ରାଜଧାନୀ ଉପକଣ୍ଠରେ ବୀଭତ୍ସ ହତ୍ୟାକାଣ୍ଡ : ମହିଳାଙ୍କ ମୁଣ୍ଡ କାଟି ଫିଙ୍ଗିଦେଲେ

ରାସ୍ତାକଡ଼ରୁ ମୁଣ୍ଡବିହୀନ ଶବ ମଳିବା ପରେ ଚାଞ୍ଚଲ୍ୟ
ଛୁରି, ମଦ ବୋତଲ, ଗ୍ଲୋଭ୍‌ସ୍‌, ସାନିଟାରି ନାପ୍‌କିନ୍‌ ଜବତ
କଟାମୁଣ୍ଡ ଓ ହତ୍ୟାର କାରଣ ଖୋଜୁଛି ପୁଲିସ

ଭୁବନେଶ୍ବର/ବାରଙ୍ଗ : ରାଜଧାନୀ ଉପକଣ୍ଠରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଜଣେ ଅଜଣା ମହିଳାଙ୍କ ମୁଣ୍ଡ କାଟି କବନ୍ଧକୁ ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଗୁରୁବାର ସକାଳେ ଚନ୍ଦକା ଥାନା ପୁଲିସ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ରୁ ଏଭଳି ମୁଣ୍ଡ ବିହୀନ ମହିଳାଙ୍କ ଶବ ଜବତ କରିବା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍‌ଟିମ୍‌ ପହଞ୍ଚି ରକ୍ତ ନମୁନା ସମେତ ପାଖରେ ପଡ଼ିଥିବା ଗ୍ଲୋଭ୍‌ସ୍‌ରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି। ତେବେ ବିଳମ୍ବିତ ରାତି ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତେଣୁ ମହିଳାଙ୍କ ପରିଚୟ ଖୋଜିବା ସହ କଟାମୁଣ୍ଡ କୁଆଡ଼େ ଗଲା ସେ ନେଇ ପୁଲିସ ତନାଘନା ଜାରି ରଖିଛି।

ମହିଳାଙ୍କୁ କିଏ କାହିଁକି ଏଭଳି ବୀଭତ୍ସ ଭାବେ ହତ୍ୟା କଲା? ପ୍ରଚଣ୍ଡ ରାଗରେ ଏଭଳି ମୁଣ୍ଡ କାଟିଦେଲା ନା ପୁଲିସକୁ ଭୁଆଁ ବୁଲାଇବା ପାଇଁ ଅପରାଧୀ ଏଭଳି କରିଛି? ଦୀର୍ଘ ସମୟ ଧରି ମହିଳା ନିଖୋଜ ଥିଲେ ମଧ୍ୟ କେହି ଖୋଜୁ ନାହାନ୍ତି କେମିତି? ଏଭଳି ଅନେକ ପ୍ରଶ୍ନ ହତ୍ୟାକାଣ୍ଡକୁ ରହସ୍ୟମୟ କରିଥିବ‌ାବେଳେ ପୁଲିସ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୃତ ମହିଳାଙ୍କ ପରିଚୟ ମିଳିଲେ ହିଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ ବୋଲି ଜଣେ ବରି‌ଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଡିସିପି ଉମାଶଙ୍କର ଦାଶ, ଅତିରିକ୍ତ ଡିସିପି ରାଜକିଶୋର ପାଇକରାୟ, ଏସିପି(ସ୍ପେସାଲ ସ୍କ୍ବାଡ୍‌) ସଞ୍ଜୀବ ଶତପଥୀ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ ତଦାରଖ କରିଛନ୍ତି।

ଗୁରୁବାର ସକାଳେ ଏଭଳି ମୁଣ୍ଡ ବିହୀନ ଶବ ପଡ଼ିଥିବା ସୂଚନା ପାଇ ପ୍ରଥମେ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଦ‌ ଆଙ୍ଗୁଠିରେ ଝୁଣ୍ଟିଆ, ଦୁଇ ହାତରେ ଚୂଡ଼ି ଓ ଶଙ୍ଖା ଥିବାରୁ ମୃତ ମହିଳା ଜଣକ ବିବାହିତା ଓ ତାଙ୍କ ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ସେ ନାଇଟି ପିନ୍ଧିଥିବା ବେଳେ ପାଖରେ ଶାଢ଼ି ଓ ଅନ୍ୟାନ୍ୟ ଅନ୍ତଃବସ୍ତ୍ର ପଡ଼ିଥିଲା। ପାଖରେ ଏକ ଛୁରି, ମଦ ବୋତଲ, ବେଡସିଟ୍‌, ଗ୍ଲୋଭ୍‌ସ୍‌, ସାନିଟାରି ନାପ୍‌କିନ୍‌, ବ୍ୟାଗ୍‌ ପଡ଼ିଥିବାବେଳେ କିଛି ଦୂରରେ ଏକ ଗଛରେ ଓଢ଼ଣି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡ ୨୪ ଘଣ୍ଟା ମଧ୍ୟରେ ହୋଇଛି। ଅପରାଧୀମାନେ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଛନ୍ତି। ପରେ ବେକ କାଟି ମୁଣ୍ଡ ନେଇ ଯାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ଏଭଳି ପ୍ରମାଣ ମିଳିଥିବା ଜଣେ ବରିଷ୍ଠ ଅଧିକାରୀ ‘ସମ୍ବାଦ’କୁ କହିଛନ୍ତି।

ଅନ୍ୟ ଜାଗାରେ ହତ୍ୟା ପରେ ଫିଙ୍ଗିଛନ୍ତି
ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି; ଘଟଣାସ୍ଥଳରେ ଏହି ହତ୍ୟାକାଣ୍ଡ ହୋଇ ନାହିଁ। ଘଟଣାସ୍ଥଳରେ ରକ୍ତ ପଡ଼ିଥିଲେ ମଧ୍ୟ କୌଣସି ହତ୍ୟାକାଣ୍ଡ ବେଳେ ଯେତିକି ରକ୍ତ ପଡ଼ିବା କଥା ସେହି ପରିମାଣରେ ପଡ଼ିନାହିଁ। ହତ୍ୟାକାଣ୍ଡ ବେଳେ ଯେଭଳି ଧସ୍ତାଧସ୍ତି ହେବା କଥା ଘଟଣାସ୍ଥଳରୁ ସେଭଳି ପ୍ରମାଣ ମଧ୍ୟ ମିଳିନାହିଁ। ଏଣୁ ଅନ୍ୟ ଜାଗାରେ ହତ୍ୟା କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରେ ଆଣି ମୁଣ୍ଡବିହୀନ ଶବ ଫିଙ୍ଗି ଦେଇଥିବା‌ ପୁଲିସ ଅନୁମାନ କରୁଛି।

