ଭୁବନେଶ୍ୱର : ବର୍ଷ ପରେ ବର୍ଷ, ମାସ ପରେ ମାସ, ଏମିତି ଦିନ ଗଡ଼ିଗଡ଼ି ଯାଉଛି। କିନ୍ତୁ ରାଜଧାନୀରେ ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ମିଳିପାରୁନି ନ୍ୟାୟ। ବିଶେଷକରି ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାମାନେ ଆଉ ନ୍ୟାୟ ପାଇବେ ବୋଲି ମନେ ହେଉନାହିଁ। କିଛି ମାମଲାରେ କମିସନରେଟ୍ ପୁଲିସ ମୃତ ମହିଳାମାନଙ୍କ ପରିଚୟ ଖୋଜି ପାଉନି। ପୁଣି କିଛି ମାମଲାରେ ହତ୍ୟାକାରୀମାନଙ୍କୁ ଠାବ କରିପାରୁନି। ଫଳରେ ହତ୍ୟାକାରୀମାନେ ବେଶ୍ ଆରାମରେ ବୁଲୁଛନ୍ତି ଓ ମୃତ ମହିଳାମାନେ ନ୍ୟାୟ ପାଇପାରିନାହାନ୍ତି। କିଛି ମାମଲାର ରହସ୍ୟ କମିସନରେଟ୍ ପୁଲିସ ପାଇଁ ପୂରା ଅଭେଦ୍ୟ ହୋଇଗଲାଣି ବୋଲି ଚର୍ଚ୍ଚା ହେଉଛି। କେବଳ ମହିଳା ହତ୍ୟାକାଣ୍ଡ ନୁହେଁ, ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ହତ୍ୟାକାଣ୍ଡ ବି ପୁଲିସ ପାଇଁ ଅସମାହିତ ହୋଇ ପଡ଼ିଛି ବର୍ଷ ବର୍ଷ ଧରି। ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ପାଇବା ପରେ ବି ପୁଲିସ ହତ୍ୟାକାରୀଙ୍କୁ ଗିରଫ କରିପାରୁନାହିଁ। ତଦନ୍ତ ଚାଲିଛି ବାହାନାରେ ପୁଲିସ ସମୟ ଗଡ଼ାଇ ଚାଲିଛି ସିନା, ପ୍ରକୃତରେ ପୁଲିସ ହାତ ଟେକି ଦେଇଛି ବୋଲି କୁହାଯାଉଛି। ଏଣେ ଗୋଟିଏ ପରେ ଗୋଟିଏ ମାମଲା ପୁଲିସ ଉପରେ ବୋଝ ହୋଇ ଲଦି ହୋଇଯାଉଛି। କେବଳ ଚଳିତବର୍ଷର ଏକାଧିକ ମାମଲାରୁ ପରଦା ଉଠାଇବାରେ ଫେଲ୍ ମାରିଛି ତଦନ୍ତକାରୀ ଟିମ୍। ଦିନ ଗଡ଼ି ଯାଉଥିବା ବେଳେ ନୂଆ ନୂଆ ମାମଲା ଯୋଡ଼ି ହୋଇ ଯାଉଥିବାରୁ ପୁରୁଣା ମାମଲା ଉପରୁ ପୁଲିସର ନଜର ହଟିଯାଉଥିବା ମନେ ହେଉଛି। ଏମିତି କିଛି ଘଟଣାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା...
