ରାଜଧାନୀରେ ଚାଞ୍ଚଲ୍ୟ: ଯୁବ ଇଂଜିନିୟରଙ୍କୁ ମାରି ପୋଡ଼ିଦେଲେ

ଶିଖରଚଣ୍ଡୀ ମୁଣ୍ଡିଆରୁ ଯୁବ ଇଂଜିନିୟରଙ୍କ ଦରପୋଡ଼ା ଶବ ଜବତ
ବାଇକ୍, ପେଟ୍ରୋଲ ବୋତଲ ଓ ଲାଇଟର୍‌ ଜବତ

ଭୁବନେଶ୍ବର/ଚନ୍ଦ୍ରଶେଖରପୁର : ଗତକାଲି ରାତିରେ ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ମୁଣ୍ଡିଆରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜଣେ ଯୁବ ଇଂଜିନିୟରଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ପୋଡ଼ିଦେଇଛନ୍ତି। ମୃତକ ହେଲେ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ(୨୨)। ପୁଲିସ ଶିଖରଚଣ୍ଡୀ ମୁଣ୍ଡିଆରୁ ଅବିନାଶଙ୍କ ଦରପୋଡ଼ା ଶବ ଜବତ କରିଛି। ଘଟଣାସ୍ଥଳରୁ ପୁଲିସ ଅବିନାଶଙ୍କ ବାଇକ୍‌ ଓ ମୋବାଇଲ୍‌ ଫୋନ୍‌ ସମେତ କିଛି ପେଟ୍ରୋଲ ଥିବା ଗୋଟିଏ ବୋତଲ ଓ ଗୋଟିଏ ଲାଇଟର୍‌ ଜବତ କରିଛି। ଆଜି ସକାଳୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ତଦନ୍ତ କରିଥିବା ବେଳେ ଇନ୍‌ଫୋସିଟି ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛି। ଏପଟେ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଇନ୍‌ଫୋସିଟି ଥାନାରେ ଏକ ହତ୍ୟା ମାମଲା ରୁଜୁହୋଇଛି ଓ ପୁଲିସ କିଛି ସନ୍ଦିଗ୍ଧଙ୍କୁ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି। ଘଟଣା ପଛରେ ପ୍ରେମବ୍ୟାପାର ଥିବା ଚର୍ଚ୍ଚା ହେଉଛି। ଅବିନାଶଙ୍କ ପ୍ରେମିକାଙ୍କ ପରିବାର ଲୋକେ ଏହି ଜଘନ୍ୟକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ, ଅବିନାଶ ଜଣେ ବିଟେକ୍‌ ଛାତ୍ର। ଦୁଇ ମାସ ତଳେ ସେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ସଂସ୍ଥାରେ ଟ୍ରେନି ଇଂଜିନିୟର ଭାବେ ଯୋଗଦେଇଥିଲେ। ଗତକାଲି ରାତିରେ ସେ ପ୍ରାୟ ୮ଟା ୧୦ରେ ଅଫିସରୁ ଘରକୁ ଫେରିବାକୁ ବାହାରିଥିଲେ। ଏହା ପୂର୍ବରୁ ସେ ବାପାଙ୍କୁ ଫୋନ୍‌ କରିଥିଲେ। ଗ୍ୟାଲେକ୍ସି ଗାର୍ଡେନରେ ସାଙ୍ଗ ଜଗଦୀଶକୁ ଦେଖାକରି ଘରକୁ ଫେରିବେ ବୋଲି କହିଥିଲେ। କିନ୍ତୁ ରାତି ପ୍ରାୟ ସାଢ଼େ ୯ଟା ସୁଦ୍ଧା ସେ ଘରେ ନ ପହଞ୍ଚିବାରୁ ବାପା ଲଲାଟେନ୍ଦୁ ପୁଣି ଫୋନ୍‌ କରିଥିଲେ। କିନ୍ତୁ ସେ ଆଉ ଫୋନ୍‌ ଉଠାଇନଥିଲେ। ରାତି ପ୍ରାୟ ୧୧ଟା ବେଳେ ଜଣେ ପୁଲିସ କର୍ମଚାରୀ ଅବିନାଶଙ୍କ ଫୋନ୍‌ ଉଠାଇ ଲଲାଟେନ୍ଦୁଙ୍କୁ ଇନ୍‌ଫୋସିଟି ଥାନା ନିକଟସ୍ଥ ଏକ ଘରୋଇ ହସ୍ପିଟାଲକୁ ତୁରନ୍ତ ଆସିବାକୁ କହିଥିଲେ। ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ଅବିନାଶଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ପୁଲିସ ସୂଚନାନୁସାରେ ଶିଖରଚଣ୍ଡୀ ମୁଣ୍ଡିଆ ନିକଟରେ ପିସିଆର୍‌ ଭ୍ୟାନ୍‌ ପାଟ୍ରୋଲିଂ କରୁଥିଲା। ଏତିକିବେଳେ ମୁଣ୍ଡିଆ ଉପରକୁ ଲମ୍ବିଥିବା ରାସ୍ତାରେ କିଛି ଜଳୁଥିବା ଦେଖି ଘଟଣାସ୍ଥଳକୁ ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେ‌ଳକୁ ଏକ ବାଇକ୍‌ ଷ୍ଟାର୍ଟ ଅବସ୍ଥାରେ ଥିଲା ଓ ବାଇକ୍‌ ସିଟ୍‌ରେ ମୋବାଇଲ୍‌ ଫୋନ୍‌ ଥିଲା। ବାଇକ୍‌ଠାରୁ ମାତ୍ର କିଛି ଗଜ ଦୂରରେ ଜଣେ ଯୁବକ ଜଳି ଯାଉଥିଲେ। ଯୁବକଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। କାଳେ ବଞ୍ଚିଥିବା ଭାବି ପିସିଆର୍‌ କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଖବର ପାଇ ଏସିପି ର‌ମେଶଚନ୍ଦ୍ର ବିଶୋୟୀ ଓ ଇନ୍‌ଫୋସିଟି ଥାନା ଆଇଆଇସି ହସ୍ପିଟାଲ ଓ ଶିଖରଚଣ୍ଡୀ ମୁଣ୍ଡିଆ ବୁଲି ତଦନ୍ତ ଆରମ୍ଭ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଅବିନାଶଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି କୁହାଯାଇଛି। ଘଟଣାସ୍ଥଳ ଓ ପାରିପାର୍ଶ୍ବିକ ଚିତ୍ର ସମୂହରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।

