ଦୁଷ୍କର୍ମ ପରେ କାର୍‌ରୁ ଠେଲି ହତ୍ୟା ଉଦ୍ୟମ

ନ୍ୟାୟ ପାଇଁ ଏ ଥାନାରୁ ସେ ଥାନା ବୁଲିଲେ ପୀଡ଼ିତା

ଭୁବନେଶ୍ୱର: ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି। ପରେ କାର୍‌ରୁ ଠେଲି ହତ୍ୟା ଉଦ୍ୟମ ହୋଇଛି। ଏପରିକି ବିବାହ କଥା ଭୁଲି ନିରବ ରହିବାକୁ ଧମକ ଦିଆଯାଇଛି। ମାନସିକ ଯନ୍ତ୍ରଣାରେ ଜର୍ଜରିତ ପୀଡ଼ିତା ନ୍ୟାୟ ପାଇଁ ତିନି ତିନୋଟି ଥାନାକୁ ଯାଇଥିଲେ ମଧ୍ୟ ସବୁଠି ନିରାଶ ହେବାକୁ ପଡ଼ିଛି। ‘ଆମ ଅଞ୍ଚଳର ନୁହେଁ, ଆଉ କୋଉ ଥାନା ଦେଖ’ କହି ପୀଡ଼ିତାଙ୍କୁ ଫେରାଇ ଦିଆଯାଇଛି। ଖୋଦ୍‌ ରାଜଧାନୀରେ କମିସନରେଟ୍‌ ପୁଲିସ ଅଧୀନରେ ଘଟିଛି ଏଭଳି ଘଟଣା। ଶେଷରେ ପୀଡ଼ିତା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ସେଠାରେ ମଧ୍ୟ ମାମଲା ରୁଜୁ ହୋଇନି। କେବଳ ଷ୍ଟେସନ୍‌ ଡାଏରି ହୋଇଛି। କମିସନରେଟ୍‌ ପୁଲିସର ଏତାଦୃଶ ବ୍ୟବହାର କେବଳ ପୀଡ଼ିତାଙ୍କୁ ନୁହେଁ, ବରଂ ଅନ୍ୟମାନଙ୍କୁ ମଧ୍ୟ ବ୍ୟଥିତ କରିଛି। ଯୁବତୀଙ୍କ ଅଭିଯୋଗ ମୁତାବକ, ମଞ୍ଚେଶ୍ବର ଥାନା ଅଧୀନରେ ରହୁଥିବା ତପନ ପ୍ରଧାନ ନାମକ ଜଣେ ଯୁବକ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେ ୭ ତାରିଖ ଦିନ ଉଭୟ ପୁରୀ ବୁଲିବା ପାଇଁ ଯାଇଥିଲେ। ସେଠାରେ ତପନ ଏକ ଲଜ୍‌ ବୁକିଂ କରି ଯୁବତୀଙ୍କ ଇଚ୍ଛା ବିରୋଧରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। ମାତ୍ର ତପନଙ୍କ ଉପରେ ସନ୍ଦେହ ହେବାରୁ ଯୁବତୀଜଣଙ୍କ କୋର୍ଟରେ ବିବାହ କରିବା ପାଇଁ ଜିଦ୍‌ କରିଥିଲେ। ବାଧ୍ୟ ହୋଇ ସେ ୮ ତାରିଖରେ ପୁରୀର ନୋଟାରି ପାଖରେ ଜଣେ ଓକିଲଙ୍କ ସହାୟତାରେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଏପରିକି ତାଙ୍କ ବାପା, ଭିଣୋଇ ଓ କିଛି ସମ୍ପର୍କୀୟଙ୍କୁ ପୁରୀ ଡାକିଥିଲେ। ବାପାଙ୍କ ସହ ଆଉ ତିନିଜଣ ଯୁବକ ଲଜ୍‌ ନିକଟରେ ପହଞ୍ଚି ଯୁବତୀଙ୍କୁ ଗାଳିଗୁଲଜ କରିଥିଲେ। ବଳପୂର୍ବକ ଲଜ୍‌ରୁ ବାହାର କରି ଦେଇଥିଲେ। ତପନଙ୍କ ବାପା ଗୋଇଠା ମାରିବାରୁ ସେ ତଳେ ପଡ଼ି ଯାଇଥିଲେ। ଘରକୁ ଯାଇ ସମାଧାନ କରିବା କହି ସମସ୍ତେ ଭୁବନେଶ୍ବର ଅଭିମୁଖେ ଏକ କାର୍‌ ଯୋଗେ ବାହାରିଥିଲେ। ବାଟରେ ତପନ ବାଇକ୍‌ରେ ଯିବ କହି କାର୍‌ରୁ ଓହ୍ଲାଇ ପଡ଼ିଥିଲା। କାର୍‌ରେ ତପନର ବାପା ଓ ଭିଣୋଇ ଥିଲେ। କିଛି ବାଟ ଯିବା ପରେ ସେମାନେ ଯୁବତୀଙ୍କ ମୋବାଇଲ ଛଡ଼ାଇ ନେଇ ସିମ୍‌ କାର୍ଡ ଫିଙ୍ଗି ଦେଇଥିଲେ। ଚଳନ୍ତା କାର୍‌ରୁ ଠେଲି ମାରି ଦେବାକୁ ଉଦ୍ୟମ କରିଥିଲେ। ପରେ ଭୁବନେଶ୍ବର ପୁରୀ ବାଇପାସ୍‌ ନିକଟରେ ଛାଡ଼ି ଚାଲି ଯାଇଥିଲେ। ଯୁବତୀଙ୍କ ଘର ଚନ୍ଦକା ଅଞ୍ଚଳରେ ହୋଇଥିବାରୁ ସେ ଚନ୍ଦକା ଥାନା ଯାଇଥିଲେ। ମାତ୍ର ସେଠାରେ ତାଙ୍କୁ ମହିଳା ଥାନା ‌ପଠାଇ ଦିଆଯାଇଥିଲା। ସେଠାରୁ ହତାଶ ହୋଇ ଖଣ୍ଡଗିରି ଥାନା ଯାଇଥିଲେ। ମାତ୍ର ସେଠି ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଯୁବକଙ୍କ ଘର ମଞ୍ଚେଶ୍ବର ଥାନା ଅଧୀନରେ ହୋଇଥିବାରୁ ସେ ସେଠାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର