ଭୁବନେଶ୍ବର/ ବାରଙ୍ଗ/ଚନ୍ଦ୍ରଶେଖରପୁର: ନନ୍ଦନକାନନ ଥାନା ଅଧୀନ ବାରଙ୍ଗ ରେଳ ଷ୍ଟେସନ ନିକଟ ନିର୍ମାଣାଧୀନ ଘରେ ଘଟିଥିବା ହତ୍ୟାକାଣ୍ଡର ପର୍ଦାଫାସ କରିଛି କମିସନରେଟ ପୁଲିସ। ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଯାଜପୁର ଧାନମଣ୍ଡଳର ପାନ ସିଂ (୪୯) ଏବଂ କଟକ ଜିଲ୍ଲା ବଡ଼ମ୍ବାର କୈଳାସ ଚନ୍ଦ୍ର ସାହୁ ଓରଫ ମାଙ୍କଡ଼ କାଳିଆ(୩୨)। ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରେ ରହି ଜରି ଗୋଟାଇଥା’ନ୍ତି। ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜୋନାଲ୍ ଏସିପି ରମେଶ ଚନ୍ଦ୍ର ବିଶୋଇ ଏବଂ ନନ୍ଦନକାନନ ଥାନା ଇନ୍ସପେକ୍ଟର ବିଶ୍ବ ରଞ୍ଜନ ନାୟକ କହିଛନ୍ତି ମୃତକଙ୍କ ପରିଚୟ ମିଳୁନଥିବାରୁ ଏହି ହତ୍ୟାକାଣ୍ଡ ପୁଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମୃତକ କେନ୍ଦୁଝର ଜିଲ୍ଲାର ଲଣ୍ଡା ବୋଲି ଜଣାପଡ଼ିଥିଲା।
ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଲଣ୍ଡା ଓ ପାନ ଦୁହେଁ ମିଶି ଜରି ଗୋଟାଇଥା’ନ୍ତି। ଦୁହିଁଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। କିଛି ମାସ ତଳେ କୈଳାସ ସେମାନଙ୍କ ସମ୍ପର୍କ ଭିତରକୁ ଧସେଇ ପଶିଥିଲା। କୈଳାସ ଓ ପାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। କିନ୍ତୁ ଲଣ୍ଡା ଏହାକୁ ବିରୋଧ କରୁଥିଲା। ଏହି କାରଣରୁ ପାନ ଓ କୈଳାସ ମିଶି ଲଣ୍ଡାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଘଟଣା ଦିନ ଯୋଜନାବଦ୍ଧ ଭାବେ ସମସ୍ତେ ମିଳିମିଶି ହାଣ୍ଡିଆ ପିଇଥିଲେ। ନିଶା ହୋଇ ଯିବା ପରେ ସେହି ନିର୍ମାଣାଧୀନ ଘରକୁ ଯାଇଥିଲେ। ସେଠାରେ ପୁଣି ହାଣ୍ଡିଆ ପିଇଥିଲେ। ଏହାପରେ ଲଣ୍ଡା ଓ କୈଳାସ ମଧ୍ୟରେ ପାନ ସହିତ ପ୍ରେମ ସମ୍ପର୍କକୁ ନେଇ ଝଗଡ଼ା ଲାଗିଥିଲା। କୈଳାସ ଓ ପାନ ମିଶି ଏକ ଇଟାରେ ଲଣ୍ଡାର ମୁଣ୍ଡକୁ ଛେଚି ପକାଇଥିଲେ।
ଲଣ୍ଡା ଅଚେତ ହୋଇଯିବା ପରେ ସେମାନେ ଫେରାର ହୋଇଯାଇଥିଲେ। ଦିନକ ପରେ ଜଗବନ୍ଧୁ କାଣ୍ଡି ନାମକ ଜଣେ ରେଳ କର୍ମଚାରୀ ଶବ ପଡ଼ିଥିବା ଦେଖି ନନ୍ଦନକାନନ ଥାନାକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଦୁଇଜଣ ଜରି ଗୋଟାଳି ଫେରାର ହୋଇଯାଇଥିବା ଜାଣିପାରି ପୁଲିସ ପାନ ଓ କାଳିଆକୁ ଖୋଜିଥିଲା। ଗତକାଲି ରାତିରେ ଦୁହେଁ ମଙ୍ଗୁଳି ଛକରେ ବୁଲୁଥିବା ସୂଚନା ପାଇ ଗିରଫ କରିଥିଲା। ଜେରାରୁ ସେମାନେ ସତ ମାନିଯାଇଥିଲେ। ଆଜି ସେମାନେ ଘଟଣାସ୍ଥଳ ଯାଇ ରକ୍ତ ଲାଗିଥିବା ଇଟା, ଚାଖଣା ଥିବା କାଗଜ ପ୍ଲେଟ୍ ଓ ନିଶା ପାନୀୟ ଗ୍ଲାସ୍ ଦେଖାଇଥିଲେ।