ବିଧାନସଭା ସମ୍ମୁଖରେ ହତ୍ୟା ମାମଲା: ଅଭିଯୁକ୍ତ ରାଜା ଓ ଗେଡ଼ୁ ଗିରଫ

ଅନ୍ତରାଳରେ ଅପମାନର ପ୍ରତିଶୋଧ

ଭୁବନେଶ୍ବର: ବିଧାନସଭା ସାମ୍ନାରେ ଘଟିଥିବା ବବୁଲୁ ବେହେରା ହତ୍ୟାକା‌ଣ୍ଡ ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କମିସନରେଟ୍‌ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଅଞ୍ଚଳରେ ରାସ୍ତାକଡ଼ରେ ଯାଯାବର ଭଳି ରହୁଥିବା ଗଞ୍ଜାମ ଜିଲ୍ଲା ମଲ୍ଲି ଜଗନ୍ନାଥପୁର ଅଞ୍ଚଳର ରାଜେଶ ମହାପାତ୍ର ଓରଫ୍‌ ରାଜା(୩୨) ଓ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଅଜୟ ରାଉତ ଓରଫ ଗେଡ଼ୁ(୩୨)। ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଲୁହା ରଡ୍‌ ଜବତ କରାଯାଇଛି। ସେମାନେ ଚେନ୍ନାଇ ପଳାଇବାକୁ ପ୍ରସ୍ତୁତ ହୋଇସାରିଥିବା ବେଳେ ପୁଲିସ ଭୁବନେଶ୍ବର ଷ୍ଟେସନ୍‌ ନିକଟ ଏକ ଅମୂଲ ଗୋଦାମରୁ ସେମାନଙ୍କୁ ଠାବ କରିଥିଲା।

ହତ୍ୟାକାଣ୍ଡର କାରଣ

ହତ୍ୟା ଅଭିଯୁକ୍ତ ରାଜା ଓ ଗେଡ଼ୁ ଭଳି ମୃତ ବବୁଲୁ ବି ଥିଲା ରାଜରାସ୍ତାରେ ଯାଯାବର ଭଳି ରହୁଥିବା ଜଣେ ଶ୍ରମିକ। ଭୁବନେଶ୍ବର ରେଳ ଷ୍ଟେସନ ଓ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଅଞ୍ଚଳରେ ରହି ଏଣେତେଣେ କାମ କରୁଥିଲା। ପୂର୍ବରୁ ରାଜା ଓ ଗେଡ଼ୁ ସହ ବବୁଲୁର ଭଲ ସମ୍ପର୍କ ଥିଲା। କିନ୍ତୁ ବବୁଲୁ ପୂଜାକୁ ବିବାହ କରିବା ପରେ ସେମାନଙ୍କ ସମ୍ପର୍କରେ ଧୀରେଧୀରେ ଫାଟ ସୃଷ୍ଟି ହୋଇଥିଲା। ରାଜା ଓ ଗେଡ଼ୁ ସବୁ ସମୟରେ ବବୁଲୁ ଓ ପୂଜାର ଦାମ୍ପତ୍ୟ ଜୀବନରେ ଅନଧିକାର ହସ୍ତକ୍ଷେପ କରୁଥିଲେ। ତେଣୁ ସ୍ବାମୀ-ସ୍ତ୍ରୀ ଧୀରେ ଧୀରେ ସେମାନଙ୍କଠାରୁ ଦୂରେଇ ରହିବାକୁ ଲାଗିଲେ। ଗତ ୪ମାସ ହେବ ସେମାନେ ଛୋଟ ପୁଅକୁ ଧରି ଲୋୟର୍ ପିଏମ୍‌ଜିସ୍ଥିତ ଇଣ୍ଡିଆନ୍ ପୋଷ୍ଟାଲ୍‌ ଏଟିଏମ୍‌ କାଉଣ୍ଟର ବାରଣ୍ଡାରେ ରହିଆସୁଥିଲେ। ତଥାପି ରାଜା ଓ ଗେଡ଼ୁ ସେମାନଙ୍କ ପିଛା ଛାଡ଼ିନଥିଲେ। ବାରମ୍ବାର ବାରଣ କରିବା ସତ୍ତ୍ବେ ସେମାନେ ବବୁଲୁର ପାରିବାରିକ ଜୀବନରେ ଧସେଇ ପଶୁଥିଲେ।

ପୂଜା ଆଉ ବେଶି ଦିନ ଏହାକୁ ସହ୍ୟ କରିନଥିଲା। ତେଣୁ ଗତ ୧୦ ତାରିଖ ଦିନ ଏଟିଏମ୍‌ ନିକଟ ଏକ ପାନଦୋକାନ ସମ୍ମୁଖରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଜା ଓ ଗେଡ଼ୁ ମିଳିତ ଭାବେ ବବୁଲୁକୁ ମାଡ଼ ମାରିଥିଲେ। ଏହାକୁ ପୂଜା ବିରୋଧ କରି ସ୍ଥାନୀୟ ଲୋକଙ୍କ ସହଯୋଗ ଲୋଡ଼ିଥିଲା। ସ୍ଥାନୀୟ ଲୋକମାନେ ମିଶି ରାଜା ଓ ଗେଡ଼ୁକୁ ମାଡ଼ ମାରି ସେଠାରୁ ଘଉଡ଼ାଇ ଦେଇଥିଲେ। ଏହା ସେମାନଙ୍କୁ ବେଶ୍ ବାଧିଥିଲା। ଅପମାନର ପ୍ରତିଶୋଧ ନେବାକୁ ସେମାନେ ବବୁଲୁ ଓ ପୂଜାକୁ ହତ୍ୟା କରିବେ ବୋଲି ଯୋଜନା କରିଥିଲେ। ଯୋଜନା ମୁତାବକ ସେହିଦିନ ରାତି ପ୍ରାୟ ୨ଟା ସମୟରେ ସେମାନେ ଶୋଇଥିବା ଅବସ୍ଥାରେ ବବୁଲୁ ଓ ପୂଜାଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ବହ୍ଲା ଓ ଲୁହା ରଡ୍‌ରେ ଉଭୟଙ୍କୁ ପିଟିଥିଲେ।

