ମେଣ୍ଢାଶାଳ: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମେଣ୍ଢାଶାଳ ଗାଁରେ ଘଟିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଭିଣୋଇ ଲକ୍ଷ୍ମୀଧର ଦାସ(୫୯) ଭୁଜାଲିରେ ଶଳା ପ୍ରଶାନ୍ତ ବିଶ୍ବାଳ(୫୦)ଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ରକ୍ତମୁଖା ଲକ୍ଷ୍ମୀଧରଙ୍କ ଭୁଜାଲି ଚୋଟରେ ମୃତ ପ୍ରଶାନ୍ତଙ୍କ ପୁଅ ବାସୁଦେବ(୨୫), ଶୁଭମ୍(୧୪) ଓ ନିଜ ପୁଅ ରବିନାରାୟଣ(୩୩) ମଧ୍ୟ ଗୁରୁତର ହୋଇଛନ୍ତି। ବାସୁଦେବଙ୍କ ପେଟ ଓ ତଣ୍ଟିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେହିଭଳି ପୁଅ ରବିନାରାୟଣଙ୍କ ଛାତିରେ ଗଭୀର କ୍ଷତ ହୋଇଛି। ଏହି ୨ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଚିକିତ୍ସା କରାଯାଉଛି। ଆଉ ମାତ୍ର ୨ମାସ ପରେ ରେଳବାଇ ଚାକିରିରୁ ଅବସର ନେବାକୁ ଥିବା ଲକ୍ଷ୍ମୀଧର ମୁଣ୍ଡରେ କ’ଣ ପାଇଁ ଅଚାନକ ଏଭଳି ଭୂତ ସବାର ହେଲା, ତାହାକୁ ନେଇ ତନାଘନା ଲାଗିରହିଛି। ଚନ୍ଦକା ଥାନା ପୁଲିସ ଲକ୍ଷ୍ମୀଧରକୁ ଅଟକ ରଖି ପଚରାଉଚରା କରୁଛି। ବହୁ ଦିନର ପାରିବାରିକ କଳହକୁ ନେଇ କ୍ଷଣକୋପୀ ଲକ୍ଷ୍ମୀଧର ମାନସିକ ଭାରସାମ୍ୟ ହରାଇବା ପରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ରଚିଛି ବୋଲି ଚର୍ଚ୍ଚା ହେଉଛି।
ଗତକାଲି ରାତି ପ୍ରାୟ ୧ଟା। ପୁରୀରେ ରେଳ ବିଭାଗରେ ଚାକିରି କରିଥିବା ଲକ୍ଷ୍ମୀଧର ସବୁଥର ଭଳି ଜଟଣୀରେ ଟ୍ରେନ୍ରୁ ଓହ୍ଲାଇବା ପରେ ବାଇକ୍ ଯୋଗେ ମେଣ୍ଢାଶାଳ ଫେରିଥିଲା। ଗେଟ୍ ଖୋଲିବାକୁ ବାରମ୍ବାର ହର୍ଣ ବଜାଇଥିଲା। ପୁତୁରା ବାସୁଦେବ ଗେଟ୍ ଖୋଲିଥିଲେ ଏବଂ ଲକ୍ଷ୍ମୀଧର ଅଗଣାକୁ ବାଇକ୍ ନେଇଥିଲେ। ବାସୁଦେବ ଗେଟ୍ ବନ୍ଦ କରୁଥିବା ବେଳେ ହଠାତ୍ ଲକ୍ଷ୍ମୀଧର ପଛରୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ବେକରେ ଭୁଜାଲି ଚୋଟ ବାଜିବାରୁ ବାସୁଦେବ ଚିତ୍କାର