ଅଶାନ୍ତ ବସ୍ତି, ଗଡ଼ୁଛି ମୁଣ୍ଡ

କାମ ଦେଉନି ‘ବସ୍ତିକୁ ଚାଲ’ ଅଭିଯାନ, ନିଶା କାରବାର ଯୋଗୁଁ ବଢ଼ୁଛି ଅପରାଧ

ଭୁବନେଶ୍ବର : ଜୁନ୍ ୨୦୧୫ । ହଠାତ୍ ଦିନେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତି ପାଲଟି ଯାଇଥିଲା ରଣକ୍ଷେତ୍ର। ନିଶା କାରବାର ପେଣ୍ଠରେ ଚଢ଼ଉ କରିବାକୁ ଯାଇ ନିଶା‌ ବେପାରୀଙ୍କ ଆକ୍ରମଣରୁ ବର୍ତ୍ତି ପାରି ନଥିଲା ପୁଲିସ। ସାମ୍ନାକୁ ଆସିଥିଲା ଦୀର୍ଘ ଦିନ ଧରି ସେଠାରେ ବ୍ରାଉନସୁଗାର କାରବାରର ମଙ୍ଗ ଧରିଥିବା ଲେଡି ଡନ୍ ଶୈଳ ରଣସିଂ ଓ ତା’ ପରିବାରଲୋକଙ୍କ କାରନାମା। ଗୋଟିଏ ପରିବାର ପୂରା ବସ୍ତିରେ ଆତଙ୍କ ଖେଳାଇବା ସହ ଚଢ଼ଉ କରିବାକୁ ଯାଇଥିବା ପୁଲିସ ସ୍କ୍ବାଡ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଆକ୍ରମଣରୁ ବର୍ତ୍ତିବାକୁ ଯାଇ ପୁଲିସ ଟିମ୍‌ ଡ୍ରେନ୍‌ରେ ପଡ଼ି ଉଠି ପଳାଇ ଆସିଥିଲା। ସେଦିନ ସାରା ରାଜଧାନୀରେ ଘଟଣାଟି ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସକୁ ଆକ୍ରମଣ କରିବାକୁ ସାହସ କରୁଥିବା ବସ୍ତିବାସିନ୍ଦାମାନେ ବସ୍ତିରେ ଘଟାଉଥିବା ଅପରାଧର ଚିତ୍ର କେତେ ଭୟଙ୍କର ହୋଇପାରେ, ତାହା ଏକ ଉଦାହରଣ ଥିଲା।

ଏହି ଘଟଣାକୁ ପାଖାପାଖି ୬ବର୍ଷ ବିତି ଗଲାଣି। କିନ୍ତୁ ଏବେ ବି ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳର ଆଇନଶୃଙ୍ଖଳା ଚିତ୍ରରେ ସେପରି କୌଣସି ବଡ଼ ସୁଧାର ଆସିନି। ଗତ ୩ ତାରିଖରେ ସେହି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର କଦଳୀଗୋଦାମ ବସ୍ତିରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଭରତପୁର ହରପାର୍ବତୀ ବସ୍ତିରେ ଅବକାରୀ ସ୍କ୍ବାଡ୍‌କୁ ଆକ୍ରମଣ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହା ପୂର୍ବରୁ ଗତ ଫେବ୍ରୁଆରିରେ ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ମହିଳାଙ୍କୁ ହତ୍ୟା କରିବା ପରେ ମୁଣ୍ଡକୁ କାଟି ଅଲଗା ଫିଙ୍ଗିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏମିତି ରାଜଧାନୀର ଅଧିକାଂଶ ବସ୍ତି ପାଲଟି ଯାଇଛି ଅପରାଧୀଙ୍କ ଆଡ଼ା। ଗତ କିଛି ବର୍ଷ ହେଲା, ସାଲିଆସାହିର ବିଭିନ୍ନ ବସ୍ତିରେ ତ ଏହା ଏକ ମାମୁଲି ପ୍ରସଙ୍ଗ ପାଲଟି ସାରିଲାଣି। ବସ୍ତିମାନଙ୍କରେ ବେଧଡ଼କ ନିଶା କାରବାର ସାଙ୍ଗକୁ ଯୁବକମାନେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ପାଲଟି ଯାଉଛନ୍ତି କୁଖ୍ୟାତ ଅପରାଧୀ। ଖାଲି ସେତିକି ନୁହେଁ, ଅପରାଧୀ ପାଲଟିଥିବା ସେମାନଙ୍କ ସମ୍ପର୍କୀୟମାନେ ବି ଏଠାରେ ଆତ୍ମଗୋପନ କରୁଛନ୍ତି। ଚୋରା ନିଶା କାରବାର ଅପରାଧର ମୂଳ ଉତ୍ସ ପାଲଟି ଯାଇଛି। ମଦ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାରରୁ ବିପୁଳ ଟଙ୍କା ରୋଜଗାର କରୁଛନ୍ତି। ଟଙ୍କା ମୋହରେ କିଛି ଦିନ ମଧ୍ୟରେ ପାଲଟି ଯାଉଛନ୍ତି ପେସାଦାର ଅପରାଧୀ।

