ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ହାଣିଦେଲେ; ମୁଖ୍ୟ ଅଭିଯୁକ୍ତ ସାବତ ଶଳା ଗିରଫ, ୨ ସହଯୋଗୀ ଫେରାର୍‌

ଚନ୍ଦ୍ରଶେଖରପୁର : ‌‌ଗୁରୁବାର ରାତିରେ ରାଜଧାନୀରେ ଘଟିଛି ଏକ ଚାଞ୍ଚଲ୍ୟକର ଓ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଭଉଣୀ ଆଖି ଆଗରେ ଭାଇ ଖଣ୍ଡାରେ ହାଣି ହତ୍ୟା କରିଛି ଭିଣୋଇକୁ। ସାବତ ଭଉଣୀ ମଥାରୁ ସିନ୍ଦୁର ପୋଛିଦେଇଛି ଭାଇ। ସ୍ୱାମୀକୁ ବଞ୍ଚାଇବାକୁ ଯାଇ ସାବତ ଭାଇର ଖଣ୍ଡା ଚୋଟରେ ଗୁରୁତର ହୋଇଛି ଭଉଣୀ। ପ୍ରତିଶୋଧ ପାଇଁ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମଞ୍ଚେଶ୍ବର ଥାନା ଧିରିକୁଟି ବସ୍ତି ପାତ୍ରସାହିରେ। ମୃତକ ହେଲେ ନୟାଗଡ଼ ଅଞ୍ଚଳର ସୁଶାନ୍ତ ଘଡ଼େଇ। ପୁଲିସ ହତ୍ୟାକାରୀ ବାପୁନି ନାୟକକୁ ଗିରଫ କରିଥିବା ବେଳେ ତା’ର ୨ ସହଯୋଗୀ ଫେରାର୍ ହୋଇଯାଇଛନ୍ତି।

ହତ୍ୟାକାରୀ ବାପୁନି ଏବଂ ସୁଶାନ୍ତ

ଗୁରୁବାର ରାତିରେ ସାହିରେ ହୋଇଥିବା ଏକ ଭୋଜିରୁ ସୁଶାନ୍ତ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ସ୍ତ୍ରୀ ବର୍ଷା କବାଟ ଖୋଲିବା ପରେ ସୁଶାନ୍ତ ଭିତରକୁ ପଶିଥିଲେ ଓ ବର୍ଷା କବାଟ ବନ୍ଦ କରିବାକୁ ଯାଉଥିଲେ। ଠିକ୍‌ ଏତିକିବେଳେ ହଠାତ୍ ୩ ଜଣ ଖଣ୍ଡାଧାରୀ ଯୁବକ ତାଙ୍କୁ ଠେଲି ଦେଇ ଘର ଭିତରକୁ ଧସେଇ ପଶିଥିଲେ। ସେମାନଙ୍କ ମଧ୍ୟରେ ଥିଲା ବାପୁନି। କେହି କିଛି ବୁଝିବା ପୂର୍ବରୁ ସେମାନେ ଖଣ୍ଡାରେ ସୁଶାନ୍ତଙ୍କୁ ନୃଶଂସ ଭାବେ ହାଣିବାରେ ଲାଗିଥିଲେ। ଖଣ୍ଡା ଚୋଟରେ ସୁଶାନ୍ତ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ଟଳି ପଡ଼ିଥିଲେ। ବିକଳରେ ବର୍ଷା ଦେଢ଼ ବର୍ଷର ଝିଅକୁ କାଖରୁ ତଳେ ରଖି ସ୍ବାମୀକୁ ବଞ୍ଚାଇବାକୁ ବାପୁନିକୁ ପ୍ରତିରୋଧ କରିଥିଲେ। ମାତ୍ର ସେ ବି ବାପୁନିର ଖଣ୍ଡା ଚୋଟରୁ ବର୍ତ୍ତିନଥିଲେ। ସୁଶାନ୍ତ ସଂଜ୍ଞାହୀନ ହୋଇଯିବା ପରେ ବାପୁନି ଓ ତା’ର ଦୁଇ ସହଯୋଗୀ ଘଟଣାସ୍ଥଳରୁ ପଳାଇଥିଲେ। ପାଟି ଶୁଣି ପାଖପଡ଼ୋଶୀ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କିନ୍ତୁ ସେତେବେଳକୁ ସୁଶାନ୍ତଙ୍କ ମୃତ୍ୟୁ ହୋଇସାରିଥିଲା। ବାପୁନି ଏହି ହତ୍ୟାକାଣ୍ଡ ଭିଆଇଥିବା ଜାଣି ବସ୍ତି ଲୋକେ ତାକୁ ଖୋଜିଥିଲେ। ସେମାନେ ବାପୁନିକୁ ତା’ ଘରୁ କାବୁ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀଙ୍କୁ ପାଇନଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଲୋକେ ବାପୁନିକୁ ପୁଲିସ ଜିମା ଦେଇଥିଲେ।

ପ୍ରତିଶୋଧରୁ ହତ୍ୟା
ସୁଶାନ୍ତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଝାଡ଼ୁଦାର ଭାବେ କାମ କରନ୍ତି। ଗତ ୩ ବର୍ଷ ପୂର୍ବେ ସେ ବାପୁନିର ସାବତ ଭଉଣୀ ବର୍ଷା( ବାପୁନି ବାପାଙ୍କ ପ୍ରଥମ ସ୍ତ୍ରୀର ଝିଅ)ଙ୍କୁ ବିବାହ କରିଥିଲେ। ଶଳା ବାପୁନିକୁ କାମରେ ଲଗାଇବା ପାଇଁ ସୁଶାନ୍ତ ବିଏମ୍‌ସିରେ ସଫେଇ କାମ ଠିକା ନେଇଥିବା ଏକ ସଂସ୍ଥାରେ ରଖେଇ ଦେଇଥିଲେ। ଶଳା ଭିଣୋଇଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା। ମାତ୍ର ଏକ ଝିଅ ସହ ବାପୁନିର ପ୍ରେମକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏମିତିରେ ଗତ ଦୀପାବଳି ସମୟରେ ସୁଶାନ୍ତ କୁଆଡ଼େ ବାପୁନିକୁ ମାଡ଼ ମାରିଥିଲେ। ତେଣୁ ସେହିଦିନରୁ ବାପୁନି ପ୍ରତିଶୋଧ ନିଆଁରେ ଜଳୁଥିଲା। ସବୁଦିନ ପାଇଁ ସୁଶାନ୍ତକୁ ରାସ୍ତାରୁ ହଟାଇବାକୁ ଯୋଜନା କରୁଥିଲା। ଗତକାଲି ବାପୁନି ତା’ର ପ୍ରତୀକ୍ଷିତ ଯୋଜନାକୁ କାର୍ଯ୍ୟକାରୀ କରିଥିଲା। ଭୋଜିରୁ ଫେରିବା ପରେ ତା’ର ଦୁଇ ସହଯୋଗୀଙ୍କ ସହ ଅତର୍କିତ ଆକ୍ରମଣ କରି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର