ୍ରାର୍ଥୀଙ୍କ ତାଲିକା ଆସିବା ପରେ ସେମାନଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହାକୁ ପାଳନ କରିବାକୁ ସରକାର ସେତେବେଳେ ଟାଳଟୁଳ ନୀତି ଆପଣାଇଥିଲେ। ଏଣୁ ନିଯୁକ୍ତି ପ୍ରକ୍ରିୟା ବିଲମ୍ବିତ ହୋଇଥିଲା।
ହାଇକୋର୍ଟ ନିର୍ଦ୍ଦେଶରେ ସରକାର ୨୦୦୧ ଜାନୁଆରିରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ସହ ପ୍ୟାନେଲ ତାଲିକା ପ୍ରସ୍ତୁତି କରି ଡିପ୍ଲୋମାଧାରୀଙ୍କୁ ସୁଡାରେ ପରୀକ୍ଷା(ସାକ୍ଷାତକାର) କରିଥିଲେ। କିନ୍ତୁ ୧୦ ବର୍ଷ ପରେ ବା ୨୦୧୧ ମସିହାରୁ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିଲେ। ୨୦୧୧ ରୁ ୨୦୧୬ ମଧ୍ୟରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ପ୍ରାର୍ଥୀଙ୍କୁ କନିଷ୍ଠ କିରାଣୀ ଭାବରେ ଏଲଏଫ୍ଏସ୍ କ୍ୟାଡରରେ ନିଯୁକ୍ତି ଦିଆଯାଇଥିଲା। କିଛି ଖାଲି ପଦବୀରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ମଧ୍ୟ ଦରଖାସ୍ତ ଆହ୍ବାନ କରାଯାଇ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏହି କ୍ୟାଡର୍ରେ ନିଯୁକ୍ତ କର୍ମଚାରୀଙ୍କୁ ବରିଷ୍ଠତା ଓ ପେନସନ ପୁରୁଣା ନିୟମ ଅନୁସାରେ ଲାଗୁ ନ କରିବାରୁ ଆବେଦନକାରୀମାନେ ଉଚ୍ଚନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।