ପୌର ଭୋଟ: ପ୍ରଚାର ସରିଲା, ନିସ୍ତବ୍ଧ ରାଜଧାନୀ

ଭୁବନେଶ୍ବର ୱାର୍ଡ ନଂ.୫୭: ୱାର୍ଡକୁ ଶ୍ରେଷ୍ଠ କରିବାକୁ ସନ୍ତୋଷଙ୍କ ପ୍ରତିଶ୍ରୁତି

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର। ଦିନକ ପରେ ପଡ଼ିବ ଭୋଟ୍। ତେଣୁ ଶେଷ ପର୍ଯ୍ୟାୟରେ ଭୋଟରଙ୍କ ମନ ଜିଣିବାକୁ ତିନି ରାଜନୈତିକ ଦଳ ଜୋରଦାର ପ୍ରୟାସ କରିଛନ୍ତି। ବିଜେଡି ପ୍ରାର୍ଥୀମାନେ ନିଜର ଶକ୍ତି ସାମର୍ଥ୍ୟ ଲଗାଇ ଦେଇଛନ୍ତି। ବିଜେପି ପ୍ରାର୍ଥୀମାନେ ମଧ୍ୟ ପଛରେ ପଡ଼ିନାହାନ୍ତି। ପଦଯାତ୍ରା କରି ଭୋଟର୍‌ଙ୍କ ନିକଟତର ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀମାନେ ୱାର୍ଡ ସମସ୍ୟା ନେଇ ଲୋକଙ୍କ ନିକଟକୁ ଯାଇଛନ୍ତି। ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ପ୍ରଚାର କରିଛନ୍ତି। ବାଇକ୍‌ ରାଲି, ପଦଯାତ୍ରାରେ ସକାଳ ୬ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଥିଲା ସାରା ସହର। ରାସ୍ତାଘାଟ ଜାମ ହୋଇଥିଲା। ପ୍ରଚାର ଗାଡ଼ି ମଧ୍ୟ ଗଳି କନ୍ଦି ବୁଲି ପ୍ରାର୍ଥୀଙ୍କ ଲାଗି ଭୋଟ୍‌ ଭିକ୍ଷା କରିଥିଲା। ଶେଷ ଦିନରେ ପ୍ରଚାର ମଇଦାନରେ ମନ୍ତ୍ରୀ, ବିଧାୟକ, ଅଭିନେତା, ଅଭିନେତ୍ରୀଙ୍କୁ ମଧ୍ୟ ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି। ପାଖାପାଖି ୧୨ଘଣ୍ଟା ଧରି ପ୍ରାର୍ଥୀମାନେ ପ୍ରାଣମୂର୍ଚ୍ଛା ପ୍ରଚାର କରିବା ପରେ ସନ୍ଧ୍ୟାରେ ନିସ୍ତବ୍ଧ ହୋଇଯାଇଛି ରାଜଧାନୀ।

ଭୁବନେଶ୍ବର:ମଙ୍ଗଳବାର ପ୍ରଚାରର ଶେଷ ଦିନରେ ୫୭ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ସନ୍ତୋଷ କୁମାର ସିଂହଙ୍କ ମାରାଥନ୍ ପ୍ରଚାର ଦେଖିବାକୁ ମିଳିଥିଲା। ବିଏମ୍‌ସିରେ ୫୭ ନମ୍ବର ୱାର୍ଡକୁ ଶ୍ରେଷ୍ଠ ୱାର୍ଡରେ ପରିଣତ କରିବାର ପ୍ରତିଶ୍ରୁତି ଦେଇ ମହିଳା, ବୟସ୍କ, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଘରକୁ ଘର ବୁଲିଥିଲେ। ଆଜି ସକାଳୁ ଆରମ୍ଭ ହୋଇଥିବା ପ୍ରଚାର ଅପରାହ୍‌ଣରେ ଶେଷ ହୋଇଥିଲେ। ଶ୍ରୀ ସିଂହ ନିଜ ସମର୍ଥକଙ୍କ ସହ ପାଣ୍ଡବନଗର, ବଡ଼ଗଡ଼ ବ୍ରିଟ୍ କଲୋନି, ତାରିଣୀ ବସ୍ତି, କଳିଙ୍ଗ ବସ୍ତି ସମେତ ବିଭିନ୍ନ ଅଞ୍ଚଳ ବୁଲିଥିଲେ। ବିଜେଡ଼ି ସରକାରର ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ବୁଝାଇବା ସହ ନବୀନଙ୍କ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଉପରେ କହିଥିଲେ। ୱାର୍ଡରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ, କମ୍ୟୁନିଟି ହଲ୍‌ ନିର୍ମାଣ, ଖେଳପଡ଼ିଆର ପୁନରୁଦ୍ଧାରକୁ ପ୍ରାଥମିକତା ଦେବେ ବୋଲି ସନ୍ତୋଷ ପ୍ରତିଶ୍ରୁତି ଦେଇଥିଲେ। ପ୍ରଚାରରେ ତାଙ୍କର ବହୁ ସଂଖ୍ୟାରେ ସମର୍ଥକ ସାମିଲ ହୋଇଥିଲେ।

