ଭୁବନେଶ୍ବର : ଆଜି ସୁରେଖା ପଲେଇ ହତ୍ୟାକାଣ୍ଡକୁ ମିଶାଇ ଗତ ୧୨ଦିନ ମଧ୍ୟରେ ରାଜଧାନୀରେ ୩ଟି ହତ୍ୟାକାଣ୍ଡରେ ୩ଜଣଙ୍କ ମୁଣ୍ଡ ଗଡ଼ି ସାରିଲାଣି। କହିବାକୁ ଗଲେ, ବର୍ଷ ଆରମ୍ଭରୁ ରାଜଧାନୀ ହତ୍ୟା ଭଳି ଜଘନ୍ୟ ଅପରାଧର ଅପବାଦ ମୁଣ୍ଡାଇଲାଣି। ଗତ ମାସ ୩୦ ତାରିଖ ରାତିରେ ମଞ୍ଚେଶ୍ବର ଥାନା ଅଧୀନ ଧିରିକୁଟି ଭିଣୋଇକୁ ହତ୍ୟା କରି ଭଉଣୀ ମୁଣ୍ଡରୁ ସିନ୍ଦୂର ପୋଛି ଦେଇଥିଲା ବାପୁନି ନାୟକ। ଦୁଇ ସହଯୋଗୀଙ୍କ ସହ ମିଶି ବାପୁନି ଭିଣୋଇ ସୁଶାନ୍ତ ଘଡ଼େଇକୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିଲା। ଏହି ଘଟଣାରେ ପୁଲିସ ବାପୁନି ସମେତ ରମେଶ ମହାନ୍ତି ଓରଫ କାହ୍ନା ଓ ରଙ୍ଗମାଟିଆର ଦୀପକ କୁମାର ସେଠୀ ଓରଫ ବବ୍ଲୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସେହିପରି ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଦୁଇ ଗୋଷ୍ଠୀ ବିବାଦରେ ସୁନ୍ଦରପଦାର ଦୀପକ ରାଉତରାୟ (୫୪) ବଳି ପଡ଼ି ଯାଇଥିଲେ। ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିବା ସହ ପାଟିରେ ଏକ ଗୁପ୍ତି ଭର୍ତ୍ତି କରି ହତ୍ୟା କରିଥିଲେ। ଏୟାରଫିଲ୍ଡ ଥାନା ପୁଲିସ ୪ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଭିକି ମଲିଆ, ସୁଜିତ ମଲିଆ ଏବଂ ଗୁନୁ ମଲିଆ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ଆତ୍ମସର୍ମପଣ କରିଛନ୍ତି। ଏୟାରଫିଲ୍ଡ ଥାନା ପୁଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର୍ ଥିବା କୁହାଯାଉଛି।
ଏହି ୩ ହତ୍ୟାକାଣ୍ଡ ବ୍ୟତୀତ ଲୁଟ୍ପାଟ୍, ହଣାକଟା, ଗୋଷ୍ଠୀସଂଘର୍ଷ, ପୁଲିସକୁ ଅଟକ ରଖିବା ଭଳି ଆପରାଧିକ ଘଟଣା ମଧ୍ୟ ଏହି ସମୟ ମଧ୍ୟରେ ଘଟିଛି। ଗତ ୫ ତାରିଖ ଦିନ ସ୍ପଷ୍ଟ ଦିବାଲୋକରେ ଜଣେ ଦୁର୍ବୃତ୍ତ ସହିଦନଗର ଥାନା ଅର୍ନ୍ତଗତ ଜଗନ୍ନାଥନଗର ଲେନ୍-୪ରେ ରହୁଥିବା ମହିଳା ଗୀତାଞ୍ଜଳି ପାଲଟାସିଂହଙ୍କୁ ହାଣି ଲୁଟ୍ପାଟ୍ କରିଥିଲ। ଦୁର୍ବୃତ୍ତଜଣଙ୍କ ତାଙ୍କ ମୁଣ୍ଡ, ବେକ, ହାତ, ପିଠିକୁ ଖଣ୍ଡା ଚୋଟ ମାରି ରକ୍ତାକ୍ତ କରିଦେଇଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଏଯାଏ ଦୁର୍ବୃତ୍ତର ପତ୍ତା ପାଇ ପାରିନାହିଁ। ସେହିପରି ଭରତପୁର ଥାନାସ୍ଥିତ ଫୁଲେଶ୍ବର ବସ୍ତିରେ ସରକାରୀ ଜମିକୁ କେନ୍ଦ୍ର କରି ଭୟଙ୍କର ସ୍ଥିତି ଉପୁଜିଥିଲା। ସ୍ଥିତି ବିଗିଡ଼ିବାରୁ ପିସିଆର୍ ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ହସ୍ତକ୍ଷେପ କରିଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସ ସହ ପିସିଆର୍ ଭ୍ୟାନ୍କୁ ୩ଘଣ୍ଟା କାଳ ଅଟକ ରଖିଥିଲେ। ଅବଶ୍ୟ ବୁଝାସୁଝା ପରେ ଛାଡ଼ି ଦେଇଥିଲେ।