ଡକାୟତି ପାଇଁ ବୃଦ୍ଧାଙ୍କୁ ହତ୍ୟା ଘଟଣା: ହତ୍ୟାକାରୀକୁ ଖୋଜୁଛି ପୁଲିସ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ସାହାବାଜ (ବଙ୍ଗୁଆରି) ଗ୍ରାମର ମନୋରମା ପଣ୍ଡାଙ୍କ(୬୦) ହତ୍ୟା ଘଟଣା ରହସ୍ୟମୟ ହୋଇପଡ଼ିଛି। ହତ୍ୟା ଘଟଣାକୁ ଇତି ମଧ୍ୟରେ ୪୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ସଂପୃକ୍ତ ହତ୍ୟାକାରୀଙ୍କ ଟେର୍‌ ପାଇନି। ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଜବତ ହୋଇଥବା ମନୋରମାଙ୍କ ମୋବାଇଲ କଲ ଡିଟେଲ୍‌ସକୁ ନେଇ ପୁଲିସ ତଦନ୍ତ ଚଳାଇଛି। ହତ୍ୟାକାଣ୍ଡ ପରେ ଗୁରୁବାର ରାତିରେ ପୁଲିସ ମନୋରମାଙ୍କ ୪ଝିଅ ଓ ଜ୍ୱାଇଁଙ୍କ ସମେତ ସଂପର୍କୀୟ ଓ ପାଖ ପଡ଼ୋଶୀମାନଙ୍କୁ ପଚରାଉଚରା କରିଥିଲା। ସେହିପରି ମନୋରମାଙ୍କ ମୋବାଇଲ ସମେତ ତାଙ୍କ ଘରେ ରହୁଥିବା ଦୁଇ ଅଣଓଡ଼ିଆ ମିସ୍ତ୍ରିଙ୍କ ମୋବାଇଲ ନମ୍ବର ମଧ୍ୟ ସଂଗ୍ରହ କରାଯାଇଥିବା ପାହାଳ ଫାଣ୍ଡିର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଗତ ୯ ମାସ ତଳେ ମନୋରମା ୯୦ ଲକ୍ଷ ଟଙ୍କାରେ ଏକ ପ୍ଲଟ୍‌ ବିକ୍ରି କରିଥିଲେ। ଜମିଜମା ବିବାଦ, ପୂର୍ବଶତ୍ରୁତା କିମ୍ବା ଅନ୍ୟ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଛି, ସେନେଇ ମଧ୍ୟ ପୁଲିସ ଅନୁସନ୍ଧାନ ଜାରି ରଖିଛି। ଆଜି ରାସ୍ତାକଡ଼ ଦୋକାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ମଧ୍ୟ ପୁଲିସ ଯାଞ୍ଚ କରିଛି। ସୋମବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଦୁଇ ରାଜମିସ୍ତ୍ରିଙ୍କ ଉପରେ ସନ୍ଦେହ
ମନୋରମାଙ୍କ ତଳ ମହଲାରେ ପାଣି ପଶି ଯାଉଥିବାରୁ ଦୁଇମାସ ହେଲା ତାଙ୍କର ଉପର ମହଲା କାମ ଚାଲିଥିଲା। ଜଣେ ବଙ୍ଗଳା ରାଜମିସ୍ତ୍ରି ଓ ଶ୍ରମିକ ତାଙ୍କ ଘରେ ରହି ପଲସ୍ତରା କାମ କରୁଥିଲେ। ମନୋରମାଙ୍କ ପାଖରେ କେହି ରହୁ ନଥିବାରୁ ଦୁହେଁ ତାଙ୍କୁ ଘର କାମରେ ମଧ୍ୟ ସାହାଯ୍ୟ କରୁଥିଲେ। ଇଦ୍‌ ପାଳନ କରିବା ପାଇଁ ସେମାନେ ଗତ ୮ ଦିନ ତଳେ ଘରକୁ ପଳାଇଥିଲେ। ଘର କାମ ବନ୍ଦ ଥିବାରୁ ମନୋରମା ନଖରାସ୍ଥିତ ସାନଝିଅ ଦୀପ୍ତିଲତାଙ୍କ ଘରକୁ ପଳାଇଥିଲେ। ଗତ ମଙ୍ଗଳବାର ରାତିରେ ସେମାନଙ୍କ ମଧ୍ୟରୁ କେହି ଜଣେ ମନୋରମାଙ୍କୁ ଫୋନ୍‌ କରି ଘର କାମ କରିବାକୁ କହିଥିଲା। ସେଥିପାଇଁ ମନୋରମାଙ୍କୁ ଝିଅ ଦୀପ୍ତିଲତା ଘରେ ଛାଡ଼ି ପଳାଇଥିଲେ। ପଡ଼ୋଶୀ ଘର ନାତି ଖାଇବାକୁ ଆଣି ଭିତର ପଟୁ କବାଟ ବନ୍ଦଥିବା ଦେଖି ଡାକ ପକାଇଥିଲେ। ହେଲେ କିଛି ଉତ୍ତର ନ ମିଳିବାରୁ ଅନ୍ୟମାନଙ୍କୁ ଜଣାଇଥିଲେ। ସେମାନେ ପହଞ୍ଚି ଦେଖିଲା ବେଳକୁ ମନୋରମାଙ୍କ ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧିତ ଖବର