ଭୁବନେଶ୍ଶେବର ୱାର୍ଡ ନଂ. ୪୩: ଶେଷ ଦିନରେ ଜୋରଦାର୍ ପ୍ରଚାର କଲେ ନିବେଦିତା

ନିର୍ବାଚନ ପ୍ରଚାରର ଶେଷ ଦିନରେ ୱାର୍ଡ-୪୩ର ବିଜେପି ପ୍ରାର୍ଥିନୀ ନିବେଦିତା‌ ପ୍ରଧାନ ଆଜି ଜୋରଦାର୍ ପ୍ରଚାର କରିଛନ୍ତି। ସକାଳୁ ସଞ୍ଜ ଯା‌ଏଁ ୱାର୍ଡର ପ୍ରତି ଗଳିକନ୍ଦିରେ ଘରକୁ ଘର ବୁଲି ଭୋଟ୍ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ପୂର୍ବରୁ ସେ ଏହି ୱାର୍ଡରେ ଦୁଇ ଥର କର୍ପୋରେଟର ଥିବାରୁ ଲକ୍ଷ୍ମୀସାଗର ଅଞ୍ଚଳରେ ଘରେ ଘରେ ପରିଚିତ। ନିବେଦିତା ଏଥର ବି ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ଗତଥର ଏଠାରୁ ବିଜେପି ପ୍ରାର୍ଥୀ କର୍ପୋରେଟର ହୋଇଥିବା ବେଳେ ଏଥର ବି ଧାରା ଜାରି ରହିବ ବୋଲି ନିବେଦିତାଙ୍କ ସମର୍ଥକମାନେ ଆଶା ରଖିଛନ୍ତି। ଆଜି ଶେଷ ଦିନରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ଶୋଭାଯାତ୍ରାରେ ଯାଇ ନିବେଦିତାଙ୍କ ପାଇଁ ପ୍ରଚାର କରିଛନ୍ତି।

ଭୁବନେଶ୍ବର ୱାର୍ଡ: ୧୭: ବିକାଶର ସଂକଳ୍ପ ନେଲେ ପୂଜା

ଭୁବନେଶ୍ବର: ୧୭ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥିନୀ ପୂଜା ମହାରଣା ଆଜି ଶେଷ ଦିନରେ ଜୋର୍‌ଦାର ପ୍ରଚାର କରିଥିଲେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହେଉଛି ତାଙ୍କର ପ୍ରଥମ ପ୍ରାଥମିକତା। ଏହି ବାର୍ତ୍ତା ନେଇ ସେ ଘର ଘର ବୁଲି ଲୋକଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଛନ୍ତି। ଆଜି ୱାର୍ଡର ବିଭିନ୍ନ ସ୍ଥାନରେ ଶତାଧିକ ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲେ। ୱାର୍ଡବାସୀ ତାଙ୍କୁ କେବେ ନିରାଶ କରିବେ ନାହିଁ ବୋଲି ସେ ଆଶା ରଖିଛନ୍ତି। ପୂଜା କହିଛନ୍ତି ଯେ ମିଥ୍ୟା ପ୍ରତିଶ୍ରୁତିରେ ମୁଁ ବିଶ୍ବାସ କରେ ନାହିଁ। ବହୁ ବର୍ଷ ହେଲା ଏଠାରେ ମୁଁ ଲୋକଙ୍କ ସେବାରେ ରହିଆସିଛି। କର୍ପୋରେଟର୍‌ ଭାବେ ନିର୍ବାଚିତ ହେଲା ପରେ ୱାର୍ଡବାସୀଙ୍କ ମୌଳିକ ସମସ୍ୟାର ସମାଧାନକୁ ପ୍ରାଥମିତକା ଦେବି। ଏହା ସହ ୱାର୍ଡରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବି।

 

ସମ୍ବନ୍ଧିତ ଖବର