ଚାରି ଚକିଆରେ ଆସିଥିଲେ ଦୁର୍ବୃତ୍ତ
ମହିଳାଙ୍କୁ ଯେଉଁଭଳି ଭାବରେ ହତ୍ୟା କରାଯାଇଛି ଓ ଫିଙ୍ଗି ଦିଆଯାଇଛି ସେଭଳି କାମ କରିବା ଜଣଙ୍କ ପକ୍ଷରେ ସମ୍ଭବ ନୁହେଁ। ଏଣୁ ଏକାଧିକ ଅପରାଧୀ ଏଥିରେ ସାମିଲ ଥିବା ସ୍ପଷ୍ଟ ହୋଇଛି। ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି; ସେହି ରାସ୍ତାରେ ଚାରିଚକିଆ ଯାନ କ୍ବଚିତ୍‌ ଯିବା ଆସିବା କରେ। କିନ୍ତୁ ସମ୍ପୃକ୍ତ ରାସ୍ତାରେ ଚାରି ଚକିଆ ଯାନର ଚକ ଦାଗ ପଡ଼ିଛି। ଅପରାଧୀ ଅନ୍ୟ ଜାଗାରେ ହତ୍ୟା କରି ଚାରି ଚକିଆ ଯାନ ଯୋଗେ ଆଣି ଏଠାରେ ଫିଙ୍ଗି ଥିବା ପୁଲିସ ଅନୁମାନ କରୁଛି। ଏଣୁ ଗତ ରାତିରେ କେଉଁ ପ୍ରକାରର ୪ ଚକିଆ ଯାନ ଏଠାକୁ ଆସିଥିଲା ସେ ନେଇ ସ୍ଥାନୀୟ ଅଞ୍ଚଳରୁ ପୁଲିସ ପଚାରି ବୁଝୁଛି। ଗାଡ଼ି ନମ୍ବରରୁ ଅପରାଧୀଙ୍କ ପାଖରେ ପହଞ୍ଚି ହେବ ବୋଲି ପୁଲିସ ଆଶା ବାନ୍ଧିଛି।

ସିସିଟିଭି ଫୁଟେଜ୍ ନାହିଁ
ହତ୍ୟା କରିବା ପରେ ଶବକୁ ଏଭଳି ଏକ ନିଛାଟିଆ ସ୍ଥାନକୁ ନିଆଯାଇଛି; ଯେଉଁ ରାସ୍ତାରେ କେଉଁଠି ହେଲେ ସିସିଟିଭି ଲାଗି ନାହିଁ। ତେଣୁ ହତ୍ୟାକାଣ୍ଡ ପରେ ପୁଲିସ ପ୍ରମାଣ ପାଇବା ପାଇଁ ସିସିଟିଭି ଫୁଟେଜ୍‌ ଖୋଜି ଖୋଜି ନୟାନ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ ପାଖରୁ ମଧ୍ୟ ତଦନ୍ତ ଆଗକୁ ଯିବା ଭଳି କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିନାହିଁ। ଏଭଳି ଏକ ଅଞ୍ଚଳକୁ ଅପରାଧୀ ବାଛିଥିବାରୁ ଏହି ଜାଗା ସହିତ ଅପରାଧୀ ପୂର୍ବରୁ ପରିଚିତ ବୋଲି ପୁଲିସ ଅନୁମାନ କରୁଛି। ଏଣୁ ଏ ଦିଗ‌ରେ ପୁଲିସ ତଦନ୍ତ ଜାରି ରଖିଛି।

୩ ବର୍ଷ ତଳେ ନାବାଳିକାର ମୁଣ୍ଡ ବିହୀନ ଶବ ଫିଙ୍ଗିଥିଲେ
ଅପରାଧୀମାନେ ହତ୍ୟା କରିବା ପରେ ଶବ ଫିଙ୍ଗି ଦେବାକୁ ଏହି ଅଞ୍ଚଳକୁ ବାଛୁଛନ୍ତି। ୩ ବର୍ଷ ତଳେ ପୁରୀ ଜିଲ୍ଲାର ଗଡ଼ିଶାଗୋଦା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରିବା ପରେ ଦୁର୍ବୃତ୍ତ ଠିକ୍‌ ଅନୁରୂପ ଢଙ୍ଗରେ ମୁଣ୍ଡ କାଟି ଦେଇଥିଲା ଏବଂ ମୁଣ୍ଡ ବିହୀନ ଶବକୁ ଏଭଳି ଫିଙ୍ଗି ଦେଇଥିଲା। ତେବେ ପରେ ପୁଲିସ କଟାମୁଣ୍ଡ ଉଦ୍ଧାର କରିବା ସହ ଅପରାଧୀକୁ ମଧ୍ୟ ଗିରଫ କରିଥିଲା।

ସମ୍ବନ୍ଧିତ ଖବର