ହତ୍ୟା, କିନ୍ତୁ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ

କୁଆଖାଇ ନଦୀପଠାରେ ଯୁବକଙ୍କ ଅଧାପୋଡ଼ା ଶବ ମିଳିବା ଘଟଣା

ଭୁବନେଶ୍ୱର: କୁଆଖାଇ ନଦୀପଠାରେ ଉନ୍ମୟ ପାଢ଼ୀଙ୍କ ଅର୍ଧଦଗ୍ଧ ଶବ ଜବତ ହେବା ଘଟଣାର ତଦନ୍ତ ଆଜି ନୂଆମୋଡ଼ ନେଇଛି। ଆରମ୍ଭରୁ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଇ ଆସୁଥିବାବେଳେ ଆଜି ତଦନ୍ତକାରୀ ପୁଲିସ କିନ୍ତୁ ଏବେ ନୂଆ ନିଷ୍କର୍ସରେ ପହଞ୍ଚିଛି। ଉନ୍ମୟ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଉନ୍ମୟଙ୍କୁ ହତ୍ୟା କରାଯାଇଛି, କିନ୍ତୁ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ। ପାରିପାର୍ଶିକ ପରିସ୍ଥିତିରୁ ଏହା ସ୍ପଷ୍ଟ ହୋଇଛି। ଜଣେ ବରିଷ୍ଠ ଅଧିକାରୀ ଏଭଳି ସୂଚନା ଦେଇଛନ୍ତି। ତେବେ ଉନ୍ମୟଙ୍କ ମୃତ୍ୟୁ ପାଇଁ ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ସିଦ୍ଧାର୍ଥ ପାଢ଼ୀ ହିଁ ଦାୟୀ। ତେଣୁ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ପୁଲିସର ଏଭଳି ସିଦ୍ଧାନ୍ତକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୃତ ଉନ୍ମୟଙ୍କ ଭାଇ ଚିନ୍ମୟ। କହିଛନ୍ତି ଡିସିପି ବଦଳି ଯିବେ ବୋଲି ତରବରିଆ ଭାବେ ତଦନ୍ତ ସାରିଦେଲେ। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି କି ଉନ୍ମୟଙ୍କ ମୁଣ୍ଡର ପଛ ଭାଗରେ ଶକ୍ତ ଆଘାତ ଲାଗିଛି, ପରେ ପେଟରେ ଛୁରି ଭୁଷା ଯାଇଛି। ସେ ଅଚେତ ହେବା ପରେ ତାଙ୍କୁ କେହି ଜିଅନ୍ତା ଜଳାଇ ଦେଇଛି। ତେଣୁ ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟରେ ତାଳମେଳ ନ ଥିବାରୁ ପୁଲିସ ରହସ୍ୟର ପର୍ଦାଫାସ କରିବାରେ ଅସମର୍ଥ ବୋଲି ଆଲୋଚନା ଜୋର ଧରିଛି। ଉନ୍ମୟ ଆତ୍ମହତ୍ୟା କରିବା କଥାକୁ ମଧ୍ୟ ଅନେକ ସହଜରେ ଗ୍ରହଣ କରି ପାରୁନାହାନ୍ତି। କହୁଛନ୍ତି, ଜଣେ ଯୁବକ ବିଜେବିନଗରରୁ ରାତି ୧୦ଟାରେ ନହରକଣ୍ଟାର ସେହି ନିଛାଟିଆ ନଦୀପଠାକୁ ଯିବ। ବାଇକ୍‌ ନଦୀପଠାରେ ପାର୍କିଂ କରି ସେଥିରୁ ପେଟ୍ରୋଲ କାଢ଼ିବ। ଏହା ପରେ ନିଜ ମୁଣ୍ଡକୁ ଶକ୍ତ ଆଘାତ ଦେବ, ପେଟରେ ଛୁରି ଭୁଷିବ ଓ ପରେ ପଟ୍ରୋଲ ନିଜ ଶରୀରରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବ, ପୁଲିସର ଏଭଳି କାହାଣୀକୁ କେହି ସହଜରରେ ଗ୍ରହଣ କରି ପାରୁନାହାନ୍ତି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ କୁହାଯାଇଛି କି, ଉନ୍ମୟଙ୍କୁ ହତ୍ୟା କରାଯାଇଛି ବୋଲି ଅନୁମାନ କରି ପୁଲିସ ପ୍ରଥମେ ସେହି ଦିଗରେ ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ପରବର୍ତୀ ସମୟରେ ତଦନ୍ତରୁ ହତ୍ୟାର କୌଣସି ମୋଟିଭ ସ୍ପଷ୍ଟ ହୋଇ ନ ଥିଲା କି କାହା ବିରୋଧରେ ପ୍ରମାଣ ମିଳି ନ ଥିଲା। ତେଣୁ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ। ଏଣେ ତଦନ୍ତର ଅନ୍ୟ ଏକ ଦିଗ କହୁଛି, ଦୀର୍ଘ ଦିନ ଧରି ଭାଇରାଲ ଭିଡିଓରେ ଥିବା ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ହିଁ ଉନ୍ମୟଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କୁ ବ୍ଲାକମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏପରିକି ଉନ୍ମୟ ତାଙ୍କ ମୃତ୍ୟୁ ପାଇଁ ସଂପୃକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ହିଁ ଦାୟୀ କରି ଏକ ଚିଠି ଛାଡ଼ି ଯାଇଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି, ତାଙ୍କର ଦୁର୍ଘଟଣା ହେଉ କିମ୍ବା ହତ୍ୟା ବା ଆତ୍ମହତ୍ୟା ଏଥିପାଇଁ ଦୁହେଁ ଦାୟୀ। ଯାହା ପୁଲିସ ହସ୍ତଗତ ହୋଇଛି। ମାତ୍ର ଏସବୁ ପାରିପାର୍ଶ୍ୱିକ ପ୍ରମାଣ ସତ୍ତ୍ୱେ ପୁଲିସର ଏହାକୁ ହତ୍ୟାକାଣ୍ଡ ବୋଲି ବିବେଚନା ନକରିବା ସାଧାରଣରେ ଗ୍ରହଣଯୋଗ୍ୟ ହେଉନାହିଁ।

ସମ୍ବନ୍ଧିତ ଖବର