ଭୁବନେଶ୍ୱର : ଅମରେଶ ନାୟକ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କ ଜାମିନ ପରେ ସେମାନଙ୍କ ଖୋଲା ଜିପ୍ ଶୋଭାଯାତ୍ରା ମାମଲାକୁ ଗୁରୁତ୍ବର ସହ ନେଇଛି କମିସନରେଟ ପୁଲିସ। ଜାମିନ ପାଇଥିବା ୪ ଅଭିଯୁକ୍ତ ଶୋଭାଯାତ୍ରା ମାମଲାରେ ଛନ୍ଦି ହେବା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ପୁନଃ ଜାମିନ ଆବେଦନକୁ ଖାରଜ କରାଇବା ପାଇଁ କମିସନରେଟ୍ ପୁଲିସ ହାଇକୋର୍ଟର ଦ୍ବାରସ୍ଥ ହୋଇଛି। ଅଭିଯୁକ୍ତ ରୋଶନ ଜେନାକୁ ଜାତୀୟ ନିରାପତ୍ତା ଆଇନ(ଏନ୍ଏସ୍ଏ) ବଳରେ ଗିରଫ କରାଯାଇଥିବା ବେଳେ ଜଗଦୀଶ ଗଜେନ୍ଦ୍ର ଓ ରାଜେଶ ନାୟକଙ୍କ ବିରୋଧରେ ମଧ୍ୟ ଏଭଳି କଠୋର ଆଇନ ଲାଗୁ କରିବାକୁ ବିଚାରବିମର୍ଶ ଚାଲିଛି। ତେବେ ସେମାନେ ଫେରାର୍ ଥିବାରୁ ଏହା ଉପରେ କୌଣସି ସୂଚନା ଦେବାକୁ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ମନା କରି ଦେଇଛନ୍ତି।
ପୂର୍ବରୁ ଶୋଭାଯାତ୍ରା ମାମଲାରେ ୧୧ଜଣଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଏୟାରଫିଲ୍ଡ ଓ ଏୟାରପୋର୍ଟ ଥାନା ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ବେଳେ ୫ଟି ଥାନାରେ ଏମାନଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି। ଜାମିନ ପାଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ରୋଶନ ଜେନା ଗିରଫ ହୋଇଥିବାବେଳେ ୩ ଜଣ ଏ ପର୍ଯ୍ୟନ୍ତ ଫେରାର ଅଛନ୍ତି। ଏହି ତିନିଜଣଙ୍କୁ ଗିରଫ କରିବା ପାଇଁ ଏବେ ୫ଟି ଥାନା ପୁଲିସ ଲାଗି ପଡ଼ିଥିଲେ ହେଁ ସେମାନଙ୍କ ପତ୍ତା ମିଳୁନାହିଁ। ୧୩ ଦିନ ବିତିବା ପରେ ମଧ୍ୟ ପୁଲିସ ସେମାନଙ୍କୁ ଠାବ କରି ପାରିନଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ ହେବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତବର୍ଷ ଦୀପାବଳି ରାତିରେ ଏକାମ୍ର କଲେଜ ନିକଟରେ ବିଡିଏ କଲୋନିର ଅମରେଶଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଚଳିତ ମାସ ୧୦ତାରିଖରେ ହାଇକୋର୍ଟରୁ ୪ଜଣ ଜାମିନ ପାଇ ଝାରପଡ଼ା ଜେଲରୁ ମୁକୁଳିଥିଲେ। ଅଭିଯୁକ୍ତମାନଙ୍କୁ ଏକ ଖୋଲା ଜିପ୍ରେ ବସାଇ ଶତାଧିକ ଯୁବକ ଶୋଭାଯାତ୍ରାରେ ନେଇଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ପୁଲିସ୍ ତତ୍ପରତା ଦେଖାଇଥିଲା।
କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ଆଇଆଇସି!
କେବଳ କୋଭିଡ୍ କଟକଣା ନୁହେଁ, ବରଂ ପ୍ରତ୍ୟେକ ଟ୍ରାଫିକ୍ ଛକ ଓ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଶହ ଶହ ସିସିଟିଭି, ୩୦ରୁ ଅଧିକ ଟ୍ରାଫିକ୍ ପୁଲିସ, ନବୀନ ନିବାସ ସମ୍ମୁଖରେ କଡ଼ା ପହରା ଦେଉଥିବା ଫୋର୍ସ ଓ ଅଧିକାରୀ ଏବଂ ସର୍ବୋପରି ଗୁଇନ୍ଦା ମଧ୍ୟ ଏହି ଶୋଭାଯାତ୍ରା ମାମଲାରେ ଫେଲ୍ ମାରିଥିଲା। ଲକ୍ଷ୍ମୀସାଗର ଥାନା ଦୁଆରମୁହଁ ଦେଇ ଶୋଭାଯାତ୍ରା ଯିବା ପରେ ବଡ଼ଗଡ଼, କ୍ୟାପିଟାଲ, ଏୟାରପୋର୍ଟ ଥାନା ଅଞ୍ଚଳ ଦେଇ ଅଭିଯୁକ୍ତଙ୍କ ଖୋଲା ଜିପ୍ ଶୋଭଯାତ୍ରା ଯାଇଥିଲା ଓ ଏୟାରଫିଲ୍ଡ ଥାନା ଦୁଆର ଦେଇ ସୁନ୍ଦରପଦାରେ ପହଞ୍ଚିଥିଲା। ସିସିଟିଭିରେ ପୁଲିସ କଣ୍ଟ୍ରୋଲ ରୁମ୍ ଦେଖି ପାରିଲାନି, ଲକ୍ଷ୍ମୀସାଗର ଥାନା ମଧ୍ୟ ଅନ୍ୟ ଥାନାକୁ ଖବର ଦେଲାନି କି ଟ୍ରାଫିକ୍ ପରିଚାଳନା କରୁଥିବା ପୁଲିସକୁ ମଧ୍ୟ ଏହା ଦେଖାଗଲା ନାହିଁ। ଏଭଳି ସାଂଘାତିକ ଅବହେଳାକୁ ନେଇ କାହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏବେ ମୁଖିଆ ଚିନ୍ତାରେ ପଡ଼ିଥିବା ଚର୍ଚ୍ଚା ହେଉଛି। ତେବେ ସମ୍ପୃକ୍ତ ଥାନାର ଆଇଆଇସିମାନେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ପାରନ୍ତି ବୋଲି ସୂଚନା ମିଳିଛି।