‘ମୋତେ ମିସ୍‌ କରିବନି’
ପୁଲିସ ଅବିନାଶଙ୍କ ବାଇକ୍‌ରେ ଥିବା ଏକ ବ୍ୟାଗ୍‌ରୁ ଦୁଇଟି ନୋଟ୍‌ ଜବତ କରିଛି। ସେଥିରେ ଲେଖାଅଛି, ‘ତମେ ବ୍ୟସ୍ତ ହୁଅନି। ମୁଁ ୨୧-୨୨ ତାରିଖ ବେଳକୁ ବାହାରକୁ ପଳେଇବି। ମୋତେ ମିସ୍‌ କରିବା ଦରକାର ନାହିଁ। ମୁଁ ତମ ରାସ୍ତାରେ ଆସବିନି କି ତମେ ମୋ ରାସ୍ତାରେ ଆସିବ। କେବେ ବି ମୁଁ ତମର କଣ୍ଟା ହେବି ନାହିଁ। ମୁଁ ଯେଉଁଠି ରହିଲେ ବି ତମକୁ ସବୁବେଳେ ସହଯୋଗ କରିବି।’ ଏହି ଚିଠି ଦୁଇଟିରେ କାହାର ନାମ ଉଲ୍ଲେଖ ନାହିଁ। କିନ୍ତୁ ଲେଖାରୁ ସ୍ପଷ୍ଟ ଯେ ଅବିନାଶ ତାଙ୍କ ପ୍ରେମିକା ଉଦ୍ଦେଶ୍ୟରେ ଲେଖିଥିଲେ। ପୁଲିସ ଉକ୍ତ ନୋଟ୍‌ର ହସ୍ତାକ୍ଷରକୁ ଯାଞ୍ଚ କରୁଛି।

