୨୦୧୯ରେ ୧୩୫୬ ହତ୍ୟା
ଲୋଭରୁ ୩୨୬, ଯୌତୁକ ପାଇଁ ୨୨୨, ବ୍ୟକ୍ତିଗତ ଶତ୍ରୁତାରୁ ୮୨ ହତ୍ୟା
ପ୍ରେମ ବ୍ୟାପାରରୁ ଯାଇଛି ୫୨ ଜୀବନ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ହତ୍ୟାର ଶିକାର ହେଉଛନ୍ତି ୩ରୁ ୪ ଜଣ। ପ୍ରତିଦିନ କେଉଁଠି ନା କେଉଁଠି ମୁଣ୍ଡ ଗଡ଼ୁଛି। ପୂର୍ବ ଶତ୍ରୁତା ହେଉ କି ବ୍ୟାବସାୟିକ ଶତ୍ରୁତା, ଲୋଭ କିମ୍ବା ଯୌତୁକଜନିତ ହତ୍ୟା; ଏମିତି ପ୍ରତ୍ୟେକ ଦିନ ହତ୍ୟାର ଶିକାର ହେଉଛନ୍ତି ଲୋକ। କେତେକ ଘଟଣାରେ ପରିବାର ମୁରବିଶୂନ୍ୟ ହୋଇପଡ଼ୁଛି। ରୋଜଗାରିଆ ବ୍ୟକ୍ତିଙ୍କୁ ହରାଉଛନ୍ତି ପରିବାର ଲୋକ। ୨୦୧୯ରେ ରାଜ୍ୟରେ ୧୩୫୬ହତ୍ୟାକାଣ୍ଡ ଘଟିଛି। ୨୦୧୯ରେ ଓଡ଼ିଶା ହତ୍ୟାକାଣ୍ଡରେ ଦେଶରେ ନବମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରେ ସର୍ବାଧିକ ୩୮୦୬ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ଏହା ପଛକୁ ବିହାରରେ ୩୧୩୮ଟି ହତ୍ୟା ମାମଲା ରୁଜୁ ହୋଇଛି। ତୃତୀୟରେ ମହାରାଷ୍ଟ୍ର ରହିଥିବା ବେଳେ ସେଠାରେ ୨୧୪୨ଟି ହତ୍ୟାକାଣ୍ଡ ଘଟିଛି। ନିକଟରେ ପ୍ରକାଶ ପାଇଥିବା ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍ସିଆରବି) ରିପୋର୍ଟରୁ ଏହା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାରେ ଘଟିଥିବା ହତ୍ୟାକାଣ୍ଡ ଭିତରୁ ସର୍ବାଧିକ ସମ୍ପତ୍ତି ଲୋଭ ଓ ଅନ୍ୟ କିଛି ପାଇବା ଆଶାରେ ଘଟିଛି। ଏହି ବାବଦରେ ୩୨୬ଟି ହତ୍ୟାକାଣ୍ଡ ଘଟିଛି। ସେହିପରି ଯୌତୁକ ପାଇଁ ହତ୍ୟା ମଧ୍ୟ ଉଦ୍ବେଗଜନକ ରହିଛି। ଗତବର୍ଷ ୨୨୨ଟି ଯୌତୁକଜନିତ ହତ୍ୟାକାଣ୍ଡ ଘଟିଛି। ବ୍ୟକ୍ତିଗତ ଶତ୍ରୁତାରୁ ୮୨, କୌଣସି କାରଣକୁ ନେଇ ଲାଗି ରହିଥିବା ବିବାଦରୁ ୬୦, ସମ୍ପତ୍ତି ଓ ଜମିଜମା ବିବାଦକୁ କେନ୍ଦ୍ର କରି ୫୮ଟି ହତ୍ୟାକାଣ୍ଡ ଘଟିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗତବର୍ଷ ୫୨ଟି ହତ୍ୟା ମାମଲା ହୋଇଛି। ସେହିପରି ଗୋଷ୍ଠୀ ସଂଘର୍ଷରୁ ୬ଟି ମାମଲା, ନକ୍ସଲ ଆକ୍ରମଣରେ ଦୁଇଟି ମାମଲା ହୋଇଛି। ଅନ୍ଧବିଶ୍ବାସକୁ କେନ୍ଦ୍ର କରି ଏବେ ବି ହତ୍ୟାକାଣ୍ଡ ଘଟି ଚାଲିଛି। ଅନ୍ଧବିଶ୍ବାସର ଅନ୍ଧଗଳିରୁ ମୁକୁଳି ପାରିନି ଓଡ଼ିଶା। ୨୦୧୯ରେ ଗୁଣିଗାରେଡ଼ି ସନ୍ଦେହରେ ରାଜ୍ୟରେ ୧୩ଟି ମାମଲା ରୁଜୁ ହୋଇଛି। ଅନ୍ଧବିଶ୍ବାସକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ଓଡ଼ିଶା ୫ ନମ୍ବରରେ ରହିଛି। ଛତିଶଗଡ଼ରେ ସର୍ବାଧିକ ୨୨ଟି ମାମଲା ରୁଜୁ ହୋଇଥିବା ବେଳେ ଝାଡ଼ଖଣ୍ଡରେ ୧୮ଟି, ମଧ୍ୟପ୍ରଦେଶରେ ୧୬ଟି ଓ ଏହା ପଛକୁ ବିହାରରେ ୧୫ଟି ମାମଲା ରୁଜୁ ହୋଇଛି। ଅନୈତିକ ସମ୍ପର୍କରୁ ଗୋଟିଏ ବି ହତ୍ୟାକାଣ୍ଡ ଘଟି ନ ଥିବା ଦର୍ଶାଯାଇଛି।