ଅନ୍ୟାନ୍ୟ ଅସମାହିତ ହତ୍ୟାକାଣ୍ଡ
କୋରିୟର୍ ମ୍ୟାନେଜର ଦେବାଶିଷ ମହାନ୍ତି ହତ୍ୟାକାଣ୍ଡ
୨୦୧୧ ସେପ୍ଟେମ୍ବର ୨୨ ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଗାଳପଡ଼ା ନିକଟରୁ ମିଳିଥିଲା କୋରିୟର୍ ମ୍ୟାନେଜର୍ ଦେବାଶିଷ ମହାନ୍ତିଙ୍କ ମୃତଦେହ। କାର୍ ଭିତରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଉକ୍ତ ମାମଲା କ୍ରାଇମ୍ବ୍ରାଞ୍ଚ ତଦନ୍ତ କରୁଥିଲା। ଆଜି ପର୍ଯ୍ୟନ୍ତ ହତ୍ୟାକାରୀଙ୍କ ପତ୍ତା ପାଉନି ପୁଲିସ।
କୁଆଖାଇ ପଠାରୁ ଯୁବକଙ୍କ ମୃତଦେହ ଜବତ ମାମଲା
୨୧ ଜୁଲାଇ ୨୦୨୧। କୁଆଖାଇ ପଠା ବରିମୁଣ୍ଡ ବାଲିଯାତ୍ରା ପଡ଼ିଆରୁ ବାଲିରେ ପୋତା ଯାଇଥିବା ଅବସ୍ଥାରେ ମିଳିଥିଲା ଜଣେ ଅପରିଚିତ ଯୁବକଙ୍କ ମୃତଦେହ। ପୁଲିସ ପୋଷ୍ଟର ମାରିଲା। ଘଟଣାକୁ ପ୍ରାୟ ୫ ମାସ ହେଲାଣି। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ଆଜି ବି ରହସ୍ୟଘେରରେ ରହିଛି।
ମନୀଷ ହତ୍ୟା ମାମଲା
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କୁ ହତ୍ୟା କରାଯିବା ସ୍ପଷ୍ଟ ହୋଇଛି। ବାର୍ ବିଲ୍ ପଇଠକୁ କେନ୍ଦ୍ର କରି ୩ ଅଭିଯୁକ୍ତ ମନୀଷଙ୍କୁ ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି। କିନ୍ତୁ କେମିତି ହତ୍ୟା କଲେ, ୩ ଅଭିଯୁକ୍ତଙ୍କ ଭିତରୁ କିଏ ହତ୍ୟା କଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ପୁଲିସର ମିଛଧରା ପରୀକ୍ଷାରେ ଅଭିଯୁକ୍ତମାନେ ମିଛ କହିଥିବା ଜଣାପଡ଼ିଛି। ତେଣୁ ମାମଲାରୁ ଏବେ ବି ରହସ୍ୟ ଉଠିପାରିନାହିଁ।
ଚନ୍ଦକା ଗୋଠପାଟଣାରୁ ମହିଳାଙ୍କ ଶବ ଜବତ ମାମଲା
୨୦୧୨ ମେ ୨୭ରେ ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳରୁ ଜଣେ ମହିଳାଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶବ ପୁଲିସ ଜବତ କରିଥିଲା। ଏ ନେଇ ସେତେବେଳେ ଚନ୍ଦକା ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲେ ମଧ୍ୟ ମହିଳାଙ୍କ ପରିଚୟ ନପାଇ ପୁଲିସ ହାତ ବାନ୍ଧି ବସିଲା। ୯ ବର୍ଷ ପରେ ପୁଲିସର ମନେ ପଡ଼ିଲା ଓ ମହିଳାଙ୍କ ପରିଚୟ ପାଇବାକୁ ପୋଷ୍ଟର ତିଆରି କରି ମାରିଥିଲା। ମହିଳାଙ୍କ ମୃତଦେହ ନିକଟରୁ ଯେଉଁ ଶାଢ଼ି ଦୋକାନ ପଲିଥିନ୍ ମିଳିଥିଲା, ତାହା ଢେଙ୍କାନାଳର ଏକ ଦୋକାନର ଥିଲା। ତେଣୁ ପୁଲିସ ସେଠାକୁ ଯାଇ ମଧ୍ୟ ତଦନ୍ତ କରିଥିଲା। କିନ୍ତୁ ପରିଚୟ ପାଇଲା ନାହିଁ। ମାମଲାଟି ସେମିତି ରହସ୍ୟରେ ରହିଯାଇଛି।
କୁଆଖାଇ ବ୍ରିଜ୍ ତଳେ ବ୍ୟାଗ୍ ଭିତରୁ ଯୁବତୀଙ୍କ ଶବ ଜବତ ମାମଲା