ପରିବାର ଆଣିଲା ହତ୍ୟା ଅଭିଯୋଗ
ଅବିନାଶଙ୍କ ମୃତଦେହ ଯେମିତି ଅବସ୍ଥାରେ ମିଳିଥିଲା, ପୁଲିସ ପ୍ରଥମେ କିଛି ବୁଝିପାରିନଥିଲା। ଏହା ହତ୍ୟା ଭଳି ଜଣାପଡ଼ୁଥିଲେ ବି କିଛି ମାତ୍ରାରେ ଆତ୍ମହତ୍ୟା ଭଳି ବି ଜଣାପଡ଼ୁଥିଲା। କିନ୍ତୁ ପରିବାର ଲୋକେ ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି। ଅବିନାଶଙ୍କ ବାପା ହତ୍ୟାକାରୀଙ୍କ ବାବଦରେ ସିଧାସଳଖ କିଛି ସୂଚନା ଦେଇନଥିଲେ ମଧ୍ୟ ଏହା ଏକ ପ୍ରେମ ବ୍ୟାପାରକୁ ନେଇ ଘଟିଛି ବୋଲି ସୂଚନା ଦେଇଛନ୍ତି। ସେହିଭଳି ଘଟଣା ସମୟରେ ମୁଣ୍ଡିଆରେ ଥିବା କିଛି ଲୋକଙ୍କ କଥାରୁ ଏହା ସ୍ପଷ୍ଟ ହୋଇଛି ଯେ ଅବିନାଶଙ୍କ ସହ କିଛି ଯୁବକଙ୍କର କଥା କଟାକଟି ଚାଲିଥିଲା। ତେଣୁ ସେହି ଯୁବକମାନେ ହିଁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେଣୁ ପୁଲିସ ହତ୍ୟା ମାମଲା ରୁଜୁକରି ତନାଘନା ଚଳାଇଛି।

ଅବିନାଶଙ୍କ ପ୍ରେମ କାହାଣୀ
ଅବିନାଶଙ୍କ ବନ୍ଧୁମାନଙ୍କ ସୂଚନାନୁଯାୟୀ ଇନ୍‌ଫୋସିଟି ଥାନା ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ରୀଙ୍କୁ ସେ ପ୍ରେମ କରୁଥିଲେ। ସ୍କୁଲ ଜୀବନରୁ ଅବିନାଶ ଓ ଉକ୍ତ ଛାତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଏନେଇ ଦୁଇ ପରିବାର ମଧ୍ୟରେ ମଧ୍ୟ ବିବାଦ ଥିଲା। ତେବେ ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଉକ୍ତ କଲେଜ ହ‌ଷ୍ଟେଲରେ ଛାଡ଼ିବା ପରେ ଅବିନାଶ ତାଙ୍କୁ ଦେଖା କରିବାକୁ ଶିଖରଚଣ୍ଡୀ ପାହାଡ଼ ନିକଟକୁ ପ୍ରାୟ ଆସୁଥିଲେ। ବହୁ ସମୟରେ ଅବିନାଶ ଅଫିସ୍‌ରୁ ଫେରିବା ବେଳେ ଛାତ୍ରୀଙ୍କୁ ଶିଖରଚଣ୍ଡୀ ପାହାଡ଼ରେ ସାକ୍ଷାତ କରୁଥିଲେ।

