ଭୁବନେଶ୍ବର: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଡାଇମଣ୍ଡ ହାର୍ବର ରେଳ ଷ୍ଟେସନରେ ଜଣେ୧୪ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି ଭୁବନେଶ୍ବରରୁ ଧରା ପଡ଼ିଛି। ଘଟଣାର ପ୍ରାୟ ବର୍ଷେ ପରେ ରାଜଧାନୀର ସୁନ୍ଦରପଦା ଅଞ୍ଚଳରୁ ଅଭିଯୁକ୍ତ ଯୁବକ ହମିଦୁଲ ଲକସର୍କୁ ଡାଇମଣ୍ଡ ହାର୍ବର ରେଲୱେ ପୁଲିସ ଏୟାରଫିଲ୍ଡ ଥାନା ପୁଲିସ ସହାୟତାରେ ଗିରଫ କରିବା ପରେ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରିଛି। ଅଧିକ ପଚରାଉଚରା ଲାଗି ହମିଦୁଲକୁ ତିନି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ନେଇଯାଇଛି।
ହାର୍ବର ରେଲୱେ ପୁଲିସ ସୂଚନା ଅନୁସାରେ, ହମିଦୁଲ ଘର ଦକ୍ଷିଣ ୨୪ ପ୍ରଗଣାରେ। ସେହି ଅଞ୍ଚଳର ନବମ ଶ୍ରେଣୀରେ ପଢୁଥିବା ୧୪ ବର୍ଷୀୟା ଜଣେ ଛାତ୍ରୀଙ୍କୁ ହମିଦୁଲ୍ ଅପହରଣ କରି ନେଇଥିଲା। ଲକ୍ଡାଉନ୍ ସମୟରେ ୨୦୨୦ ମାର୍ଚ୍ଚ ମାସରେ ଏହି ଘଟଣା ଘଟିଥିଲା। ଛାତ୍ରୀଙ୍କୁ ଅପହରଣ କରିବା ପରେ ହମିଦୁଲ୍ ଡାଇମଣ୍ଡ ହାର୍ବର ରେଲୱେ ଷ୍ଟେସନ ନିକଟରେ ରହୁଥିଲା। ଅଳ୍ପ କିଛି ଦିନ ପରେ ସେ ଛାତ୍ରୀଙ୍କ ଗଳା କାଟି ହତ୍ୟା କରିଥିଲା। ଏହି ଘଟଣା ସେହି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣା ପରେ ହମିଦୁଲ୍ ଫେରାର ହୋଇ ଯାଇଥିଲା। ତେବେ ହମିଦୁଲ ତା’ ପରିବାର ଲୋକଙ୍କ ସହ ମୋବାଇଲ ଫୋନ୍ରେ କଥା ହେଉଥିବା ଡାଇମଣ୍ଡ ହାର୍ବର ରେଲୱେ ପୁଲିସ ଜାଣିବାକୁ ପାଇଥିଲା। ଘଟଣାର ଖୋଳତାଡ଼ କରୁଥିବା ବେଳେ ଗତକାଲି ରାଜଧାନୀରେ ପହଞ୍ଚିଥିଲା ପୁଲିସ ଟିମ୍। ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଜାଣିବା ପରେ ଏୟାରଫିଲ୍ଡ ଥାନା ପୁଲିସ ସହାୟତାରେ ହମିଦୁଲକୁ ଗିରଫ କରା ଯାଇଥିଲା। କମିସନରେଟ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏଠାରେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିବା ହମିଦୁଲ୍ ସୁନ୍ଦରପଦାରେ ଘର ଭଡ଼ା ନେଇ ପଶ୍ଚିମବଙ୍ଗ ଅଞ୍ଚଳର କେତେକ ଶ୍ରମିକଙ୍କ ସହ ରହୁଥିଲା।