ଭୁବନେଶ୍ବର: ଦୁଇ ସପ୍ତାହ ଧରି ଭୁବନେଶ୍ବରରେ ଚାଲିଥିବା ପ୍ରଚାରରେ ମଙ୍ଗଳବାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିର୍ବାଚନ କମିସନଙ୍କ ନିୟମ ମାନି ପ୍ରମୁଖ ରାଜନୈତିକ ଦଳ ସନ୍ଧ୍ୟା ପୂର୍ବରୁ ପ୍ରଚାର ଶେଷ କରିଛନ୍ତି। ଏଥିସହ ଆଜି ରାତିରୁ ଅନ୍ଧାରି ବିଜେ ଆରମ୍ଭ ହୋଇଛି। ପ୍ରଚାରରେ ଗୁରୁତ୍ୱହୀନ ହୋଇପଡ଼ିଥିବା ୱାର୍ଡ ନେତାଙ୍କ ପ୍ରଭାବ ବଢ଼ିଛି। ସେମାନଙ୍କୁ ନିଜ ଆଡ଼କୁ ନେବା ଲାଗି ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ଲାଗି ପଡ଼ିଛନ୍ତି। ବିଳମ୍ବିତ ରାତି ଯାଏ ତିନି ନିର୍ବାଚନମଣ୍ଡଳୀରେ ଘନ ଘନ ବୈଠକ ଜାରି ରହିଛି। ବରିଷ୍ଠ ନେତାମାନେ ସାମିଲ ହୋଇ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି। କିଛି ମାନୁଛନ୍ତି ତ ଆଉ କିଛି ଧରାଛୁଆଁ ଦେଉନାହାନ୍ତି। ତଥାପି ରାଜନୈତିକ ଦଳଗୁଡ଼ିକ ନିଜ ପ୍ରୟାସରେ ଅଛନ୍ତି।
ନିର୍ବାଚନୀ ପ୍ରଚାରରେ କଟକଣା ଲାଗିଥିଲେ ମଧ୍ୟ ଭୋଟ୍ ଭିଡ଼ିବାକୁ ଏବଂ ନିଜ ନିଜ ସପକ୍ଷରେ ମତ ହାତେଇବାକୁ ପ୍ରାର୍ଥୀ ଓ ସେମାନଙ୍କ ଅନୁଗତମାନେ ଗଳାବାଟ ଖୋଜିବା ଆରମ୍ଭ କରିଦେଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଓ ନିର୍ବାଚନ ଆୟୋଗଙ୍କ ନଜରକୁ ଏଡ଼ାଇ ଆଜି ରାତିରେ ଚାଲଛି ଅନ୍ଧାରିବିଜେ। ଉପହାର ବାଣ୍ଟି ଭୋଟର୍ ହାତେଇବାକୁ ଚାଲିଛି ଭିତିରି ଉଦ୍ୟମ। ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ୨୦ରୁ ୨୫ଜଣଙ୍କୁ ଏକାଠି କରି ଭୋଟ ହାତେଇବାକୁ ଲାଗି ପଡ଼ିଛନ୍ତି। କାହାକୁ ଅର୍ଥ ଯଚାଯାଉଛି ତ ଆଉ କାହାକୁ ପଦବି ଦେବାକୁ ପ୍ରତିଶ୍ରୁତି। ବିଶେଷକରି ବସ୍ତି ଅଞ୍ଚଳରେ ବିଜେଡି, ବିଜେପି ଓ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ବୈଠକ ଜାରି ରହିଛି।
ଭୋଜି ଭାତର ଆୟୋଜନ ହେଉଛି। ସ୍ଥାେନସ୍ଥାନେ ଶତାଧିକ ଲୋକ ଏକାଠି ହେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ପ୍ରଚାର ସରିବା ପରେ ମଧ୍ୟ ସାଲିଆସାହିରେ ରାତି ୧୦ଟା ପର୍ଯ୍ୟନ୍ତ ବହୁ ଲୋକଙ୍କ ସମାଗମ ହୋଇଥିବା ନେଇ ଖବର ଆସିଛି। ସେଥିପ୍ରତି କାହାର ବି ନିଘା ନାହିଁ। ମଙ୍ଗଳବାର ପ୍ରଚାର ବନ୍ଦ ହୋଇଯାଇଥିଲେ ବି ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ତାଙ୍କ ପ୍ରଚାର ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ପ୍ରକାର ପୋଷ୍ଟ କରି ଭୋଟ୍ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି।
