ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଖାରବେଳନଗର ଥାନା ପୁଲିସ ମାଳିସାହିରୁ ଜଣେ ରୂପଜୀବୀଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ନାଁ ଲାବଣ୍ୟ(ଛଦ୍ମନାମ)। ତାଙ୍କ ମୃତ୍ୟୁକୁ ଏବେ ସ୍ଥାନୀୟ ଅଞ୍ଚଳରେ ଭିନ୍ନ ଆଲୋଚନା ହେଉଛି। ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଉଛି ବୋଲି ଅଭିଯୋଗ ହେଉଛି। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ସୂଚନା ମୁତାବକ, ୨ ବର୍ଷରୁ ଊର୍ଧ୍ବ ହେବ ଲାବଣ୍ୟ ପଶ୍ଚିମବଙ୍ଗରୁ ଆସି ଏଠାରେ ରହୁଥିଲେ। କୌଣସି କାରଣକୁ ନେଇ ସେ ମଝିରେ ଭୁବନେଶ୍ବର ଛାଡ଼ି ପଶ୍ଚିମବଙ୍ଗ ପଳାଇଥିଲେ। ୬ମାସ ତଳେ ପୁଣିଥରେ ଏଠାକୁ ଆସିଥିଲେ। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ବାହାରକୁ ଯିବା ପାଇଁ ଆଖପାଖ ଘରେ ରହୁଥିବା ରୂପଜୀବୀମାନେ ଲାବଣ୍ୟଙ୍କୁ ଡାକିଥିଲେ। ହେଲେ ସେ ଜବାବ ଦେଇ ନଥିଲେ। ଘରେ ଖୋଜିବାରୁ ତାଙ୍କୁ ଝୁଲୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଏ ସଂପର୍କରେ ପୁଲିସକୁ ଜଣାଇଥିଲେ। ଖବରପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ପଠାଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି। ପୁଲିସ ସେଠାରୁ ଲାବଣ୍ୟଙ୍କ ମୋବାଇଲ୍ ଜବତ କରି ବିଭିନ୍ନ ଦିଗ ଉପରେ ଯାଞ୍ଚ କରୁଛି। କାହା ସହ ବେଶି ସମୟ ସେ କଥା ହୋଇଛନ୍ତି ସେ ସଂପର୍କରେ ପୁଲିସ ଅନୁସନ୍ଧାନ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦେହ ବ୍ୟବସାୟ ନ କରିବାରୁ…
ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରାଯାଉଥିଲା। ହେଲେ ସେ ଆଉ ଏ କାମ କରିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଏହାକୁ ନେଇ କିଛିଦିନ ହେବ ସେ ଅସନ୍ତୋଷ ଥିଲେ। ହଠାତ୍ ତାଙ୍କର ମୃତ୍ୟୁକୁ ସ୍ଥାନୀୟ ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ପାରିପାର୍ଶ୍ବିକ ସ୍ଥିତି
ପୁଲିସ ଲାବଣ୍ୟଙ୍କୁ ଯଉଁ ଅବସ୍ଥାରେ ଜବତ କରିଥିଲା ତାହା ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଲାଗୁଥିଲା ଯେମିତି ଲାବଣ୍ୟଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଇଛି। ସେ ରହୁଥିବା ଘରର ଭିତରେ ଲକ୍ ନଥିଲା। ଆଉ ଝୁଲିବା ପାଇଁ କୌଣସି ସୁବିଧା ନଥିଲା। କମ୍ ଉଚ୍ଚତାରେ ସିଲିଂ ଫ୍ୟାନ୍ ଝୁଲୁଥିଲା। ଯଦି ସେ ଝୁଲି ରହିଥିଲେ ତେବେ ପୁଲିସ ଆସିବା ପୂର୍ବରୁ ତାଙ୍କୁ କାହିଁକି ଖଟ ଉପରେ ଶୁଆଇ ଦିଆଯାଇଥିଲା। ତାଙ୍କ ବେକରେ ରଶି ଦାଗ ମଧ୍ୟ ନାହିଁ। ଏହାଛଡ଼ା ଯେଉଁମାନେ ଆଖପାଖ ଘରେ ରହୁଥିଲେ ସେମାନେ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି ବୋଲି ପୁଲିସ କହିଛି।
ଭଡ଼ାରେ ରହୁଥିଲେ, ପରିଚୟପତ୍ର ଦେଇ ନଥିଲେ
ଲାବଣ୍ୟ ଭାରତୀ ମହାନ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ମାସକୁ ୨ହଜାର ଟଙ୍କା ଭଡ଼ା ଦେଉଥିଲେ। ୬ମାସ ହେଲା ସେ ଭଡ଼ାରେ ରହିଥିବା ଭାରତୀ କହିଛନ୍ତି। ସେ ବିବାହିତ ଓ ତାଙ୍କର ଗୋଟିଏ ଝିଅ ଥିବା ଭାରତୀ କହିଛନ୍ତି। ତେବେ ତାଙ୍କ ପ୍ରକୃତ ଘର କେଉଁଠି? ତାଙ୍କ ସ୍ବାମୀ କିଏ? ଭଡ଼ାରେ ରହିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ ଥିବା ବେଳେ ଭାରତୀ ପରିଚୟପତ୍ର କାହିଁକି ରଖି ନଥିଲେ? ପରିଚୟପତ୍ର ନରଖି ତାଙ୍କ ବିଷୟରେ ନଜାଣି କିଭଳି ଭଡ଼ାରେ ରଖିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?
ଶବ ଜବତ ବେଳେ ଉତ୍ତେଜନା
ଅନ୍ୟପକ୍ଷରେ ଆଜି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ନେବା ବେଳେ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା। ବସ୍ତି ଲୋକ ଶବ ଛାଡ଼ି ନଥିଲେ। ହତ୍ୟାକାରୀକୁ ତୁରନ୍ତ ଧରିବାକୁ ଲୋକେ ଅଡ଼ି ବସିଥିଲେ। ଏପରିକି ସେଠାରେ ଲୋକେ ପୁଲିସକୁ ଟେକାପଥର ମାଡ଼ କରିଥିଲେ। ତେବେ ପୁଲିସ ଅଧିକ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ବୁୁଝାସୁଝା କରିବା ସହିତ ଏହାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଶାନ୍ତ ହୋଇଥିଲେ।