ନାବାଳକ ହତ୍ୟା ମାମଲା: ଅତିରିକ୍ତ ଡିସିପି କରିବେ ତଦନ୍ତ

ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ହସ୍ତକ୍ଷେପ ପରେ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଭରତପୁରର ନାବାଳକ ଛାତ୍ର ବାଦଲ ପାଢ଼ୀ ହତ୍ୟା ମାମଲାକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୁଲିସ୍‌। ଅଭିଯୋଗର ୪ଦିନ ପର୍ଯ୍ୟନ୍ତ ହାଲୁକା ଭାବରେ ନିଆ ଯାଇଥିବା ଏହି ଘଟଣାର ଆଜି ତଦନ୍ତ ନିର୍ଦେଶ ଦିଆଯାଇଛି। ଅତିରିକ୍ତ ଡିସିପି ସ୍ତରର ଜଣେ ଅଫିସର ଏହାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି। ଗତକାଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଖଣ୍ଡଗିରି ଥାନା ଇନ୍‌ସ୍‌ପେକ୍ଟରଙ୍କୁ ଏ ନେଇ ରିପୋର୍ଟ ତଲବ କରିଥିବା ବେଳେ ଆୟୋଗର ଦୁଇ ଜଣ ସଦସ୍ୟ ଖଣ୍ଡଗିରି ଥାନା ଯାଇ ତଦନ୍ତର ଅଗ୍ରଗତି ସମ୍ବନ୍ଧରେ ବୁଝିଥିଲେ। ମୃତ ନାବାଳକଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଥିଲେ। କମିସନ ତନାଘନା କରିବା ପରେ କମିସନରେଟ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।

ଏହି ମାମାଲାରେ ପୁଲିସ ଚରମ ଅବହେଳା କରିଥିବା ଅଭିଯୋଗ ରହିଛି। ଗତ ୨ ତାରିଖରେ ୯ମ ଶ୍ରେଣୀ ଛାତ୍ର ଅଶ୍ୱିନୀକୁ କେତେକ ଭୁଜାଲିରେ ହାଣି ପକାଇଥିଲେ। ସେହି ରାତିରେ ହିଁ ବାଦଲଙ୍କ ମା’ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ମାମଲା ରୁଜୁ କରିନଥିଲା କିମ୍ବା ତଦନ୍ତ ମଧ୍ୟ କରିନଥିଲା। ଏଣେ ନାବାଳକ ଘରୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ନାବାଳକଙ୍କ ଚେତା ନ ଫେରିବା ସହ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଥିଲା। ଇତିମଧ୍ୟରେ ଖଣ୍ଡଗିରି ଥାନା ନବନିଯୁକ୍ତ ଇନ୍ସପେକ୍ଟର ପଦ୍ମନାଭ ପ୍ରଧାନ କାର୍ଯ୍ୟରେ ଯୋଗ ଦେଇ ଥିଲେ। ୬ ତାରିଖ ରାତିରେ ସେ ମେଡ଼ିକାଲ ଯାଇ ତଦନ୍ତ କରିଥିଲେ। ୮ ତାରିଖ ବିଳମ୍ବିତ ରାତିରେ ବାଦଲର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହି ରାତିରେ ହିଁ ଖଣ୍ଡଗିରି ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ମୁଖ୍ୟ ଅଭିଯୁକ୍ତ ‘ଫରେନ’ ଓ ତା’ ସହଯୋଗୀମାନେ ଏବେ ବି ଫେରାର୍‌ ଅଛନ୍ତି।

ସମ୍ବନ୍ଧିତ ଖବର