ବଡ଼ କଥା ହେଉଛି, ବସ୍ତି ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି କମିସନରେଟ୍‌ ପୁଲିସ ଯେତେ ଯୋଜନା କଲେ ମଧ୍ୟ ତାହା ଫେଲ୍ ମାରୁଛି। ୨୦୧୯ରେ ଆରମ୍ଭ ହୋଇଥିଲା ‘ଆପୋସ’। ଏହା ମାଧ୍ୟମରେ ପୁଲିସ ବସ୍ତିରୁ ଅପରାଧ ରୋକିବା ଲକ୍ଷ୍ୟ ରଖିଥିଲା। କିନ୍ତୁ ଫେଲ୍ ମାରିଥିଲା ଏହି ଯୋଜନା। ସେହିପରି ଗତବର୍ଷ ଆରମ୍ଭ ହୋଇଥିଲା ‘ବସ୍ତିକୁ ଚାଲ ଅଭିଯାନ’। ବସ୍ତିରେ ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା, ରକ୍ତଦାନ ଶିବିର ଆୟୋଜନ କରିବା, ସାମାଜିକ କାର୍ଯ୍ୟକ୍ରମ କରି ବସ୍ତିବାସିନ୍ଦାଙ୍କ ନିକଟତର ହେବା ମୂଳ ଲକ୍ଷ୍ୟ ଥିଲା। କିନ୍ତୁ ତାହା ବି ସଫଳ ହୋଇପାରିନାହିଁ। କରୋନା ଯୋଗୁଁ ଏହି କାର୍ଯ୍ୟକ୍ରମ ଅଟକି ଯାଇଛି ବୋଲି ପୁଲିସ ପକ୍ଷରୁ ସଫେଇ ଦିଆଯାଉଛି। କିନ୍ତୁ ଅଭିଯାନରୁ କିଛି ବି ସୁଫଳ ମିଳିବା ଆଶା କରାଯାଉନାହିଁ। ବସ୍ତିବାସିନ୍ଦାଙ୍କ ପକ୍ଷରୁ ପୁଲିସକୁ ସହଯୋଗ ମିଳିଥିଲେ ହୁଏତ ଲକ୍ଷ୍ମୀସାଗର ଥାନା କଦଳୀ ଗୋଦାମ ବସ୍ତିରେ ଘଟିଥିବା ହତ୍ୟାକାଣ୍ଡକୁ ରୋକା ଯାଇପାରିଥାନ୍ତା। ସେହିଭଳି ବସ୍ତିରେ ବଢ଼ୁଥିବା ଚୋରା ନିଶା କାରବାର ଧୀରେଧୀରେ ହ୍ରାସ ପାଉଥା’ନ୍ତା। ବସ୍ତି ସହ ପୁଲିସର ସମ୍ପର୍କ ବୃଦ୍ଧି ପାଇଁ ହେଉଥିବା ବିଭିନ୍ନ ଅଭିଯାନରେ କେଉଁଠି ତ୍ରୁଟି ରହୁଥିବାରୁ ବସ୍ତିରେ ଘଟୁଥିବା ଅପରାଧ କମିବା ନାଁ ଧରୁନାହିଁ।

