ଜଟଣୀ: ଜଟଣୀରେ ନିଶା ସେବନର କରୁଣ ପରିଣତି ଯୋଗୁ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ସାଙ୍ଗର ବେକକୁ ଅନ୍ୟ ଜଣେ ସାଙ୍ଗ ବ୍ଲେଡ୍ରେ କାଟିବା ପରେ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ଏବଂ ପରେ ବୁଦାମୂଳକୁ ଫିଙ୍ଗି ଦେଇଛି। ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସ୍ଥାନୀୟ ଗଜପତିନଗର ଅଞ୍ଚଳରେ ରହୁଥିବା ଜି. ତ୍ରିନାଥ ରାଓଙ୍କ ପୁଅ ଜି. ଈଶ୍ବର ରାଓ (୩୮)।
ଗତ ବୁଧବାର ରାତିରୁ ଈଶ୍ବର ଘରକୁ ଫେରି ନଥିବା ନେଇ ବଡ଼ ଭାଇ ଚେଣ୍ଟି ଥାନାରେ ଅଭିଯୋଗ କରିଥିଲେ। ପରେ ତାଙ୍କ ଭାଇକୁ ଜଟଣୀ ପୋଷ୍ଟାଲ କଲୋନିରେ ରହୁଥିବା ରାଜସ୍ଥାନ କାର୍ଡିନ୍ ଗ୍ରାମର ବକ୍ସିସ୍ ସିଂ ମେହେର (୩୫) ହତ୍ୟା କରିଥିବା ସନ୍ଦେହରେ ମଧ୍ୟ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନାଧିକାରୀ ଘଟଣାକୁ ଗୁରୁତ୍ବର ସହ ନେଇ ବକ୍ସିସ୍ ସିଂଙ୍କୁ ଥାନାକୁ ଆଣି ଜେରା କରିବା ପରେ ସେ ହତ୍ୟାକାଣ୍ଡ ଘଟଣାର ସତ୍ୟ ଉଗାରିଥିଲା।
ତା’ର ବୟାନ ଅନୁସାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବାରୁ ପ୍ରତ୍ୟେକ ଦିନ ସମୟ ମିଳିଲା କ୍ଷଣି ମିଲ୍ ପୋଖରୀ ନିକଟରେ ନିରୋଳାରେ ବସି ଉଭୟ ମଦ୍ୟପାନ କରନ୍ତି। ବୁଧବାର ଦିନ ରାତିରେ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳର ରୂପ ନେଇଥିଲା। ଏହାପରେ ଉତ୍କ୍ଷିପ୍ତ ହୋଇ ବକ୍ସିସ୍ ଏକ ପଥରରେ ଈଶ୍ବରଙ୍କ ମୁଣ୍ଡକୁ ଛେଚି ପାଖରେ ରଖିଥିବା ବ୍ଲେଡ୍ରେ ବେକକୁ କାଟିବା ପରେ ପୋଖରୀ କଡ଼ ବୁଦାମୂଳକୁ ଫୋପାଡ଼ି ଦେଇ ପଳାଇ ଯାଥଥିଲା। ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ଫୋନ୍ ଯୋଗେ ଦୁଇ ହଜାର ଟଙ୍କା ମାଗିବା ଓ ନ ଦେଲେ ଈଶ୍ବରଙ୍କୁ ମାରିଦେବ ବୋଲି କହିଥିଲା।
ଏପରିକି କେହି ଜଣେ ଈଶ୍ବରଙ୍କୁ ମାରି ବରୁଣେଇ ତଳେ ଫୋପାଡ଼ି ଦେଇଥିବା କହିଥିଲା। ପରେ ମୋବାଇଲ୍ ଅଫ୍ କରି ପୁରୀ ପଳାଇଥିଲା। ଗତକାଲି ବିଳମ୍ବିତ ରାତିରେ ସୂଚନା ପାଇ ପୁଲିସ ଅଭିଯୁକ୍ତକୁ ପୁରୀରୁ ଆଣି ପଚରାଉଚରା କରିବା ପରେ ମୃତଦେହ ମିଲ୍ ପୋଖରୀ କୂଳରେ ପଡ଼ିଥିବା କହିଥିଲା। ସେହି ଅନୁସାରେ ଆଜି ସକାଳୁ ପୁଲିସ୍ ଗଳିତ ମୃତଦେହ ବୁଦାମୂଳରୁ ଉଦ୍ଧାର କରିଥିଲା। ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତ ବକ୍ସିସକୁ କୋର୍ଟ ଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଜଟଣୀ ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି।