ଭୁବନେଶ୍ୱର : ସୁକାନ୍ତି ଡର୍ମିଟୋରିରେ ଟି.ଭି ରାଓଙ୍କୁ ସେଦିନ ମାତ୍ର ୩୭ ହଜାର ଟଙ୍କା ପାଇଁ ଗଳାକାଟି ହତ୍ୟା କରିଥିଲା ଉତ୍ତର ପ୍ରଦେଶ ଆଲିଗଡ ଦାଉପୁରର ଅଜୟ ପାଣ୍ଡେ। ଏକଥା ନିଜେ ହତ୍ୟାକାରୀ ପାଣ୍ଡେ ସ୍ବୀକାର କରିଛି। ଜେରା ବେଳେ ସେ ତାର ବୟାନରେ କହିଛି, ପୂର୍ବରୁ ଅନେକ ଥର ଟିଭି ରାଓ ମୋତେ ପଇସା ଦେଇଛି। କିନ୍ତୁ ଜରୁରୀ ଥିବା ୩୭ ହଜାର ଟଙ୍କା ନ ଦେବାରୁ ମୁଁ ତା ତଣ୍ଟି କାଟି ଦେଲି ବୋଲି ପୁଲିସ ଆଗରେ ସ୍ବୀକାର କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ପରେ ସେ ଉତ୍ତରପ୍ରଦେଶ ଚାଲି ଯାଇଥିଲା। ଗତ କାଲି ଭୁବନେଶ୍ବର ଆସି ପୁଣି ତାର ପୁରୁଣା ବେପାର ଆରମ୍ଭ କରିଥିଲା। ଷ୍ଟେସନ ପରିସରରେ ଏଟିଭିଏମ୍ ମେସିନ୍ ଜରିଆରେ ଟିକେଟ୍ କାଟି ବିକ୍ରି କରୁଥିବା ବେଳେ ତାକୁ ଜିଆରପି ଓ ଆରପିଏଫ୍ କର୍ମଚାରୀ ମାଡ଼ି ବସି ଲକ୍ଷ୍ମୀସାଗର ଥାନା ପୁଲିସ ଜିମା ଦେଇଥିଲେ। ଉତ୍ତରପ୍ରଦେଶର ଆଲିଗଡ଼ ଥାନାରେ ତା ନାମରେ ଅଭିଯୋଗ ନ ଥିଲେ ମଧ୍ୟ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ପୁଲିସ ଜାଣିବାକୁ ପାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି। ତେବେ ତାକୁ ରିମାଣ୍ଡରେ ଅଣାଯାଇ ପଚରା ଉଚରା କରାଯିବ। ପଚରାଉଚରା ବେଳେ ଅଧିକ ତଥ୍ୟ ମିଳିପାରେ ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଏକ ଛୋଟିଆ ସୁରାକ୍ରୁ ଅପରାଧୀ ପର୍ଯ୍ୟନ୍ତ ପହଞ୍ଚି ତାକୁ ଧରିବା ଏକ ବଡ଼ ସଫଳତା। ଏଭଳି ଏକ ସଫଳତା ଅଧିକାରୀମାନଙ୍କର ମୋ ପାଇଁ ନୂଆବର୍ଷର ଭେଟି ବୋଲି ସେ କହିଥିଲେ।
ଅଜୟର ବାପା ମରିଯିବା ପରେ ସେ କେତେକ ଅପରାଧୀଙ୍କ ସହ ମିଶିବା ଆରମ୍ଭ କରିଥିଲା। ରେଳ ଷ୍ଟେସନରେ ଛିନ୍ତାଇ, ଲୁଟ୍ ଭଳି ଅପରାଧରେ ଲିପ୍ତ ହୋଇ ଯାଇଥିଲା। ଉତ୍ତରପ୍ରଦେଶରେ ପେଟ ପୋଷିବା ସମସ୍ୟା ହେବାରୁ ସେ ଏଠାକୁ ଚାଲି ଆସିଥିଲା। ଜଟଣୀ ମାଣିଆ ଛକର ଟିଭି ରାଓ ଭୁବନେଶ୍ବର ରେଳ ଷ୍ଟେସନରେ ଏଟିଭିଏମ୍ ଭେଣ୍ଡର ଭାବରେ କାମ କରୁଥିଲେ। ସେ ଏଠାରେ ପହଞ୍ଚିବା ପରେ ଉଭୟଙ୍କର