ରାଜଧାନୀରେ ଚାଞ୍ଚଲ୍ୟ : ଲଜ୍‌କୁ ଆଣି ମୁହୂର୍ତ୍ତକରେ ବୃଦ୍ଧଙ୍କ ଗଳାକାଟି ଫେରାର

,ବାପ-ପୁଅ ପରିଚୟ ଦେଇ ରହିଥିଲେ, ହତ୍ୟାର କାରଣ ଖୋଜୁଛି ପୁଲିସ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଆଜି ଦିନ ପ୍ରାୟ ସାଢ଼େ ୧ଟା ବେଳେ ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେସନକୁ ଲାଗିଥିବା ଏକ ଲଜ୍‌ରେ ଜଣେ ବୃଦ୍ଧଙ୍କୁ ଗଳାକାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଟି.ଭି ରାଓ(୬୦)। ଘର ଜଟଣୀ ଥାନା ଅଧୀନ ମାଣିଆ ଛକରେ। ସେ ରେଳବାଇର ଜଣେ କର୍ମଚାରୀ ଥିଲେ। ଅବସର ପରେ ସେ ରେଳବାଇରେ ଠିକାଦାର ଭାବେ କାମ କରୁଥିଲେ। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହଯୋଗରେ ଛାନଭିନ୍‌ ଆରମ୍ଭ କରିଛି। ତେବେ ତାଙ୍କୁ କିଏ ଓ କାହିଁକି ଲଜ୍‌କୁ ନେଇ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। ପୁଲିସ ଆଖପାଖରେ ଲାଗିଥିବା ସିସି କ୍ୟାମେରାରୁ ହତ୍ୟାକାରୀକୁ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଲଜ୍‌ ଭିତରୁ ପୁଲିସ ଦୁଇଟି ବ୍ୟାଗ, ଏକ ରକ୍ତଲଗା ଛୁରି, ରକ୍ତଲଗା ମୋଜା, ୧୫ଶହ ଟଙ୍କା ଜବତ କରିଛି। ଜଟଣୀରେ ରହୁଥିବା ଶ୍ରୀ ରାଓଙ୍କ ପରିବାର ଲୋକଙ୍କୁ ପୁଲିସ ଭୁବନେଶ୍ବର ଡକାଇଛି। ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମ ନିକଟ ଲଜ୍‌ ଭିତରେ ଏଭଳି ହତ୍ୟାକାଣ୍ଡକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି।

ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ରେଳଷ୍ଟେସନ ପାଚେରିକୁ ଲାଗିଥିବା ସୁକାନ୍ତି ଡର୍ମିଟୋରିକୁ ବାପ-ପୁଅ ପରିଚୟ ଦେଇ ଶ୍ରୀ ରାଓଙ୍କ ସହ ଅନ୍ୟଜଣେ ରହିବା ପାଇଁ ଆସିଥିଲେ। ଦୁହେଁ ଲଜ୍‌ରେ କିଛି ସମୟ ବିତାଇ ଫ୍ରେସ ହୋଇ ଚାଲି ଯିବେ ବୋଲି କହିଥିଲେ। ଦୁହିଁଙ୍କୁ ଲଜ୍ କର୍ମଚାରୀ ଆଧାରକାର୍ଡ ମାଗିବାରୁ କିଛି ସମୟ ପରେ ଦେଉଛୁ ବୋଲି କହିଥିଲେ। ଏହା ପରେ ସେମାନେ ଦ୍ବିତୀୟ ମହଲାରେ ଥିବା ରୁମକୁ ଯାଇଥିଲେ। କିନ୍ତୁ କିଛି ସମୟ ପରେ ଯୁବକ ଜଣକ ବାହାରି ଆସି ସାବୁନ ପାଇଁ ଯାଉଛି, ଆସିଲେ ଆଧାରକାର୍ଡ ଦେବି ବୋଲି କହି ଚାଲି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁବକ ଜଣକ ନ ଫେରିବାରୁ ଲଜ୍‌ କମର୍ଚାରୀଙ୍କ ମନରେ ସନ୍ଦେହ ହୋଇଥିଲା। ରୁମ୍‌କୁ ଯାଇ ଦେଖନ୍ତି ତ ବୃଦ୍ଧଙ୍କ ବେକ କଟା ହୋଇଛି। ଲଜ୍‌ର ବେଡ୍‌ ରକ୍ତ ଜୁଡ଼ୁବୁଡ଼ୁ ହୋଇଯାଇଛି। ମୃତଦେହରେ କୌଣସି ବସ୍ତ୍ର ନଥିଲା। ଘର ସାରା ରକ୍ତ ଛିଟା ପଡ଼ିଥିଲା। ଲଜ୍‌ କର୍ମଚାରୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଧ୍ୟାରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ରକ୍ତ ନମୁନା ସଂଗ୍ରହ କରିଛି। ହତ୍ୟାକାରୀ କାଳେ ଟ୍ରେନରେ ଫେରାର ହୋଇ ଯାଇଥିବ, ଏଥିପାଇଁ ସନ୍ଧାନୀ କୁକୁର ନେଇ ଡଗ୍‌ସ୍କ୍ବାଡ୍‌ ଷ୍ଟେସନ ସାରା ଖୋଜାଖୋଜି କରିଛି। କିନ୍ତୁ ସେଭଳି କୌଣସି ସଫଳତା ମିଳିନାହିଁ।

ହତ୍ୟାକାଣ୍ଡ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଅଭିଯୋଗ କରିଥିଲେ କି ୩ ମହଲା ବିଶିଷ୍ଟ ଏହି କୋଠାରେ ଗତ ଦେଢ଼ ବର୍ଷ ହେଲା ଲଜିଂ ବ୍ୟବସାୟ ଆରମ୍ଭ ହୋଇଛି। ବେଡ୍‌ ପିଛା ଦେଢ଼ଶହ ଟଙ୍କା ଦେଇ ଲୋକମାନେ ଏଠାରେ ରାତି ବିତାଇଥାନ୍ତି ବା କେହି କେହି ଫ୍ରେସ୍‌ ହୋଇ ଚାଲି ଯାଇଥାନ୍ତି। ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ମୁତୟନ କରାଯାଇଛି। ପୁଲିସ ଲଜ୍‌କୁ ସିଲ୍‌ କରିଛି।

ଅନ୍ୟପକ୍ଷରେ ପୁଲିସ ଲଜ୍‌ର ସିସି କ୍ୟାମେରା ଯାଞ୍ଚ କରିବା ବେଳେ ଦେଖିବାକୁ ପାଇଛି କି, ଲଜ୍‌ ସିସିଟିଭି ଉପରମୁହାଁ ହୋଇ ରହିଛି। ଫନିରେ ଭାଙ୍ଗି ଯାଇଥିବାରୁ ଆଉ ମରାମତି ହୋଇନାହିଁ। ଏଣୁ ସିସି କ୍ୟାମେରା କାମ କରୁନଥିବା କେୟାରଟେକର କହିଛନ୍ତି। ଲଜ୍‌ରେ ରହିବାକୁ ହେଲେ ପ୍ରଥମେ ପରିଚୟ ପତ୍ର ରଖାଯିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଠାରେ ଉଭୟଙ୍କର ପରିଚୟ ପତ୍ର ରଖାଯାଇ ନାହିଁ। ଘଟଣା ଘଟିବା ସମୟରେ କେୟାରଟେକର ମଧ୍ୟ ଅନୁପସ୍ଥିତ ଥିଲେ। ଏଣୁ ଏ ସବୁକୁ ନେଇ ଲଜ୍‌ ମାଲିକ ବୁଲୁ ବେହେରା ଓ କେୟାରଟେକର ବାମନ ମାହାଳିକଙ୍କୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି।

ତେବେ କିଏ ଓ କାହିଁକି ଲଜ୍‌ ଭିତରକୁ ନେଇ ବୃଦ୍ଧଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। କାରଣ ଦୁହେଁ ଲଜକୁ ଆସିବାବେଳେ ବେଶ ଖୁସି ମଜା କରୁଥିଲେ। ବୃଦ୍ଧଙ୍କ ସହିତ ଆସିଥିବା ସେହି ଯୁବକ ଜଣକ କିଏ? କାହିଁକି ସେ ସାଙ୍ଗ ହୋଇ ଲଜ୍ ଭିତରକୁ ଆସିଥିଲେ ପୁଲିସ ତା’ର ତଦନ୍ତ କରୁଛି। ପୁଲିସ ମୃତକଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇ ଯୁବକଙ୍କ ସହିତ ତାଙ୍କର ସମ୍ପର୍କ କ’ଣ ସେ ନେଇ ଖୋଳତାଡ଼ ଚଳାଇଛି।

