ବେଲଚାରେ ପିଟିପିଟି ଠିକାଦାରଙ୍କୁ ହତ୍ୟା ଘଟଣା, ଫନିରେ ଉଡ଼ିଗଲା ହତ୍ୟାକାରୀ!

ଭୁବନେଶ୍ବର: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଅଞ୍ଚଳ‌ରେ ‘ଫନି’ ପୂର୍ବ ରାତିରେ ଅରୁଣ କୁମାର ଦାସ ନାମକ ଜଣେ ଠିକାଦାରଙ୍କ ହତ୍ୟା ଘଟଣାକୁ ପାଖାପାଖି ୩ ମାସ ବିତିଗଲାଣି। କିନ୍ତୁ ଏଯାଏଁ ପୁଲିସ ହତ୍ୟାକାରୀକୁ ଗିରଫ କରି ପାରିନାହିଁ। ସତେଯେମିତି ଫନି ପବନରେ ହତ୍ୟାକାରୀ କେଉଁଆଡ଼େ ଉଡ଼ି ଯାଇଛି। ପୁଲିସ ପାଉନି। ହତ୍ୟାକାରୀକୁ ଖୋଜିଖୋଜି ନିରାଶ ହେବା ପରେ ପୁଲିସ୍‌ ତଦନ୍ତ ମଧ୍ୟ ଅଟକି ଯାଇଛି। ଫଳରେ ଆଉ ଏକ ଚର୍ଚିତ ହତ୍ୟାକାଣ୍ଡ ପୁଲିସ ଫାଇଲ ତଳେ ଚାପି ହୋଇଯିବାକୁ ବସିଛି। କିଏ ଓ କାହିଁକି ଠିକାଦାର ଅରୁଣଙ୍କୁ ହତ୍ୟା କଲା, ତାହା ଏଯାଏଁ ସ୍ପଷ୍ଟ ହୋଇପାରୁନି। ପୁଲିସ ସନ୍ଦେହରେ ଥିବା ଚିକୁର ମଧ୍ୟ ପତ୍ତା ମିଳୁନି। ଯାହାକୁ ନେଇ ଠିକାଦାର ଅରୁଣଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ମିଳଥିବା ସୂଚନା ମୁତାବକ, ହତ୍ୟାକାଣ୍ଡସ୍ଥଳରୁ ଯେଉଁ ମୋବାଇଲ ଜବତ ହୋଇଥିଲା, ତାହା ଅରୁଣଙ୍କର ବୋଲି ପୁଲିସ ଜାଣିବାକୁ ପାଇଛି। ପୁଲିସ ସେହି ମୋବାଇଲର କଲ ଡିଟେଲ୍ସ ମଧ୍ୟ ମଗାଇଥିଲା। କିନ୍ତୁ ଫନି ପାଇଁ ମୋବାଇଲ ନେଟୱର୍କ ସେବା ଠପ୍ ହୋଇଯାଇଥିବାରୁ କଲ ଡିଟେଲ୍ସ ମିଳି ପାରି ନଥିଲା। ଏବେ କଲ ଡିଟେଲ୍ସ ଆସିଛି। କିନ୍ତୁ ମୋବାଇଲ ଫୋନରୁ କେଉଁ ଆଡ଼େ କଲ୍‌ ହୋଇଥିଲା, ତାହା ଆଉ ଜଣାପଡ଼ୁନାହିଁ। ପୁଲିସ ହତ୍ୟାକାରୀର ନମ୍ବର ମଧ୍ୟ ସଂଗ୍ରହ କରି ତାକୁ ଟ୍ରାକ୍‌ କରିଥିଲା। ସେହି ଫୋନ ନମ୍ବର ହତ୍ୟାକାଣ୍ଡ ଦିନଠାରୁ ବନ୍ଦ ଥିଲା। ଅରୁଣଙ୍କ ଘର ଗଜପତି ଜିଲ୍ଲାରେ। କିନ୍ତୁ ସେ ଦୀର୍ଘ ସମୟ ଧରି ବ୍ରହ୍ମପୁରରେ ରହୁଥିଲେ। ପରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହିଲେ। ସେ କିନ୍ତୁ ନଖରା ଓ ଜାତୀୟ ରାଜପଥ କଡ଼ରେ ଗଢ଼ି ଉଠୁଥିବା ନୂତନ ଜନବସତିରେ ରଙ୍ଗ କାମ ଠିକାରେ ନେଇଥାନ୍ତି। ଯେଉଁ ବିଲ୍‌ଡିଂରେ ସେ କାମ କରିଥାନ୍ତି, ସେହି ବିଲ୍‌ଡିଂରେ ସେ ରାତିରେ ରହିଥାନ୍ତି। ତେଣୁ ଅରୁଣଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ପୁଲିସ ଗଜପତି ଓ ବ୍ରହ୍ମପୁର ମଧ୍ୟ ଯାଇଥିଲା। କିନ୍ତୁ କେହି ଅରୁଣଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇ ପାରୁନାହାନ୍ତି। ଫଳରେ ପୁଲିସ ତଦନ୍ତ ଯେତିକି ଆଗେଇବା କଥା ଆଗେଇ ପାରୁନାହିଁ।

ଘଟଣା ରାତିରେ ଚିକୁ ନାମକ ଜଣେ ଯୁବକଙ୍କ ସହ ଅରୁଣ ଏକ ଅର୍ଧନିର୍ମିତ ଘରର ଛାତ ଉପରେ ଶୋଇଥିଲେ। ସେହିପରି ରଙ୍ଗ ଠିକା କାମକୁ ନେଇ ତାଙ୍କର କେହି ଶତ୍ରୁ ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ଅରୁଣଙ୍କ ଅଧୀନରେ କାମ କରୁଥିବା କେତେକ ରଙ୍ଗ ମିସ୍ତ୍ରିଙ୍କୁ ମଧ୍ୟ ପୁଲିସ ପଚରା ଉଚରା କରି ଛାଡ଼ି ଦେଇଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡ ସମ୍ପର୍କରେ ମଧ୍ୟ ସେମିତି କିଛି ତଥ୍ୟ ମଧ୍ୟ ପୁଲିସର ହସ୍ତଗତ ହୋଇନାହିଁ। ଫଳରେ ପୁଲିସ ତଦନ୍ତ ଏକ ପ୍ରକାର ବନ୍ଦ ହୋଇଯାଇଛି। ଏପରିକି କେଉଁ କାରଣରୁ ଅରୁଣଙ୍କ ମୁହଁକୁ ବେଲଚା ଓ ଲୁହା ରଡରେ ଭୁସି କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ। ଏ ସମ୍ପର୍କରେ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ହତ୍ୟାକାଣ୍ଡ ପରଦିନ ବାତ୍ୟା ଫନି ଆସିଥିଲା। ଏହି କାରଣରୁ ପୁଲିସ ସଂପୂର୍ଣ୍ଣ ବ୍ୟସ୍ତ ଥିଲା। ପୁଲିସ ଉଭୟ ମୃତକ ଅରୁଣ ଓ ହତ୍ୟାକାରୀର ମୋବାଇଲ ଫୋନ କଲ ଡିଟେଲ୍ସ ମଗାଇ ସାରିଛି। ପୁଲିସ ସେହି ଦିଗରେ ତଦନ୍ତ ଚଳାଇଛି। ଖୁବ୍ ଶୀଘ୍ର ଅଭିଯୁକ୍ତ ଗିରଫ ହେବେ। ଅଭିଯୁକ୍ତ ଗିରଫ ହେବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ଏସିପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର