ସାନଭାଇକୁ ହତ୍ୟା ମାମଲା: ଜେଲ୍‌ ଗଲା ବଡ଼ଭାଇ

ଭୁବନେଶ୍ବର: ନିଶାସକ୍ତ ହୋଇପଡ଼ିଥିବା ସାନଭାଇକୁ ବାଟକୁ ଆଣିବା ପାଇଁ ଆକଟ କରୁକରୁ ତା’ର ଜୀବନ ଚାଲିଯିବା ଘଟଣାରେ ଅଭିଯୁକ୍ତ ବଡ଼ଭାଇ ବିଶ୍ବମୋହନ ସେନାପତି ଓରଫ୍‌ ଲକିକୁ ଆଜି ନୂଆପଲ୍ଲୀ ଥାନା ପୁଲିସ କୋର୍ଟ ଚାଲାଣ କରିଥିଲା। ପରିବାର ପକ୍ଷରୁ କୋର୍ଟରେ ଜାମିନ୍ ଆବେଦନ କରାଯାଇଥିବାରୁ ମାମଲାର ଶୁଣାଣି କରାଯାଇଥିଲା। ମାତ୍ର ଜାମିନ ଖାରଜ ହେବାରୁ ଲକିକୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।
ଅପରପଟେ ହତ୍ୟାକାଣ୍ଡର ସଂପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡ଼ିଛି ନୂଆପଲ୍ଲୀ ଥାନା ପୁଲିସ। ମୃତକ ସାନଭାଇ ରାଜମୋହନ ସେନାପତି ଓରଫ୍‌ ହାପିକୁ ବଡ଼ଭାଇ ଲକି ମାଡ଼ ମାରିବା ବେଳର ୪ଜଣ ପ୍ରତ୍ୟକ୍ଷଦର୍ଶୀଙ୍କୁ ପୁଲିସ ପଚରାଉଚରା ଚଳାଇଛି। ସେମାନେ ହେଲେ ହାପିର ୨ଜଣ ସାଙ୍ଗ ଶିବୁନ ମଣ୍ଡଳ ଓ ଜୀବନ ପ୍ରଦୀପ।

ଅନ୍ୟ ଦୁଇ ଜଣ ହେଲେ ଅଭିଯୁକ୍ତ ଲକିର ୨ ସାଙ୍ଗ ଚନ୍ଦ୍ରଶେଖର ମହାନ୍ତି ଓ ମନୋଜ କୁମାର ସ୍ବାଇଁ। ପୁଲିସ ସେମାନଙ୍କ ବୟାନ୍ ରେକର୍ଡ କରିବା ସମୟରେ ସେମାନେ ହାପିକୁ ମାଡ଼ ମରାଯାଇଥିବା କଥାକୁ ସ୍ବୀକାର କରୁନାହାନ୍ତି। ସେହିଭଳି ପରିବାର ଲୋକେ ମଧ୍ୟ ବଡ଼ପୁଅ ଲକି ସପକ୍ଷରେ ଯାଇ ଆଦୌ କୌଣସି ଅଭିଯୋଗ କରୁନଥିବାରୁ ପୁଲିସ ସେମାନଙ୍କଠାରୁ ସହଯୋଗ ପାଇବାର ଆଶା ମଉଳି ଯାଇଛି। ସେଥିପାଇଁ ପୁଲିସ ୨ ଭାଇଙ୍କ ସମେତ ୬ଜଣଙ୍କର ମୋବାଇଲ୍ ଫୋନ୍‌ର ସିଡିଆର୍ ରିପୋର୍ଟ ସଂଗ୍ରହ କରିବା ଆରମ୍ଭ କରିଛି। ବଡ଼ଭାଇ ଲକି, ହାପିକୁ ମାଡ଼ ମାରୁଥିବା ସମୟରେ ୪ଜଣଯାକ ପ୍ରତ୍ୟକ୍ଷଦର୍ଶୀ କେଉଁଠି ଥିଲେ, ତାହାର ଟିକିନିଖି ତର୍ଜମା କରିବା ଆରମ୍ଭ କରିଛି ପୁଲିସ। ଏହା ସହ ନୂଆପଲ୍ଲୀ ନୂଆସାହିସ୍ଥିତ ଲକିର ଭଡ଼ା ଘର ନିକଟରୁ ପୁଲିସ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ଆରମ୍ଭ କରିଛି। ହାପିକୁ ମାଡ଼ ମାରିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇନଥିବା ଜଣାପଡ଼ିଛି। ତେବେ ୨ ଭାଇ ଗୋଟିଏ ଘରକୁ ଯିବା ଏବଂ ସେମାନଙ୍କର ସାଙ୍ଗ ସେଠାକୁ ଆସିବା ଆଦି ରେକର୍ଡିଂ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଡିସିପି ପ୍ରତୀକ ସିଂହ ନୂଆପଲ୍ଲୀ ଥାନାକୁ ଯାଇ ଅଭିଯୁକ୍ତ ଲକିକୁ ହତ୍ୟାକାଣ୍ଡ ବାବଦରେ ପଚରାଉଚରା କରିଥିଲେ। ହାପିକୁ ଧାତବ ବାଡ଼ିରେ ପିଟିବା ସମୟରେ ଲକି ତା’ର ୨ ହାତକୁ ଗାମୁଛାରେ ବାନ୍ଧି ଦେଇଥିଲା ବୋଲି ମାନିଥିଲା। ବିଇଡି ପରୀକ୍ଷା ପାଇଁ ହାପି ନିକଟରେ ଆନ୍ଧ୍ରପ୍ରଦେଶ ଯିବାକୁ ଥିବାରୁ ସେ ତା’ ଡାହାଣ ହାତକୁ ବାଡ଼େଇନଥିଲା ବୋଲି କହିଥିଲା। ଏମିତିକି ମୁଣ୍ଡ ଓ ଛାତିକୁ ମଧ୍ୟ ବାଡ଼େଇନଥିଲା, କେବଳ ଗୋଡ଼ ଓ ପିଠିକୁ ପିଟିଥିଲା ବୋଲି ଅଭିଯୁକ୍ତ ଲକି କହିଛି। ତେବେ ହାପିର ଦେହ ଓ ବାମ ହାତରେ କ୍ଷତ ହୋଇଥିଲା ବୋଲି ସେ ମାନିଥିଲା। ତେଣୁ ସାଇଣ୍ଟିଫିକ୍ ନୂଆସାହିସ୍ଥିତ ଭଡ଼ାଘରୁ ଉକ୍ତ ଗାମୁଛାକୁ ସଂଗ୍ରହ କରି ଲ୍ୟାବ୍‌କୁ ପଠାଇଛି।

ସମ୍ବନ୍ଧିତ ଖବର