ବିନା ପରିଚୟପତ୍ରରେ ଲଜ୍‌ରେ ରହୁଛନ୍ତି କେମିତି?
ଏବେ ବିଧାନସଭା ଚାଲିଛି। ବିଧାନସଭା ସମୟରେ ରାଜଧାନୀର ଥିବା ଲଜ୍‌, ଗେ‌ଷ୍ଟ ହାଉସ ଓ ହୋଟେଲ ଗୁଡିକରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାର ନିୟମ ରହିଛି। ଯେଉଁମାନେ ଲଜରେ ରହିବେ ସେମାନେ ସେମାନଙ୍କ ପରିଚୟପତ୍ରର ନକଲ ରିସେପ୍‌ସନରେ ଦାଖଲ କରିବା ବାଧ୍ୟତାମୂଳକ। କିନ୍ତୁ ଏବେ ଏହି ନିୟମକୁ ବିଭିନ୍ନ ଲଜ୍‌ ମାଲିକ ବା କର୍ମଚାରୀମାନେ ମାନୁନାହାନ୍ତି। ବିନା ପ୍ରମାଣପତ୍ରରେ ଗ୍ରାହକମାନଙ୍କୁ ରଖିଦେଉଛନ୍ତି। ଏଥିରେ ଲଜ ମାଲିକଙ୍କ ଅପେକ୍ଷା ମ୍ୟାନେଜର ଓ କର୍ମଚାରୀଙ୍କ ସଂପୃକ୍ତି ଅଧିକ ରହୁଛି। ବିଗତ ଦିନରେ ଭୁବନେଶ୍ବରେ ଆତଙ୍କବାଦୀ ରହିଥିବା ନଜିର ବି ରହିଛି। ଏଭଳି ସ୍ଥିତିରେ ଆଜି ବି ହତ୍ୟାକାଣ୍ଡ ଘଟିଥିବା ଲଜରେ କର୍ମଚାରୀମାନେ ପରିଚୟପତ୍ର ନ ରଖିବା ଘଟଣା ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସନ୍ଧାନୀ କୁକୁର ଦେଖି ଯାତ୍ରୀ ଛାନିଆ
ଘଟଣା ପରେ ପୁଲିସ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳ ଓ ଷ୍ଟେସନରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ସନ୍ଧାନୀ କୁକୁର ଷ୍ଟେସନ ଭିତରକୁ ପଶିବା କ୍ଷଣି ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ। କାଳେ କୁକୁର ସେମାନଙ୍କୁ ଶୁଂଘିବ ସେଥିପାଇଁ ସମସ୍ତେ ହଡ଼ବଡେଇ ଯାଉଥିଲେ। ପୁଲିସ ମଧ୍ୟ କହିଥିଲା ଯିଏ ଯେଉଁଠି ଅଛ, ସେଇଠି ଠିଆ ହୁଅ। ଜନିଷପତ୍ର ତଳେ ରଖି ଦିଅନ୍ତୁ। ଏହାରି ମଧ୍ୟରେ ସନ୍ଧାନୀ କୁକୁର ୬ ନମ୍ବର ପ୍ଲାଟଫର୍ମରୁ ଫୁଟ ଓଭରବ୍ରିଜ୍‌ ବାଟ ଦେଇ ୫ ନମ୍ବରକୁ ମଧ୍ୟ ଯାଇଥିଲା। ୪୫ ମିନିଟ କାଳ ଏଭଳି ଯାଞ୍ଚ ଚାଲିଥିଲା। ତେବେ ଯାତ୍ରୀମାନଙ୍କ ମଧ୍ୟରେ ଅଜଣା ଭୟ ସତ୍ତ୍ବେ ସନ୍ଧାନୀ କୁକୁରର ଏଭଳି ଯାଞ୍ଚ ଦେଖିବାକୁ ଯାତ୍ରୀମାନଙ୍କ ମନରେ ପ୍ରବଳ ଉତ୍ସୁକତା ପରିଲକ୍ଷିତ ହୋଇଥିଲା।

ତିନି ସପ୍ତାହରେ ୩ ହତ୍ୟାକାଣ୍ଡ
ପ୍ରଥମେ ଏୟାରଫିଲ୍ଡ ଥାନା ଅଧୀନ କପିଳପ୍ରସାଦ ବିଡିଏ କଲୋନିରେ ଘଟିଲା ଅମରେଶ ନାୟକ ହତ୍ୟାକାଣ୍ଡ। ପରେ ଖଣ୍ଡଗିରି ଥାନା ଅଧୀନ ବାହାଦଲପୁରରେ ଅନୀଲ ଜେନା ଓରଫ ପପୁ ହତ୍ୟାକାଣ୍ଡ। ଏହାର କିଛି ଦିନ ପରେ ଆଜି ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେସନ ବଜାରର ଏକ ଲଜ୍ ଭିତରେ ଜଣେ ବୃଦ୍ଧଙ୍କ ଗଳାକାଟି ହତ୍ୟା ଘଟଣା। ଅମ‌ରେଶ ନାୟକ ହତ୍ୟା ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ହେଲେ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛନ୍ତି। ସେହିପରି ବାହାଦଲପୁର ପପୁ ଜେନା ହତ୍ୟା ଘଟଣାରେ ପୁଲିସ ଏଯାଏ କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇ ନାହିଁ। ବାପି, ହାପିକୁ ପୁଲିସ ଖୋଜିଖୋଜି ନୟାନ୍ତ ହୋଇ ଗଲାଣି। ଆଜିର ବୃଦ୍ଧଙ୍କ ଗଳାକାଟି ହତ୍ୟା ଘଟଣାରେ ଅତି ରହସ୍ୟଜନକ ଭାବେ ହତ୍ୟାକାରୀ ଯୁବକ ଫେରାର ହୋଇଯାଇଛି। ପୁଲିସ ତାକୁ ଏଯାଏ ଚିହ୍ନଟ ମଧ୍ୟ କରିନାହିଁ। ଯାହାକି କମିସନରେଟ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି।

ହୋଟେଲ ହାଇୱେ ଇନ୍‌ ଘଟଣାରେ ବି ହତ୍ୟାକାରୀର ପତ୍ତା ମିଳୁନି
୨୦୧୮ ଅଗଷ୍ଟ ମାସ ୨୪ ତାରିଖ। ମଞ୍ଚେଶ୍ବର ଥାନା ଅଧୀନ ହୋଟେଲ ହାଇୱେ ଇନ୍‌ରେ ଘଟିଥିଲା ଏକ ଜଘନ୍ୟ ହତ୍ୟାକାଣ୍ଡ। ଏଥିରେ ଶାରଦା ପ୍ରସାଦ ସେଠୀ ଓରଫ ଲିଟୁ ନାମକ ଯୁବକ ତା’ ପ୍ରେମିକାଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ଲୁହା ରଡରେ ପିଟି ହତ୍ୟା କରିଥିଲା। ଶାରଦା ନିଜକୁ ଆଦିତ୍ୟ ମହାପାତ୍ର ବୋଲି ପରିଚୟ ଦେଇ ହୋଟେଲରେ ରହିଥିଲା। ପୁଲିସ ତା’ର ପରିଚୟ ପାଇବା ବେଳକୁ ସେ ଫେରାର ହୋଇ ସାରିଥିଲା। ଘଟଣାକୁ ବର୍ଷେ ବିତି ଗଲାଣି। କିନ୍ତୁ ପୁଲିସ ଆଜି ପର୍ଯ୍ୟନ୍ତ ଶାରଦାର ପତ୍ତା ପାଉନାହିଁ। ଶାରଦା ପୂର୍ବରୁ ନିଜ ବାପାମା’ଙ୍କୁ ହତ୍ୟା କରି ଝାରପଡ଼ା ଜେଲରେ ଥିଲା। ପାରୋଲରେ ଆସି ଲକ୍ଷ୍ମୀପ୍ରିୟା ବିଶ୍ବାଳ ନାମକ ଯୁବତୀଙ୍କୁ ହତ୍ୟା କରିଥିଲା।

ସେହିପରି କ୍ୟାପିଟାଲ ଥାନା ଅଧୀନ ଅଶୋକନଗରରେ ଏକ ଲଜରେ ଅନ୍ୟ ଜଣେ ଯୁବକ ତାର ସମ୍ପର୍କୀୟ ଭାଇକୁ ଗଳାକାଟି ହତ୍ୟା କରିଥିଲା। ଏହି ଘଟଣା ସେତେବେଳେ ଚର୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧିତ ଖବର