ପରିଚୟ ହୋଇଥିଲା। ଟିଭି ରାଓଙ୍କର ପରାମର୍ଶ ଓ ଆର୍ଥିକ ସହଯୋଗରେ ସେ ମଧ୍ୟ ଏଟିଭିଏମ୍ ଭେଣ୍ଡର ଭାବେ କାମ ଆରମ୍ଭ କରିଥିଲା। ଉଭୟଙ୍କ ମଧ୍ୟରେ ବେଶ୍ ଘନିଷ୍ଠତା ଥିଲା। ଅଜୟର ୩୭ ହଜାର ଟଙ୍କା ଦରକାର ଥିଲା। ହେଲେ ଟିଭି ରାଓ ଟଙ୍କା ନ ଥିବା କହି କଥାକୁ ଏଡ଼ାଇ ଦେଇଥିଲେ। କିନ୍ତୁ ଟଙ୍କା ଥାଇ ଦେଉ ନ ଥିବା ଅଜୟ ଭାବିଥିଲା। ସେଥିପାଇଁ ଗତ ନଭେମ୍ବର ୧୯ ତାରିଖରେ ଅଜୟ ଟିଭି ରାଓ ରେଳଷ୍ଟେସନ ନିକଟରେ ଥିବା ସୁକାନ୍ତି ଡର୍ମିଟୋରିକୁ ଡାକି ନେଇଥିଲା। ଉଭୟ ବାପ-ପୁଅ ପରିଚୟ ଦେଇ ସେଠାକୁ ଯାଇଥିଲେ। ରୁମ୍ରେ ପକେଟ୍ ଚେକ୍ କରିବା ପରେ ପଇସା ଥିବା ଜାଣି ପାରିଥିଲା। ପଇସା ଥାଇ ନ ଦେବାରୁ ସେ ରାଗିଯାଇ ଟିଭି ରାଓଙ୍କ ଗଳାକାଟି ଫେରାର ହୋଇ ଯାଇଥିଲା। ତେବେ ସମଲିଙ୍ଗୀ ସମ୍ପର୍କ ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ନେଇ କୌଣସି ସୁରାକ ମିଳି ନ ଥିବା କହିଛନ୍ତି କମିସନର।
ଏଟିଭିଏମ୍ କ’ଣ: ଏଟିଭିଏମ୍ ଭେଣ୍ଡରଙ୍କର କାମ ହେଉଛି ଯାତ୍ରୀଙ୍କ ପାଇଁ ଟିକେଟ୍ କରିବେ। ବାହାରେ ରଖାଯାଇଥିବା ଭେଣ୍ଡିଂ ମେସିନ୍ ଜରିଆରେ ଟିକେଟ୍ କରିବେ। ଏଥିପାଇଁ ଭେଣ୍ଡର ଏକ କାର୍ଡ କିଣିବେ। ଏଥିରେ ରିଚାର୍ଜ କରିବେ। ଟିକେଟ୍ର ମୂଲ୍ୟ ଏହି କାର୍ଡରୁ କଟିଯିବ। ଭେଣ୍ଡର ଯାତ୍ରୀଙ୍କ ଠାରୁ ନିର୍ଦ୍ଧାରିତ ଭଡ଼ା ସଂଗ୍ରହ କରିବେ। ଯେଉଁ କାର୍ଡ ରେଳବାଇ ଦ୍ବାରା ଯୋଗାଇ ଦିଆଯାଏ ଏବଂ ତାହା ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ଇସ୍ୟୁ ହୋଇଥାଏ। ଆଇଡି ଓ ପାସ୍ୱାର୍ଡ ଜରିଆରେ ଏହି କାର୍ଡ ବ୍ୟବହାର ହେଲେ ବିଭାଗ ଜାଣିପାରେ। ଟିଭି ରାଓଙ୍କର ଏହି ଏଟିଭିଏମ୍ କାର୍ଡ ଚୋରି ହୋଇଥିଲା। ଏହି କାର୍ଡ ଉପରେ ପୁଲିସ ନଜର ରଖିଥିଲା। କାର୍ଡକୁ ଟ୍ରାକ୍ କରାଯାଉଥିଲା। ଟିଭି ରାଓଙ୍କର ଏହି ଚୋରି କାର୍ଡ ଗତ ରାତିରେ ଏକ ମେସିନ୍ରେ ଅଜୟ ବ୍ୟବହାର କରିବା ବେଳେ ତାକୁ ଧରିବା ସହଜ ହୋଇଥିଲା। କାର୍ଡରେ ୧୦ ହଜାରରୁ ଊର୍ଦ୍ଧ୍ବ ବାଲାନ୍ସ ଥିବାରୁ ଅଜୟ ଏହାକୁ ବ୍ୟବହାର କରି ଲୁଟିବାକୁ ଯୋଜନା କରିଥିଲା।