ଦୁଇ ଯୁବକଙ୍କ ସହ ହୋଇଥିଲା ଯୁକ୍ତିତର୍କ
ଶିଖରଚଣ୍ଡୀ ମନ୍ଦିରର ଜଣେ ପୂଜକଙ୍କ ସୂଚନା ମୁତାବକ ପାଖାପାଖି ରାତି ୯ଟା ବେଳେ ସେ ଘରକୁ ଫେରୁଥିଲେ। ମୁଣ୍ଡିଆ ରାସ୍ତାରେ ଏକ ନିଛାଟିଆ ରାସ୍ତାରେ ଦୁଇ/ତିନି ଜଣ ଯୁବକ ଏକ ବାଇକ୍ ନିକଟରେ ଠିଆହୋଇ ପାଟିତୁଣ୍ଡ କରୁଥିଲେ। ତେବେ ଏଭଳି ପାଟିତୁଣ୍ଡ ମୁଣ୍ଡିଆରେ ନିୟମିତ ଘଟଣା ହୋଇଥିବାରୁ ସେ ସେଥିପ୍ରତି ଗୁରୁତ୍ବ ଦେଇନଥିଲେ। ତେଣୁ ପୂଜକଙ୍କ କଥାରୁ ଜଣାପଡ଼ୁଛି, ଅବିନାଶ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ବେଳେ ତାଙ୍କୁ ପିଛା କରୁଥିବା ଯୁବକମାନେ ଏହି କାଣ୍ଡ କରିଛନ୍ତି। ଗଣ୍ଡଗୋଳ କରୁଥିବା ଦୁଇ ଯୁବକ ଉକ୍ତ ଛାତ୍ରୀଙ୍କ କେହି ନିଜ ଲୋକ ହୋଇଥିବେ କିମ୍ବା ସୁପାରି କିଲର୍‌ ହୋଇଥିବା ସନ୍ଦେହ କରାଯାଉଛି।

ମୋବାଇଲ୍‌ କଲ୍‌ ରେକର୍ଡରୁ ମିଳିବ ସତ!
ପୁଲିସ ଅବିନାଶଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କରୁଛି। ଦିନ ସାରା ସେ କାହା କାହା ସହିତ କଥା ହୋଇଥିଲେ, ସେବାବଦରେ ତଥ୍ୟ ସଂଗ୍ରହ କରାଯିବ। ବିଶେଷକରି ଅଫିସ୍‌ରୁ ଫେରିବା ଠିକ୍‌ ପୂର୍ବରୁ ଅବିନାଶ କାହାକୁ ଫୋନ୍‌ କରିଥିଲେ ବା କିଏ ତାଙ୍କୁ ଫୋନ୍‌ କରିଥିଲା, ସେନେଇ ପୁଲିସ ଖୋଳତାଡ୍‌ ଆରମ୍ଭ କରିଛି। ଅବିନାଶଙ୍କ କଲ୍ ରେକର୍ଡରୁ ବହୁ ତଥ୍ୟ ମିଳିବା ନିଶ୍ଚିତ ଓ ଏଥିରୁ ହତ୍ୟାକାଣ୍ଡ ପଛର ପ୍ରକୃତ ସତ ଜଣାପଡ଼ିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବଡ଼ କଥା ହେଉଛି, ଗତକାଲି ଅପରାହ୍ଣରେ ବା ସନ୍ଧ୍ୟାରେ ଅବିନାଶଙ୍କ ମୋବାଇଲ୍‌ କଲ୍‌ ରେକର୍ଡରୁ ଉକ୍ତ ପ୍ରେମିକା ବା ଛାତ୍ରୀଙ୍କ କଲ୍‌ ଥିବା ଜଣାପଡ଼ିଲେ, ହତ୍ୟାକାଣ୍ଡର କାରଣ ଜଣାପଡ଼ିବ।

ଘରେ କରିଥିଲେ ମିନି ଚିଡ଼ିଆଖାନା
ବିଭିନ୍ନ ପଶୁପକ୍ଷୀଙ୍କୁ ଘରେ ପାଳି ସେମାନଙ୍କର ଯତ୍ନ ନେଉଥିଲେ ଅବିନାଶ। ସାପ ଧରିବା ମଧ୍ୟ ତାଙ୍କ ସଉକ ଥିଲା। ସେ ନିଜ ଘରେ ଏକ ମିନି ଚିଡ଼ିଆଖାନ କରିଥିଲେ। ପୁଲିସ ତାଙ୍କ ବାଇକ୍‌ ଡିକିରୁ ଗୋଟିଏ ସାପ ଜବତ କରିଛି।

ସମ୍ବନ୍ଧିତ ଖବର