ଯୁବକଙ୍କ ମୃତଦେହ ଜବତ, ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗିଦେଲେ!

ହତ୍ୟା ଅଭିଯୋଗ ଆଣିଲେ ମା’, ୨ ଅଟକ, ମୃତକଙ୍କ ନାମରେ ବିଭିନ୍ନ ଥାନାରେ ମାମଲା

‌ଖୋର୍ଧା: ଜଙ୍କିଆ ଥାନା ଅଧୀନ ଛଣଗିରି ବିଦ୍ୟୁତ୍ ସବ୍‌ଷ୍ଟେସନ୍‌ ନିକଟ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ବରୁ ଜଣେ ଯୁବକଙ୍କ ମୃତଦେହ ପୁଲିସ ଜବତ କରିଛି। ମୃତକ ଛଣଗିରି ମୁସଲମାନ ସାହିର ସେକ୍‌ ସୁଲେମାନ୍(୨୮)। ସୁଲେମାନ୍‌ ନାମରେ ଜଙ୍କିଆ ଓ ନୟାଗଡ଼ ଥାନା ସମେତ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ। ଏପରିକି ଜଙ୍କିଆ ପୁଲିସ ମଧ୍ୟ ତାଙ୍କୁ ଦୀର୍ଘ ଦିନ ଧରି ଖୋଜୁଥିବା ସୂଚନା ମିଳିଛି। ସୁଲେମାନର ଶବ ରାସ୍ତାରୁ ଉଦ୍ଧାର କରାଯାଇଥିବା ବେଳେ ନିକଟ ଏକ ଘର ବାରଣ୍ଡାରୁ ତାର ବ୍ୟବହୃତ (ଓଡି-୨୫ଜେ-୭୬୮୮) ବାଇକ୍‌କୁ ପୁଲିସ୍‌ ଜବତ କରିଛି। ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍‌ଡିପିଓ ସୁଶୀଲ୍ କୁମାର ମିଶ୍ର, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଜଙ୍କିଆ ଥାନାରେ ୨୨୩/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅପରପକ୍ଷେ ସୁଲେମାନର ମା’ ଓଶିରିନ୍ ବିବି କାଜୁ ବଗିଚା ବିବାଦକୁ ନେଇ ବିପକ୍ଷଗୋଷ୍ଠୀ ସୁଲେମାନ୍‌ଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସୁଲେମାନର ମୁହଁ, ମୁଣ୍ଡ ଓ କାନମୁଣ୍ଡାରେ ଶକ୍ତ ଆଘାତ ହୋଇ ରକ୍ତ ବାହାରୁଥିବା ବେଳେ ପିଠି ଓ ବାମଗୋଡ଼ ବୁଢ଼ା ଆଙ୍ଗୁଠି ଖଣ୍ତିଆ ହୋଇଛି। ମାତ୍ର ଉକ୍ତ ସ୍ଥାନରେ ଟୋପାଏ ହେଲେ ରକ୍ତ ଦେଖିବାକୁ ମିଳିନି। ଏହାକୁ ନେଇ ପୁଲିସ୍‌ ତଦନ୍ତ ଜାରି ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଥାନାଧିକାରୀ ସତ୍ୟବ୍ରତ ଲେଙ୍କା ସୂଚନା ଦେଇଛନ୍ତି। ଅନୁରୂପ ଭାବେ ପୁଲିସ ଦୁଇଜଣକୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଜଣାପଡ଼ିଛି। ଅପରପକ୍ଷେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସୁଲେମାନ୍ ଓ ତା’ର କିଛି ସହଯୋଗୀ ଗତକାଲି ସନ୍ଧ୍ୟାରେ ଛଣଗିରି ବଜାରରେ କିଛି ଦୋକାନୀଙ୍କୁ ଗାଳିଗୁଲଜ କରିଥିଲେ। ପରେ ପୁଲିସ୍‌ ଭୟରେ ସେଠାରୁ ସେମାନେ ପଳାଇ ଯାଇଥିଲେ। ଯିବା ବାଟରେ ନାରଗଦା ପାଖରେ ଦୁର୍ଘଟଣା ଘଟିଥିଲା। ଏଭଳି ଖବର ପୁଲିସ୍‌ର ହସ୍ତଗତ ପରେ ବିଭିନ୍ନ ଦିଗରୁ ତଦନ୍ତ ପ୍ରକ୍ରିୟା ଜୋର୍‌ ଧରିଛି। ତେବେ ପ୍ରଶ୍ନ ଉଠୁଛି ଯଦି ସୁଲେମାନର ନାରଗଦାଠାରେ ଦୁର୍ଘଟଣା ଘଟିଲା, ତେବେ ଏତେ ଦୂରରୁ ସୁଲେମାନର ଶବ ଏଠାକୁ ଆସିଲା କିପରି।

ସମ୍ବନ୍ଧିତ ଖବର