ବିଏମ୍‌ସି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ହତ୍ୟା ମାମଲା, ୩ ହତ୍ୟାକାରୀ ଗିରଫ

୪ମାସ ପରେ ଖୋଲିଲା ଗୁମର, ଚୋରି ଟଙ୍କା ଭାଗବାଣ୍ଟରୁ ହତ୍ୟା, ହେଲା ସିନ୍‌ ରିକ୍ରିଏସନ୍‌

ଭୁବନେଶ୍ବର: ଦୀର୍ଘ ୪ ମାସ ପରେ ମୁଣ୍ଡାସାହି ବିଏମ୍‌ସି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଘଟିଥିବା ବୀଭତ୍ସ ହତ୍ୟାକାଣ୍ଡର ଗୁମର ଖୋଲିଛି। ଲୁଟ୍‌ ଟଙ୍କା ଭାଗବାଣ୍ଟକୁ ନେଇ ଝଗଡ଼ାରୁ ମୁକେଶ ଚୌଧୁରୀଙ୍କୁ ତାଙ୍କ ସାଙ୍ଗମାନେ ଇଟାରେ ଛେଚି ହତ୍ୟା କରିଥିଲେ। ଆଜି ହତ୍ୟାକାଣ୍ଡର ତିନି ଅଭିଯୁକ୍ତଙ୍କୁ ଗିରଫ ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସେମାନେ ହେଲେ, ମଞ୍ଚେଶ୍ବର ହାଡ଼ବାଇ ବସ୍ତିର ଚନ୍ଦନ ପାଢ଼ୀ(୩୨), ଆଖଣ୍ଡଳମଣି ବସ୍ତିର ରଞ୍ଜନ କୁମାର ସାହୁ ଓରଫ କୁକୁଡ଼ା(୨୯) ଏବଂ ପଳାସୁଣୀ ଚମ୍ପକ ବିହାରର ରାଜେଶ କୁମାର ମହାନ୍ତି ଓରଫ ରାଜା(୨୭)। ଅଭିଯୁକ୍ତଙ୍କୁ ଗିରଫ ପରେ ପୁଲିସ ହତ୍ୟାକାଣ୍ଡର ସିନ୍‌-ରିକ୍ରିଏସନ୍‌ କରାଯାଇଥିଲା। ତିନି ଅଭିଯୁକ୍ତ ଘଟଣାସ୍ଥଳକୁ ଯାଇ କିଭଳି ମୁକେଶଙ୍କୁ ହତ୍ୟା କରିଥିଲେ ଦେଖାଇଥିଲେ। ପୁଲିସ ସେଠାରୁ ହତ୍ୟାରେ ବ୍ୟବହୃତ କିଛି ଇଟା ଜବତ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ମୃତ ମୁକେଶଙ୍କ ସମେତ ସମସ୍ତ ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ। ସେମାନେ ଲୁଟ୍‌ପାଟ କରିବା ପରେ ନିଜ ଭିତରେ ଲୁଟ୍‌ ଟଙ୍କା ଭାଗବଣ୍ଟା କରି ନିଅନ୍ତି। ଗତ ମାର୍ଚ୍ଚ ୪ ତାରିଖରେ ସେମାନେ ଲୁଟ୍‌ପାଟ୍‌ କରିବା ପରେ ଟଙ୍କା ଭାଗବଣ୍ଟା ପାଇଁ ମୁଣ୍ଡାସାହି ବିଏମ୍‌ସି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ଯାଇଥିଲେ। ଟଙ୍କା ଭାଗକୁ ନେଇ ମୁକେଶର ଅନ୍ୟମାନଙ୍କ ସହ କଥା କଟାକଟି ‌ହୋଇଥିଲା। ଯେଉଁଥିରେ ଅନ୍ୟ ତିନି ସହଯୋଗୀ ତାଙ୍କୁ ବିରୋଧ କରିଥିଲେ।

ହାତାହାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ରାଗରେ ଚନ୍ଦନ ପ୍ରଥମେ ମୁକେଶଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲା। ସେ ତଳେ ପଡ଼ିଯିବା ପରେ ତିନିଜଣ ତାକୁ ଇଟାରେ ଛେଚି ହତ୍ୟା କରିଥିଲେ। ପରେ ଇଟାରେ ପୋତି ପକାଇଥିଲେ। ହତ୍ୟାକାଣ୍ଡରୁ ଖସିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଚନ୍ଦନକୁ ଫେରାର୍‌ ହେବାକୁ କହିଥିଲେ। ପରେ ରଞ୍ଜନ ଓ ରାଜା ଥାନାକୁ ଯାଇ ତାଙ୍କ ସାଙ୍ଗକୁ କେହି ହତ୍ୟା କରି ବିଏମ୍‌ସି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ଫୋପାଡ଼ି ଦେଇଛି ବୋଲି କହିଥିଲେ। ଚନ୍ଦନ ଉପରେ ହିଁ ସେମାନଙ୍କ ସନ୍ଦେହ ହେଉଛି ବୋଲି ଜଣାଇଥିଲେ। ପୁଲିସ ଉଭୟଙ୍କ ବୟାନକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା। ଗତ ରାତିରେ ମଞ୍ଚେଶ୍ବର ଥାନା ପୁଲିସ ଚନ୍ଦନକୁ ଢେଙ୍କାନାଳ ନିହାଳସ୍ଥିତ ଏକ କୁକୁଡ଼ା ଫାର୍ମରୁ ଗିରଫ କରିଥିଲା। ତାକୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେ ସବୁ ସତ ମାନି ଯାଇଥିଲା। ପରେ ପୁଲିସ ରାଜଧାନୀରୁ ରାଜା ଓ ରଞ୍ଜନକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର