କଟକ : ଉତ୍କଳ ସମ୍ମିଳନୀର ସହ-ପ୍ରତିଷ୍ଠାତା, ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ, କନିକା ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଦେବୀ (୭୫ବର୍ଷ) ଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି ତାଙ୍କ ପୁଅ। ତାଉଆ, କଟୁରୀ, ପ୍ରେସର କୁକର୍ ଭଳି ସାମଗ୍ରୀରେ ପିଟି ହତ୍ୟା କରିବାପରେ ଘର ଭିତରେ ଟାଣି ନେଇ ଫିଙ୍ଗିବା ଭଳି ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାରେ ବିଡାନାସୀ ଥାନା ପୁଲିସ ଅଭିଯୁକ୍ତ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ ଓରଫ ଗୋପାଳ(୫୭)ଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କଟୁରୀ ଜବତ ହୋଇଥିବାବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ଟଙ୍କା ଆଉ ପାରିବାରିକ ସମସ୍ୟାକୁ ନେଇ ଘଟିଥିବା ପୁଲିସ କହିଛି। ଏ ସଂପର୍କରେ ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ମୃତ ମହିଳା ସବୁ ଟଙ୍କା ନିଜ ନିୟନ୍ତ୍ରଣରେ ରଖୁଥିଲେ। ଅଭିଯୁକ୍ତ ଆର୍ଥିକ ସମସ୍ୟାରେ ରହୁଥିଲା। ବୈବାହିକ ଜୀବନ ବି ଠିକ ନଥିଲା। ମାନସିକ ଚାପରେ ଥିବା ଅଭିଯୁକ୍ତ ଏଭଳି ପଦକ୍ଷେପ ନେଇଥିବା ତଦନ୍ତରୁ ଜଣାପଡ଼ିଛି।
ତିନିଟି ବିବାହ କରିଥିଲେ ଅଭିଯୁକ୍ତ ଶୁଭେନ୍ଦ୍ର ଭଞ୍ଜଦେଓ
ସୂଚନା ଅନୁଯାୟୀ, କନିକା ରାଜା ରାଜେନ୍ଦ୍ରନାରାୟଣ ଭଞ୍ଜଦେଓଙ୍କ ନାତି ସ୍ବର୍ଗତ ସୌରୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପରେଶ କୁମାରୀ ଦେବୀ, ବଡ଼ ଝିଅ ଜୟନ୍ତୀ ସାମନ୍ତରାୟ ଓ ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ। ଏମାନେ ସମସ୍ତେ ବିଡାନାସୀ ତୁଳସୀପୁର ଶ୍ରୀବିହାର କଲୋନିରେ ରହୁଥିଲେ। ଝିଅ ଜୟନ୍ତୀ ଯଦିଓ ବିବାହ କରିଥିଲେ କିନ୍ତୁ ପାରିବାରିକ ବିବାଦ ଯୋଗୁଁ ସେ ଏବେ ବାପା ଘରେ ଅର୍ଥାତ ମା' ପରେଶ କୁମାରୀ ଦେବୀଙ୍କ ନିକଟରେ ରହୁଥିଲେ। ପୁଅ ଶୁଭେନ୍ଦ୍ର ବର୍ତ୍ତମାନ ସୁଦ୍ଧା ତିନି ଜଣ ମହିଳାଙ୍କୁ ବିବାହ କରି ସାରିଥିଲେ । ପାରିବାରିକ ବିବାଦ ଦୀର୍ଘବର୍ଷ ହେବ ଲାଗି ଆସିଥିବାରୁ ପ୍ରଥମେ ଯେଉଁ ମହିଳାଙ୍କୁ ସେ ବିବାହ କରିଥିଲେ ତାଙ୍କ ସହିତ ବିବାହ ବିଚ୍ଛେଦ ହୋଇଥିଲା। ଦ୍ବିତୀୟ ମହିଳାଙ୍କୁ ବିବାହ ପରେ ତାଙ୍କ ସହିତ କଳହ ଲାଗି ରହିଲା। ତାଙ୍କର ଏକ ଝିଅ ଥିଲା। ତେବେ ବିବାହ ବିଚ୍ଛେଦ ପରେ ଏବେ ସେହି ମହିଳା ଝିଅ ସହିତ ଦିଲ୍ଲୀରେ ରହୁଛନ୍ତି। ତୃତୀୟ ମହିଳା କବିତା ସିଂହଦେଓଙ୍କୁ ଶୁଭେନ୍ଦ୍ର ଗଲା ୨୦୧୨ରେ ବିବାହ କରିଥିଲେ। ତାଙ୍କ ସହିତ ବି ବିବାଦ ହେବାରୁ ବିଚ୍ଛେଦ ହୋଇଥିଲା। କବିତା ଯଦିଓ ଏବେ ଭୁବନେଶ୍ୱରରେ ରହୁଛନ୍ତି, କିନ୍ତୁ ଏବେ ଶୁଭେନ୍ଦ୍ରଙ୍କ ସହିତ ତାଙ୍କର ସମ୍ପର୍କ ଭଲଥିଲା ବୋଲି କୁହାଯାଉଛି।
ମା’-ପୁଅ ବିବାଦ
୭୫ ବର୍ଷୀୟା ପରେଶ କୁମାରୀ ଦେବୀ ତୁଳସୀପୁର ସମ୍ପତ୍ତି ଓ ରାଜକନିକାରେ ଥିବା ଜମି ସମେତ ଭଡ଼ାରେ ଲାଗିଥିବା କୋଠାକୁ ନିଜ ନିୟନ୍ତ୍ରଣରେ ରଖିଥିଲେ। ଘରର ସମସ୍ତ ଆର୍ଥିକ ବ୍ୟାପାରକୁ ନିଜେ ନିୟନ୍ତ୍ରଣ କରୁଥିଲେ। ଶୁଭେନ୍ଦ୍ର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ତିନି ଜଣ ପତ୍ନୀଙ୍କ ସହିତ ବିଚ୍ଛେଦ ପଛରେ ଅର୍ଥ ହିଁ ମୂଳ କାରଣ ଥିଲା। ଟଙ୍କା ପାଇଁ ଶୁଭେନ୍ଦ୍ରଙ୍କୁ ବାରମ୍ବାର ନିଜ ମା’ଙ୍କ ନିକଟରେ ହାତ ପତାଇବାକୁ ପଡ଼ୁଥିଲା।
ଗଲା ୪ ମାସ ତଳେ ପରେଶ କୁମାରୀଙ୍କ ସ୍ୱାମୀ ସୌରୀନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ମୃତ୍ୟୁ ପରେ ମା’-ପୁଅଙ୍କ ସମ୍ପର୍କ ଆହୁରି ବିଗିଡ଼ି ଯାଇଥିଲା। ମା’ଙ୍କୁ ଘର ଭିତରେ ସେ ପୂର୍ବରୁ ଆକ୍ରମଣ ବି କରିଥିଲେ। ଏହି ଘଟଣାରେ ପୂର୍ବରୁ ଶୁଭେନ୍ଦ୍ରଙ୍କୁ ବିଡାନାସୀ ଥାନା ପୁଲିସ ଉଠାଇ ନେଇ ଥାନାରେ ଗୋଟିଏ ରାତି ରଖି ଛାଡ଼ି ଦେଇଥିଲା। ତଳ ମହଲାରେ ମା’-ପୁଅ ଏକାଠି ରହୁଥିବାବେଳେ ଗଲା ସପ୍ତାହ ତଳେ ଶୁଭେନ୍ଦ୍ର ପରେଶ କୁମାରୀଙ୍କ ତଣ୍ଟି ଚିପିବାକୁ ଉଦ୍ୟମ କରିଥିଲେ।। ଫଳରେ ପରେଶକୁମାରୀ ଭୟରେ ଉପର ମହଲାରେ ରହୁଥିବା ଝିଅ ନିକଟକୁ ଚାଲିଯାଇଥିଲେ। ସେବେଠୁ ସେ ଉପର ମହଲାରେ ଝିଅ ନିକଟରେ ରହୁଥିଲେ। ଦୀର୍ଘଦିନ ହେବ ଚାଲି ଆସିଥିବା ପାରିବାରିକ ବିବାଦ ବୁଧବାର ସକାଳ ପ୍ରାୟ ୮ଟା ବେଳେ ଉଗ୍ରରୂପ ନେଇଥିଲା।
କ’ଣ ଘଟିଥିଲା ବୁଧବାର ସକାଳେ
ଗୋଟିଏ ଘରେ ଝିଅ ଜୟନ୍ତୀ ଶୋଇଥିଲେ। ଶୁଭେନ୍ଦ୍ର କଲିଂ ବେଲ୍ ମାରିବା ପରେ ପରେଶକୁମାରୀ କବାଟ ଖୋଲିଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ଧୀରେଧୀରେ ଶୁଭେନ୍ଦ୍ର ମାନସିକ ସନ୍ତୁଳନ ହରାଇ ବିଭିନ୍ନ ସାମଗ୍ରୀରେ ପରେଶ କୁମାରୀଙ୍କୁ ପିଟି ହତ୍ୟା କରିବା ସହିତ ଘର ଭିତରେ ଘୋଷାଡ଼ି ଫିଙ୍ଗିଥିଲେ। । ପାଟିତୁଣ୍ଡ ଶୁଣି ଜୟନ୍ତୀ ଉଠି ସିସିଟିଭିରେ ଏ ଘଟଣା ଦେଖିଥିଲେ। ପ୍ରଥମେ ସେ ଏ ସଂପର୍କରେ ବିଡାନାସୀ ଥାନାକୁ ଫୋନ୍ କରିଥିଲେ। କିନ୍ତୁ ଭୟରେ ଆଉ ନିଜ ରୁମ୍ରୁ ବାହାରି ନଥିଲେ। ଜୟନ୍ତୀଙ୍କ କହିବା ଅନୁଯାୟୀ ପୁଲିସ ପ୍ରଥମେ ଆସି ବାହାରୁ ଫେରି ଯାଇଥିଲା। ପୁଣି ଫୋନ୍ କରିବାରୁ ପୁଲିସ ଆସିଥିଲା। ପୁଲିସ ଆସି ଘରେ ପଶିବା ବେଳକୁ ପରେଶ କୁମାରୀଙ୍କ ମୃତ୍ୟୁ ଘଟି ସାରିଥିଲା। ସେହି ସମୟରେ ଅଭିଯୁକ୍ତ ଶୁଭେନ୍ଦ୍ର କାର୍ ଧରି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରି ନେଇଥିଲା।