‌‌‌‌ଆଉ ଏକ କଥା‌ ହେଲା, ପତିଆରା ପାଇଁ ବସ୍ତିରେ ବିଭିନ୍ନ ସମୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଉଛି। ପେଟ ପାଇଁ ସଂଘର୍ଷ କରୁଥିବା ଏହି ମଣିଷମାନେ ବି କେତେବେଳେ ରାଜନୈତିକ ଶକ୍ତି ଓ କେତେବେଳେ ନିଶାମାଫିଆଙ୍କ ପାଇଁ ଭିନ୍ନଭିନ୍ନ ଗୋଷ୍ଠୀରେ ବିଭାଜିତ ହେଉଛନ୍ତି। ବସ୍ତିରେ ଦବଦବା ବଜାୟ ରଖିବା ପାଇଁ ଓ ବସ୍ତି ଲୋକଙ୍କୁ ହାତମୁଠାରେ ରଖିବା ପାଇଁ କିଛି ଗୋଷ୍ଠୀ ରକ୍ତପାତ କରିବାକୁ ପଛାଉ ନାହାନ୍ତି। ତେଣୁ ମୁଣ୍ଡ ଗଡ଼ିଲେ ବି କିଛି ଫରକ ପଡ଼ୁନି। ବଡ଼ କଥା ହେଉଛି ଏଭଳି ଗୋଷ୍ଠୀ ସଂଘର୍ଷରେ ଅସଲି ଖଳନାୟକମାନେ ବଳି ପଡ଼ିବା କମ୍ ଦେଖିବାକୁ ମିଳେ।

ବର୍ଷକ ଭିତରେ ବସ୍ତିରେ ଘଟିଥିବା କିଛି ପ୍ରମୁଖ ଅପରାଧ
୧୧ ଜୁନ୍‌ ୨୦୨୦ : ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ପଛପାଖ ବସ୍ତିରେ ରାଜମିସ୍ତ୍ରି ରାହାସ ବେହେରାଙ୍କୁ ହତ୍ୟା
୧୧ ଅକ୍ଟୋବର ୨୦୨୦ : ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
୧୩ ଜାନୁଆରି ୨୦୨୧ : କ୍ୟାପିଟାଲ ଥାନା ଆମ୍ବେଦକର ବସ୍ତିରେ କାହ୍ନା ନାୟକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ
୪ ଫେବ୍ରୁଆରି ୨୦୨୧ : ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡକାଟ ପରେ ଅନ୍ଧାରୁଆ-ଦାସପୁର ରାସ୍ତାରେ ଫିଙ୍ଗି ଦିଆଯାଇଥିଲା
୧୫ ଫେବ୍ରୁଆରି ୨୦୨୧ : ସୁନ୍ଦରପଦା ଅଭିରାମ ବସ୍ତିରେ ଲେଡି ଡନ୍ ଆଶାରାମ୍ ବିବି ଓରଫ୍ ବାନୋର ଆତଙ୍କ
୩ ଜୁନ୍ ୨୦୨୧ : ଭରତପୁର ବସ୍ତିରେ ଚୋରା ଦେଶୀ ମଦ ଧରିବାକୁ ଯାଇଥିବା ଅବକାରୀ ଟିମ୍ ଉପରେ ଆକ୍ରମଣ
୭ ଜୁନ୍, ୨୦୨୧ : କଦଳୀଗୋଦାମ ବସ୍ତିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକକୁ ଘରୁ ଟାଣି ଆଣି ହତ୍ୟା

ସମ୍ବନ୍ଧିତ ଖବର