ରାଜଧାନୀରେ ଚାଞ୍ଚଲ୍ୟ: ରୋଗିଣା ମା’କୁ ମାରି ପୋଡ଼ିଦେଲା, ଦାରିଦ୍ର୍ୟ ନା ଗୁଣିଗାରେଡ଼ି!
ପୁଅ ଗିରଫ, ଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ
ଭୁବନେଶ୍ବର: ଚଳିତ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ। ଆଜି ସନ୍ଧ୍ୟାରେ ଘଟିଥିବା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ରାଜଧାନୀ ଛାତି ଥରାଇ ଦେଇଛି। ଘରର ଗେହ୍ଲାପୁଅ ହିଁ ପକ୍ଷାଘାତରେ ପୀଡ଼ିତା ମା’କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛି। ବଡ଼ଗଡ଼ ଶ୍ମଶାନ ନିକଟ କଳିଙ୍ଗ ବସ୍ତିରେ ଘଟିଛି ଏହି ଦୁଃଖଦ ତଥା ହୃଦୟବିଦାରକ କାଣ୍ଡ। ମା’କୁ ହତ୍ୟା କରିବା ପରେ ପୁଅ ମୃତଦେହକୁ ଲୁଗାରେ ଗୁଡ଼ାଇ ସେହି ଘରେ ହିଁ ପୋଡ଼ି ପକାଇଛି। କିନ୍ତୁ ମୃତଦେହ ପୂରା ପୋଡ଼ିଯିବା ପୂର୍ବରୁ କଥା ପ୍ରଘଟ ହୋଇଗଲା ଓ ପୁଲିସ ଘଟଣାସ୍ଥଳରୁ ଅର୍ଦ୍ଧଦଗ୍ଧ ଶବକୁ ଜବତ କରିଛି। ଘଟଣାସ୍ଥଳରୁ ଫେରାର୍ ହୋଇନଥିବା ପୁଅକୁ ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ରେଡିଓକୁ ଜବତ କରିଛି। ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ବିଷ୍ଣୁଚରଣ ଜେନାଙ୍କ ସ୍ତ୍ରୀ ରଶ୍ମିତା ଜେନା ଓ ଅଭିଯୁକ୍ତ ପୁଅ ହେଉଛି ପ୍ରଶାନ୍ତ।
ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ହଠାତ୍ ବିଷ୍ଣୁଙ୍କ ଘର ଭିତରୁ ପ୍ରବଳ ଧୂଆଁ ବାହାରିବା ଦେଖାଯାଇଥିଲା। ଏଥିସହିତ ଶବ ପୋଡ଼ା ଗନ୍ଧରେ ବସ୍ତି ଫାଟିପଡ଼ିଥିଲା। ତେଣୁ ବିଷ୍ଣୁଙ୍କ ଘରେ ନିଆଁ ଲାଗିଥିବା ଓ କେହି ପୋଡ଼ି ଯାଉଥିବା ସନ୍ଦେହ କରି ବସ୍ତିବାସିନ୍ଦାମାନେ ସେଠାକୁ ଛୁଟି ଆସିଥିଲେ। ଲୋକମାନେ ଉକ୍ତ ଘର ପାଖରେ ପହଞ୍ଚିବା ବେଳକୁ ବଡ଼ପୁଅ ପ୍ରଶାନ୍ତ ଦାଣ୍ଡ ଦୁଆର ମୁକ ଭଳି ଠିଆ ହୋଇଥିଲା। ଲୋକେ ଯାହା ପଚାରିଲେ ବି ସେ କିଛି କହିନଥିଲା। ଘର ଭିତରୁ ଶବ ପୋଡ଼ା ଗନ୍ଧ ବାହାରୁଥିବାରୁ ଲୋକେ ବି ଭୟରେ ଭିତରକୁ ପଶିନଥିଲେ। ଖବର ପାଇ ନିକଟସ୍ଥ ବଜାରରେ ଥିବା ବିଷ୍ଣୁ ଧାଇଁ ଆସିଥିଲେ। ବିଷ୍ଣୁଙ୍କ ସହ କିଛି ଲୋକ ଘର ଭିତରକୁ ପଶିବା ପରେ ରଶ୍ମିତାଙ୍କ ଶବ ଜଳୁଥିବା ଦେଖିଥିଲେ। ସେତେବେଳକୁ ଶବ ପ୍ରାୟ ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ତୁରନ୍ତ ସେମାନେ ପାଣି ପକାଇ ନିଆଁ ଲିଭାଇଥିଲେ। ମା’ କେମିତି ପୋଡ଼ି ହେଲା ବୋଲି ପଚାରିବାରୁ ପ୍ରଶାନ୍ତ ସବୁ ସତ ମାନିଯାଇଥିଲା। ଖାଇବାକୁ ନଦେବାରୁ ସେ ନିଜେ ମା’ ମୁଣ୍ଡକୁ ରେଡିଓରେ ପିଟିପିଟି ମାରିଦେଇଛି ବୋଲି କହିଥିଲା। ମା’ ମରିଯିବା ପରେ ଘରୁ ଲୁଗାପଟା ଓ ଅଖା ଆଣି ସେ ଶବକୁ ଗୁଡ଼ାଇ ପୋଡ଼ି ଦେଲା ବୋଲି ନିର୍ବିକାର ଭାବେ କହିଥିଲା। ସେତେବେଳକୁ ବଡ଼ଗଡ଼ ଥାନା ସେଠାରେ ପହଞ୍ଚି ସାରିଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ଓ ପ୍ରଶାନ୍ତର ସୂଚନାନୁସାରେ ଭଙ୍ଗା ରେଡିଓକୁ ଜବତ କରିଥିଲା। ଆଜି ଉକ୍ତ ଘରକୁ ପୁଲିସ ସିଲ୍ କରିଛି। ଆସନ୍ତାକାଲି ସକାଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଣି ଘର ଯାଞ୍ଚ କରାଯିବ।
ବିଷ୍ଣୁଙ୍କ କହିବା ଅନୁସାରେ ସ୍ତ୍ରୀ ପକ୍ଷାଘାତ ରୋଗରେ ପୀଡ଼ିତା ଥିଲେ। ତେଣୁ ସ୍ବାଭାବିକ ଭାବେ ଚଳପ୍ରଚଳ କରି ପାରୁନଥିଲେ। ତେଣୁ ବିଷ୍ଣୁ ହିଁ ନିଜେ ଘରେ ରୋଷେଇବାସ କରି ସମସ୍ତଙ୍କୁ ଖାଇବାକୁ ବାଢ଼ୁ୍ଥିଲେ। ଆଜି ଦିପହରରେ ସେ ଭଲରେ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ। ଘରେ କିଛି ଗଣ୍ଡଗୋଳ ନଥିଲା। ଅଟୋ ଚଳାଉଥିବା ସାନ ପୁଅ ବାହାରକୁ ଯାଇଥିଲା। ପ୍ରଶାନ୍ତ ଘରେ ଥିଲା। ସନ୍ଧ୍ୟା ହେବାରୁ ସେ ଘରକୁ କିଛି ଜିନିଷ ଆଣିବାକୁ ନିକଟସ୍ଥ ବଜାରକୁ ଯାଇଥିଲେ। ତେଣୁ ଏତିକି ସମୟ ଭିତରେ କ’ଣ ହେଲା ଯେ ପ୍ରଶାନ୍ତ ରୋଗିଣା ମା’କୁ ଏମିତି ନିର୍ଦ୍ଦୟ ଭାବେ ମାରିଦେଲା ବୋଲି ସେ ବୁଝିପାରିନଥିଲେ। କିଛି କାମ କରୁନଥିବା ପ୍ରଶାନ୍ତର ମାନସିକ ସ୍ଥିତି ଭଲନଥିଲା ଓ ମା’କୁ ଟଙ୍କା ମାଗି ପାଟିତୁଣ୍ଡ କରୁଥିଲା ବୋଲି ବିଷ୍ଣୁ କହିଛନ୍ତି। ତେଣୁ ସେମିତି କିଛି କାରଣରୁ ରାଗି ଯାଇ ପ୍ରଶାନ୍ତ ଏହି କାଣ୍ଡ କରିବସିଛି ବୋଲି ସେ କାନ୍ଦି କାନ୍ଦି କହିଛନ୍ତି। ତେଣୁ ବିଷ୍ଣୁଙ୍କ ସୂଚନାନୁସାରେ ପ୍ରଶାନ୍ତ କିଛି ମାତ୍ରାରେ ମାନସିକବିକାରଗ୍ରସ୍ତ ଥିଲା।
ଦାରିଦ୍ର୍ୟ ନା ଗୁଣିଗାରେଡ଼ି!
ସ୍ଥାନୀୟ ଲୋକମାନଙ୍କ କହିବା କଥା, ଦାରିଦ୍ର୍ୟ ଥିଲା ତାଙ୍କ ଘରର ଅନ୍ୟତମ ଅଶାନ୍ତିର କାରଣ। ପ୍ରଶାନ୍ତର ରୋଜଗାର ନଥିଲା। ବିଷ୍ଣୁଙ୍କ ମଝିଆ ପୁଅ ବାହା ହେବା ପରେ ଘର ଛାଡ଼ି ଅନ୍ୟତ୍ର ଭଲରେ ଚଳୁଥିଲା। ସାନ ପୁଅର ଅଟୋ ଭଡ଼ାରୁ ସେମାନଙ୍କ ଘର ବଡ଼ କଷ୍ଟରେ ଚଳୁଥିଲା। ପ୍ରଶାନ୍ତ ଗୁଣିଗାରେଡ଼ିକୁ ବିଶ୍ବାସ କରୁଥିଲା। ଗୁଣିଗାରେଡ଼ି କାରଣରୁ ତା’ର ବିବାହ ହୋଇପାରିଲା ନାହିଁ ବୋଲି ସେ କହି ବୁଲୁଥିଲା। ଏମିତିକି ତାକୁ କେହି ଗୁଣି ବା ତନ୍ତ୍ର କରିଥିବାରୁ ତାକୁ ରୋଜଗାର ମିଳୁନାହିଁ ବୋଲି ବି କହୁଥିଲା। ତେଣୁ ମଝିରେ ମଝିରେ ସେ ମା’କୁ ଦାୟୀ କରି ଝଗଡ଼ା କରୁଥିଲା। ଅଭାବ ଅନାଟନ ଓ ଅନ୍ଧବିଶ୍ବାସରେ ପେସି ହୋଇ ପ୍ରଶାନ୍ତ ଏହି ଅଭାବନୀୟ କାଣ୍ଡ ଘଟାଇଛି ବୋଲି ସେମାନେ ଆଲୋଚନା କରୁଥିଲେ।