କରିଥିଲେ। ପାଟି ଶୁଣି ଦାଣ୍ଡଘରେ ଶୋଇଥିବା ପ୍ରଶାନ୍ତ ଧାଇଁ ଆସିଥିଲେ। ପ୍ରଶାନ୍ତଙ୍କୁ ଦେଖିବା ମାତ୍ରେ ଲକ୍ଷ୍ମୀଧର ବାସୁଦେବଙ୍କୁ ଛାଡ଼ି ତାଙ୍କ ଉପରକୁ ଡେଇଁଥିଲା। ପ୍ରଶାନ୍ତ ଅଗଣା ପାହାଚରେ ପଛୁଆ ପଡ଼ିଯିବା ପରେ ଲକ୍ଷ୍ମୀଧର ତାଙ୍କୁ ମାଡ଼ିବସି ଗଳାକୁ କାଟି ଦେଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଶାନ୍ତ ପାହାଚ ଉପରେ ଛଟପଟ ହେଉଥିବା ବେଳେ ଲକ୍ଷ୍ମୀଧର ପୁଣି ପୁତୁରା ବାସୁଦେବଙ୍କୁ ଆକ୍ରମଣ କରିଥିଲା। ପେଟରେ ଭୁଜାଲି ଭୁସିଦେଇଥିଲା। ବାସୁଦେବ ବି ଅଗଣାରେ ଟଳିପଡ଼ିଥିଲେ।
ଏତିକିବେଳେ ଲକ୍ଷ୍ମୀଧରର ପୁଅ ରବିନାରାୟଣ ଓ ପ୍ରଶାନ୍ତଙ୍କ ସାନ ଶୁଭମ୍ ଧାଇଁ ଆସି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲକ୍ଷ୍ମୀଧର ନିଜ ପୁଅ ରବିନାରାୟଣଙ୍କ ଛାତିକୁ ଲକ୍ଷ୍ୟ କରି ଭୁଜାଲି ଭୁସି ଦେଇଥିଲା ଏବଂ ଶୁଭମ୍ର ହାତକୁ ଚୋଟ ମାରିଥିଲା। ଅଗଣାରେ ରକ୍ତର ଝରଣା ଓ ରକ୍ତମୁଖା ଲକ୍ଷ୍ମୀଧରର ଉଗ୍ର ରୂପ ଦେଖି ବୋହୂ ଉପରମହଲାରେ କବାଟ କିଳି ରହିଯାଇଥିଲେ ଏବଂ ମୃତ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ ମିଲି ପ୍ରାଣବିକଳରେ ପଡ଼ୋଶୀଘରକୁ ଦୌଡ଼ିଯାଇ ଡାକ ପକାଇଥିଲେ। ଏତିକିବେଳେ କୌଣସି ସୂତ୍ରରୁ ଖବର ପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ପହଞ୍ଚିଥିଲା। ତିନି ତିନିଜଣ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଅଗଣାରେ ପଡ଼ିଥିବା ବେଳେ ଅବିଚଳିତ ଭାବେ ରକ୍ତ ଭିଜା ଭୁଜାଲି ଧରି ଠିଆହୋଇଥିବା ଲକ୍ଷ୍ମୀଧର ପାଖକୁ ଯିବାକୁ ପିସିଆର୍ ପୁଲିସ ଡରିଥିଲା। କିନ୍ତୁ ପରେ ସେମାନେ ନିକଟରେ ପଡ଼ିଥିବା ବାଉଁଶ ଓ କାଠ ବହ୍ଲା ଗୋଟାଇ ତାକୁ ଘେରିଥିଲେ। ଲକ୍ଷ୍ମୀଧର ରକ୍ତଭିଜା ଭୁଜାଲିକୁ ତଳେ ଥୋଇଦେଇ ହାତଯୋଡ଼ି ବସିପଡ଼ିଥିଲା।
ପାରିବାରିକ କଳହର କରୁଣ ପରିଣତି
ଏଭଳି ଏକ ଆକସ୍ମିକ ତଥା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ମେଣ୍ଢାଶାଳ ଗାଁ ସ୍ତବ୍ଧ ହୋଇଯାଇଛି। ସାମାନ୍ୟ କଥାକୁ ନେଇ ଲାଗିରହିଥିବା ପାରିବାରିକ କଳହର କରୁଣ ପରିଣତି ଯେ ଏମିତି ଭୟଙ୍କର ହୋଇପାରେ ବୋଲି କେହି ବି ବିଶ୍ବାସ କରିପାରୁନାହାନ୍ତି। ଜଟଣୀ ବ୍ଲକ୍ ଗଙ୍ଗପଡ଼ାର ମୂଳବାସିନ୍ଦା ଲକ୍ଷ୍ମୀଧର ଓ ତାଙ୍କ ବଡ଼ଭାଇ ମେଣ୍ଢାଶାଳରେ ମୃତ ପ୍ରଶାନ୍ତଙ୍କ ୨ଭଉଣୀଙ୍କୁ ବିବାହ କରିଥିଲେ। ବିବାହ ପରଠୁ ଲକ୍ଷ୍ମୀଧର ଗଙ୍ଗପଡ଼ା ଛାଡ଼ି ଶଶୁରଘର ମେଣ୍ଢାଶାଳରେ ରହୁଥିଲେ। ଶଳା ପ୍ରଶାନ୍ତ ଓ ଭିଣୋଇ ଲକ୍ଷ୍ମୀଧରଙ୍କ ୨ପରିବାର ମିଶି ଗୋଟିଏ ପରିବାର ଭଳି ଚଳିଆସୁଥିଲେ। କୌଣସି ପ୍ରକାର ମନୋମାଳିନ୍ୟ ନଥିଲା। କିନ୍ତୁ ନିକଟରେ ଗଙ୍ଗପଡ଼ାରେ ରହୁଥିବା ଲକ୍ଷ୍ମୀଧରର ବଡ଼ଭାଇଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରଠୁ ଆରମ୍ଭ ହୋଇଥିଲା ଛୋଟମୋଟ ବିବାଦ। ଲକ୍ଷ୍ମୀଧର ବଡ଼ଭାଇଙ୍କ ଅଭାବୀ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ନେଇ ଏହି କଳହ ଆରମ୍ଭ ହୋଇଥିଲା। ସ୍ତ୍ରୀ, ଶଳା ଏହାକୁ ବିରୋଧ କରୁଥିବାରୁ ଲକ୍ଷ୍ମୀଧରଙ୍କ ମୁଣ୍ଡ ବିଗିଡ଼ି ଯାଇଥିଲା। ଏଥିପାଇଁ ଲକ୍ଷ୍ମୀଧର ଏଣିକି ପୁରୀରେ ବେଶି ସମୟ ରହୁଥିଲେ। ସେହିଭଳି ଅନ୍ୟ ଏକ କାରଣ ମଧ୍ୟ ଚର୍ଚ୍ଚାକୁ ଆସିଛି। ଗତ କିଛି ଦିନ ପୂର୍ବେ ଲକ୍ଷ୍ମୀଧର ଚାଷ ଉଦ୍ଦେଶ୍ୟରେ କିଛି ଛେଳି କିଣିଥିଲେ। ଚାକିରିରୁ ଅବସର ନେବା ପରେ ସେ ଏଥିରୁ ରୋଜଗାର କରିବା ଲକ୍ଷ୍ୟ ରଖିଥିଲେ। ମାତ୍ର ଛେଳିଙ୍କ ଦେଖାଶୁଣା କରିବାକୁ କେହି ଆଗ୍ରହ କରୁନଥିଲେ। ତଥାପି ମୃତ ପ୍ରଶାନ୍ତ ନିଜ ରାଜମିସ୍ତ୍ରି କାମରୁ ଫୁରୁସତ ବାହାର କରି ଛେଳି ଚରାଇବାକୁ ନେଉଥିଲେ। ତେଣୁ ଗତକାଲି ରାତିରେ କେଉଁ କାରଣରୁ ଲକ୍ଷ୍ମୀଧର ଆକସ୍ମିକ ଭାବେ ହତ୍ୟାକାଣ୍ଡ ଭିଆଇଲା, ତାହାକୁ ନେଇ ପୁଲିସ ଖୋଳତାଡ଼ କରୁଛି। ପୁରୀରୁ ଘରକୁ ଫେରିବା ପୂର୍ବରୁ ସେ ଏଥିପାଇଁ ପ୍ରସ୍ତୁତ ହୋଇଆସିଥିବା ଜଣାପଡ଼ିଛି।