ଭୁବନେଶ୍ୱର : ରାଜଧାନୀରେ ପୁଣି ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ଯୁବକକୁ ଅନ୍ୟ ଜଣେ କାଠ ଫାଳିଆରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛି। ମୃତକ ହେଲେ ଭରତପୁର ଶିବ ମନ୍ଦିର ଲେନ୍ରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଦାସ (୨୯)। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ପୁଲିସ ସକାଳୁ ହତ୍ୟା ଅଭିଯୁକ୍ତ ଘନଶ୍ୟାମ ମହାରଣା ଓରଫ୍ ରବୀନ୍ଦ୍ରକୁ ଗିରଫ କରିଛି। ସାମାନ୍ୟ ବଚସାରୁ ଏହି ଅଘଟଣ ଘଟିଥିବା କୁହାଯାଉଥିଲେ ବି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମାତ୍ର ସାହି ଭିତରେ ଜଣେ ଜଣକୁ ପିଟିପିଟି ହତ୍ୟା କରୁଥିବା ବେଳେ କେହି ପ୍ରତିରୋଧ କରୁନଥିବା କଥା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ରବୀନ୍ଦ୍ର ସବୁ ଦିନ ବିଳମ୍ବିତ ରାତିରେ ନିଶାଗ୍ରସ୍ତ ଅବସ୍ଥାରେ ଆସି ପୂର୍ଣ୍ଣଙ୍କ ଘର ଆଗରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରେ। ଏହାକୁ ପୂର୍ଣ୍ଣ ବିରୋଧ କରନ୍ତି ଓ ଦୁହିଁଙ୍କ ମଧ୍ୟରେ ଠେଲାପେଲା ପର୍ଯ୍ୟନ୍ତ କଥାଯାଏ। ଗତକାଲି ଅନୁରୂପ ଭାବେ ରବୀନ୍ଦ୍ର ମଦ ପିଇ ପୂର୍ଣ୍ଣଙ୍କ ଘରକୁ ଆସି ଗାଳି କରିଥିଲା। ପୂର୍ଣ୍ଣ ଘରୁ ବାହାରି ଆସି ପ୍ରତିବାଦ କରିଥିଲେ ଓ ସବୁଥର ଭଳି ସେମାନଙ୍କ ମଧ୍ୟରେ ହାତାହାତି ବି ହୋଇଥିଲା। ଏହା ପରେ ରବୀନ୍ଦ୍ର ସେଠାରୁ ଚାଲିଯାଇଥିଲା। କିଛି ସମୟ ପରେ ପୁଣି ଆସି ଗାଳି କରିଥିଲା। କିନ୍ତୁ ଏଥର ସେ ପୂରା ପ୍ରସ୍ତୁତ ହୋଇ ଆସିଥିଲା ବୋଲି ପୂର୍ଣ୍ଣ ବୁଝିପାରିନଥିଲେ। ପୂର୍ଣ୍ଣ ଘରୁ ବାହାରି ଆସୁ ଆସୁ ରବୀନ୍ଦ୍ର ହାତରେ ଧରିଥିବା ଏକ କାଠ ଫାଳିଆରେ ଶକ୍ତ ପାହାର ପକାଇଥିଲା। ଗୋଟିଏ ପାହାରରେ ପୂର୍ଣ୍ଣ ତଳେ ପଡ଼ିଯାଇଥିଲେ। ଏତିକିରେ ରବୀନ୍ଦ୍ରର ରାଗ ଶାନ୍ତ ପଡ଼ିନଥିଲା। ସେ ପୂର୍ଣ୍ଣଙ୍କ ଛାତିକୁ ବାରମ୍ବାର କାଠ ଫାଳିଆରେ ପିଟି ଚାଲିଥିଲା। ପୂର୍ଣ୍ଣ ତଳେ ପଡ଼ି ଚିତ୍କାର କରୁଥିଲେ ବି ରବୀନ୍ଦ୍ର ସେମିତି ନିର୍ମମ ଭାବେ ପିଟି ଚାଲିଥିଲା। ପାଖପଡ଼ୋଶୀମାନେ ଏସବୁ ଦେଖୁଥିଲେ ବି କେହି ରବୀନ୍ଦ୍ରକୁ ରୋକିବାକୁ ଆସିନଥିଲେ।
ପୂର୍ଣ୍ଣଙ୍କ ପରିବାର ଲୋକେ ଘର ଭିତରୁ ଧାଇଁ ଆସିବା ବେଳକୁ କଥା ସରିଥିଲା। ରବୀନ୍ଦ୍ର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରିବାର ଲୋକେ ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପୂର୍ଣ୍ଣଙ୍କ ଭଉଣୀ ମଞ୍ଜୁ ପ୍ରଧାନଙ୍କ ଅଭିଯୋଗକୁ ଆଧାର କରି ପୁଲିସ ରବୀନ୍ଦ୍ର ଘରେ ଚଢ଼ଉ କରି ତାକୁ ଗିରଫ କରିଛି।