କେମିତି ଧରାପଡ଼ିଲେ

ବିଳମ୍ବିତ ରାତିରେ(ପ୍ରାୟ ୨ଟା) ବବୁଲୁ ବେହେରାଙ୍କୁ ହତ୍ୟା କରିବା ପରେ ରାଜା ଓ ଗେଡ଼ୁ ଭୁବନେଶ୍ବର ଷ୍ଟେସନ ପାଖକୁ ଚାଲି ଯାଇଥିଲେ। ଚେନ୍ନାଇ ପଳାଇବା ପାଇଁ ଯୋଜନା କରିଥିଲେ। କିନ୍ତୁ ଟ୍ରେନ୍‌ ଟିକେଟ୍‌ ପାଇଁ ନିହାତି ଯେତିକି ଟଙ୍କା ଦରକାର, ତାହା ସେମାନଙ୍କ ପାଖରେ ନଥିଲା। ତେଣୁ ସେମାନେ କୌଣସି ମାଲିକ ପାଖରୁ କାମ ବାହାନାରେ ଅଗ୍ରୀମ ଟଙ୍କା ଯୋଗାଡ଼ରେ ଲାଗିପଡ଼ିଥିଲେ। ଏଣେ ହତ୍ୟାକାରୀମାନଙ୍କୁ ଧରିବା ପାଇଁ ପୁଲିସ ଲାଗି ପଡ଼ିଥିଲା। ବିଧାନସଭା ସମ୍ମୁଖରେ ରାଜଧାନୀର ପ୍ରମୁଖ ହାଇ ସିକ୍ୟୁରିଟି ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଥିବାରୁ ପୁଲିସ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ସବୁ କଳବଳ ଖଟାଇ ଦେଇଥିଲା।

୧୨ଟି ଟିମ୍‌ ଭୁବନେଶ୍ବରର ପ୍ରମୁଖ ଛକରେ ଜଗି ରହିଥିଲେ। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ହତ୍ୟାକାରୀମାନେ ଜଣାପଡ଼ିଥିବାରୁ ସାଦା ପୋଷାକରେ ଥିବା ପୁଲିସ ଟିମ୍‌ ଭୁବନେଶ୍ବର ରେଳ ଷ୍ଟେସନ ଅଞ୍ଚଳରେ ଘନଘନ ଘୁରିବୁଲିଥିଲା। ରାଜା ଓ ଗେଡ଼ୁକୁ ନିୟମିତ କାମ ଦେଉଥିବା ସବୁ ଦୋକାନୀ ଓ ଗୋଦାମ ମାଲିକଙ୍କୁ ଘନଘନ ପଚରାଉଚରା କରାଯାଇଥିଲା। ଏମିତିକି ସେମାନେ ଫେରାର୍ ହୋଇଗଲେ, ପୁଲିସ ସେମାନଙ୍କୁ ହତ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ଶେଷରେ ପୁଲିସକୁ ସୂଚନା ମିଳିଯାଇଥିଲା। ଲୁଚିଥିବା ଅବସ୍ଥାରେ ଏକ ଗୋଦାମରୁ ସେମାନଙ୍କୁ ଠାବ କରାଯାଇଥିଲା।

ଗେଡୁ ହତ୍ୟା ଅଭିଯୁକ୍ତ ଓ ରାଜା ଲୁଟେରା

ଉଭୟ ଗେଡ଼ୁ ଓ ରାଜା ପୁରୁଖା ଅପରାଧୀ। ପୂର୍ବରୁ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ୨୦୧୩ ମସିହାରେ କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲାରେ ଗେଡ଼ୁ ଜଣେ ଅଭିଯୁକ୍ତ। ରାଜମହଲ ଛକରେ ନିଜର ଜଣେ ସାଙ୍ଗକୁ ହତ୍ୟା କରିଥିବା ଅଭିଯୋଗରେ ସେ ଜେଲ୍‌ ଯାଇଥିଲା ଓ ଗତ କିଛି ଦିନ ହେଲା ଜାମିନ୍‌ରେ ଆସିଥିଲା। ସେହିଭଳି ଗାଁରେ ସେ ନିଜ ଦାଦାକୁ ହତ୍ୟା ଉଦ୍ୟମ କରିଥିଲା। ତେବେ ଅଭିଯୁକ୍ତ ରାଜା ଜଣେ ଛୋଟକା‌ଟର ଚୋର ବୋଲି ଜଣାପଡ଼ିଛି। ତା’ ନାଁରେ ଖାରବେଳନଗର ଥାନାରେ ୩ଟି ଚୋରି ମାମଲା ରହିଛି।

ସମ୍ବନ୍ଧିତ ଖବର