ଭୁବନେଶ୍ବର ମହାନଗର ନିର୍ବାଚନକୁ ନେଇ କେବଳ ଯେ ବିଭିନ୍ନ ଦଳର ନେତା ଓ ନେତୃତ୍ୱ ଚାପରେ ଅଛନ୍ତି, ତାହା ନୁହେଁ। ବରଂ ଭୋଟର ମଧ୍ୟ ତତୋଧିକ ଚାପଗସ୍ତ। ସାରା ଓଡ଼ିଶା ଏହି ନିର୍ବାଚନ ଫଳାଫଳ ଉପରେ ନଜର ରଖିଛି। ଉଭୟ ବିଜେପି ଓ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ଏହି ନିର୍ବାଚନର ଫଳାଫଳକୁ ବିଚାରକୁ ନେଇ ରଖି ସ୍ଥାନୀୟ ନେତୃତ୍ୱର ଦକ୍ଷତା ମାପିପାରନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ବରରେ ଏହା ଶେଷ ନିର୍ବାଚନ। ତେଣୁ ସ୍ୱାଭାବିକ ଭାବେ ଏଠାକାର ଫଳ ପ୍ରତ୍ୟେକ ଦଳର ନେତୃତ୍ୱ ପାଇଁ ଆହ୍ବାନ ରଖୁଛି। ଆସନ୍ତା ସାଧାରଣ ନିର୍ବାଚନରେ ଭୁବନେଶ୍ବରରେ ଜନମତ କାହା ସପକ୍ଷରେ ରହିବ, ଏଥିଲାଗି ଏକ ବାତାବରଣ ସୃଷ୍ଟି ପାଇଁ ମଧ୍ୟ ଏହି ନିର୍ବାଚନକୁ ମାନକ ଭାବେ ବିଚାର କରାଯାଇଛି।
ଏସବୁ ଦୃଷ୍ଟିରୁ ଭୁବନେଶ୍ବରର ସଚେତନ ଭୋଟର୍ ଏବେ ଓଡ଼ିଶା ରାଜନୀତିର ଦିଶା ନିର୍ଣ୍ଣୟ କରିବାର କ୍ଷମତା ରଖୁଛନ୍ତି। ସହରୀ ଭୋଟରଙ୍କ ରାୟ କେବଳ ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନୁହେଁ, ବରଂ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀର ରାଜନୈତିକ ବାତାବରଣକୁ ପ୍ରଭାବିତ କରିବ। ଏକଥାକୁ ଏଡ଼ାଇ ହେବ ନାହିଁ। ପ୍ରଚାର ଶେଷ ପରେ ବିଜେଡି, ବିଜେପି, କଂଗ୍ରେସ ନେତା ଉପରକୁ ଯେତେ ମୁହଁ ଫୁଟାଣି ମାରୁଥିଲେ ବି ଫଳାଫଳ ନେଇ କେହି ସ୍ପଷ୍ଟ ମତ ରଖିପାରୁନାହାନ୍ତି। ସମସ୍ତଙ୍କ ଛାତି ଧଡ଼ଧଡ଼ ହେଉଛି। ରାଜଧାନୀବାସୀଙ୍କ ଜନମତ କୁଆଡ଼େ ଯିବ, କିଏ କେତେ ଭୋଟ୍ ପାଇବେ, ସେନେଇ ପ୍ରତି ନେତା ଅଲଗା ଅଲଗା ପରିସଂଖ୍ୟାନ କରୁଛନ୍ତି। ଏଣୁ ତିନି ପ୍ରମୁଖ ଦଳର ନେତୃତ୍ୱର ଚିନ୍ତା ବଢ଼ିବା ସ୍ୱାଭାବିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Election-Symbol1.jpg)