୨୦୧୭ ଫେବ୍ରୁଆରି ୧। କୁଆଖାଇ ବ୍ରିଜ୍ ତଳେ ଏକ ଏୟାର୍ବ୍ୟାଗରୁ ଜଣେ ଯୁବତୀଙ୍କ ଗଳିତ ଶବ ମିଳିଥିଲା। କେହି ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସ୍ପଷ୍ଟ ହୋଇଥିଲା। ସେତେବେଳେ ଘଟଣାଟି ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯୁବତୀ ଜଣଙ୍କ କିଏ? କିଏ, କାହିଁକି ହତ୍ୟା କରି ସେଠାରେ ଫିଙ୍ଗିଲା? ତାକୁ ନେଇ ଖୋଳତାଡ଼ ଆରମ୍ଭ କଲା ମଞ୍ଚେଶ୍ବର ଥାନା ପୁଲିସ। କିନ୍ତୁ ଟେର୍ ମିଳିଲାନାହିଁ।
ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରୁ ଜବତ ମହିଳାଙ୍କ ଶବ ମାମଲା
ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରୁ ଅଗଷ୍ଟ ୨ ତାରିଖରେ ଜଣ ମହିଳାଙ୍କ ମୃତଦେହ ଜବତ କରିଥିଲା ସହିଦନଗର ଥାନା ପୁଲିସ। ଶବ ବ୍ୟବଚ୍ଛେଦ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ମହିଳା ଜଣଙ୍କ କିଏ? ତାଙ୍କୁ କିଏ ହତ୍ୟା କଲା? କେମିତି ଆଣି ଫିଙ୍ଗିଲା? ସେ ସମ୍ପର୍କରେ ପୁଲିସ ଆଉ ଟେର୍ ପାଇଲାନାହିଁ। ଏହି ମାମଲା ଆଜି ମଧ୍ୟ ରହସ୍ୟ ହୋଇ ରହିଯାଇଛି।
ଯାଁଳା ଫାଣ୍ଡିରୁ ଜବତ ମହିଳାଙ୍କ କଙ୍କାଳ ମାମଲା
୧୬ ନମ୍ବର ଜାତୀୟ ରାଜପଥରେ ଥିବା ଯାଁଳା ଫାଣ୍ଡିରୁ ଚଳିତ ବର୍ଷ ମିଳିଥିଲା ଏକ ମହିଳାଙ୍କ କଙ୍କାଳ। ୨୦୧୨ ଫେବ୍ରୁଆରି ୧୨ରେ ଗଞ୍ଜେଇ ଚାଲାଣ ମାମଲାରେ ଜବତ ହୋଇଥିବା ଏକ କାର୍ ଭିତରୁ ମିଳିଥିଲା ଜଣେ ମହିଳାଙ୍କ କଙ୍କାଳ। ପ୍ରାୟ ଦୁଇ ମାସ ପୂର୍ବରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ମହିଳା ଜଣଙ୍କ କିଏ ଓ ଫାଣ୍ଡିରେ ଜବତ କାର୍ରେ କେମିତି ତାଙ୍କର ମୃତ୍ୟୁ ହେଲା, ତାହା ରହସ୍ୟ ହୋଇ ରହିଛି। ଏହି ଘଟଣାରେ ତୁରନ୍ତ ଫାଣ୍ଡି ଅଧିକାରୀଙ୍କୁ ହଟାଇ ଦିଆଯାଇଥିଲା। ମହିଳା ଥାନା ଆଇଆଇସିଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଯେହେତୁ ପୁଲିସ ହେପାଜତରେ ଘଟଣା ଘଟିଥିଲା ମାଜିଷ୍ଟ୍ରେଟ ମଧ୍ୟ ଏହାର ତଦନ୍ତ କରୁଛନ୍ତି। ସ୍କେଚ୍ ପୋଷ୍ଟର ମଧ୍ୟ ଜାରି କରିଥିଲା ପୁଲିସ। ୧୦ ମାସ ବିତି ଯାଇଥିଲେ ବି ରହସ୍ୟ ଉନ୍ମୋଚନ ହୋଇପାରିନାହିଁ।
ହୋଟେଲରେ ଲକ୍ଷ୍ମୀପ୍ରିୟା ହତ୍ୟା ଘଟଣା
ମଞ୍ଚେଶ୍ବର ଥାନା ନିକଟ ଏକ ହୋଟେଲରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରି ହତ୍ୟାକାରୀ ଫେରାର୍ ହୋଇଗଲା। ମହିଳାଙ୍କ ପରିଚୟ ମିଳିଗଲା। ସେ ଥିଲେ ଖୋର୍ଦ୍ଧା ଅଞ୍ଚଳର ଲକ୍ଷ୍ମୀପ୍ରିୟା ବିଶ୍ବାଳ। ଘଟଣା ଘଟିଥିଲା ୨୦୧୮ ଅଗଷ୍ଟ ୨୨ରେ। ତିନି ବର୍ଷ ବିତିଗଲାଣି। କିନ୍ତୁ ଏଯାଁଏ ଘଟଣା ଉପରୁ ପରଦା ଉଠାଇ ପାରିନାହିଁ ପୁଲିସ। ହତ୍ୟାକାରୀ ପୁଲିସକୁ ଚକ୍ମା ଦେଇ ବୁଲୁଛି।
ସମାଜସେବୀ ନଳିନୀପ୍ରଭା ହତ୍ୟା ମାମଲା
୨୦୧୫ ମେ ୨୩ରେ ରାଜଧାନୀରେ ହଇଚଇ କରିଥିଲା ସମାଜସେବୀ ନଳିନୀପ୍ରଭା ଦାସଙ୍କ ହତ୍ୟାକାଣ୍ଡ। ନିଉ ଫରେଷ୍ଟ ପାର୍କ କଲୋନି ଅଞ୍ଚଳରେ ଏକା ରହୁଥିବା ବୃଦ୍ଧା ନଳିନୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଚାଲିଯାଇଥିଲା। ପୁଲିସ ପାଇଁ ଉକ୍ତ ମାମଲା ଏବେ ବି ଅଭେଦ୍ୟ ରହସ୍ୟ ହୋଇରହିଛି।